ଭୁବନେଶ୍ବର: ଅକ୍ଟୋବର ଆସିଲେ ଓଡ଼ିଶାବାସୀଙ୍କୁ ବାତ୍ୟା ଚିନ୍ତା ଘାରିଥାଏ। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶରେ ଗତି କରିବାକୁ ଥିବା ବେଳେ ଏହି ସମୟରେ ପବନର ବେଗ ଘଣ୍ଟା ପିଛା ୩୦ରୁ ୫୫କିମି ଯାଏଁ ବହିପାରେ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ସତର୍କ ସୂଚନା ଜାରି କରି ନାହିଁ। ଓଡ଼ିଶା ନେଇ ସତର୍କ ସୂଚନା ଜାରି କରାଯାଇ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: ପୁଣି ଡରାଇଲା ଅକ୍ଟୋବର
ଆଇଏମ୍ଡି ଡଜି କହିଛନ୍ତି, ଜିଏଫ୍ଏକ୍ସ ମଡେଲ ଦେଖନ୍ତୁ ନାହିଁ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଯାହା ପୂର୍ବାନୁମାନ କରାଯାଉଛି ତାକୁ ହିଁ ଦେଖନ୍ତୁ। ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୧ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୨୩ ତରିଖ ସକାଳ ସୁଦ୍ଧା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ହେବାକୁ ଥିବା ଏହି ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିବ। ତାପରେ ଏହା ତାମିଲନାଡୁ, ପୁଡୁଚେରୀ ଏବଂ ନିକଟସ୍ଥ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼କୁ ଆଗେଇବ।
ଆହୁରି ପଢ଼ନ୍ତୁ: Cow dung auction: ୨୫,୦୦୦ କିଲୋଗ୍ରାମ ଗୋବର ନିଲାମ କରିବ ବିଏମସି
ଏହାର ପ୍ରଭାବରେ ୨୧ ତାରିଖ ପାଖରୁ ଦକ୍ଷିଣ ବଙ୍ଗୋପସାଗରେ ଘଣ୍ଟା ପିଛା ପବନର ଗତି ୩୦ରୁ ୪୦ କିମି ପବନ ବହିପାରେ। ୨୨ରେ ଏହା କ୍ରମଶଃ ବଢ଼ି ଘଣ୍ଟାପିଛା ୪୦ରୁ ୫୦ ଓ ୨୩ରେ ୪୫ରୁ ୫୫କିମି ପବନ ବହିବାର ଆଶା କରାଯାଉଛି। ଏହାକୁ ଦେଖି ଆମେ ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କତା ସୂଚନା ଜାରି କରାଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ଦକ୍ଷିଣ ବଙ୍ଗୋପସାଗର, ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଅଛନ୍ତି, ସେମାନେ ଉପକୂଳକୁ ଅକ୍ଟୋବର ୨୧ ତାରିଖ ସୁଦ୍ଧା ଫେରି ଆସନ୍ତୁ। ଏହା ସହିତ ମତ୍ସ୍ୟଜୀବୀମାନେ ୨୧ ତାରିଖ ପାଖରୁ ଦକ୍ଷିଣ ବଙ୍ଗୋପସାଗର ଓ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗରକୁ ପ୍ରବେଶ କରିବା ଉଚିତ ନୁହେଁ। କାରଣ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ଯାହା ଦ୍ବାରା ମତ୍ସ୍ୟଜୀବୀଙ୍କ ପାଇଁ ସମୁଦ୍ର ଭିତରକୁ ପ୍ରବେଶ କରିବା ଉପକୂଳ ହେବ ନାହିଁ।
ବାତ୍ୟା ନେଇ ଆମେ କୌଣସି ଚେତାବନୀ ଜାରି କରିନାହୁଁ। ଲଘୁଚାପ ସୃଷ୍ଟି ହେଲା ପରେ ପରବର୍ତ୍ତୀ ସୂଚନା ଜାରି କରାଯିବ। ବର୍ତ୍ତମାନ ପାଇଁ ତାମିଲନାଡୁ, ପଡୁଚେରୀ ଓ ଆନ୍ଧ୍ରପ୍ରଦେଶ ପାଇଁ ଚେତାବନୀ ଜାରି କରାଯାଇଛି। ଓଡ଼ିଶା ପାଇଁ ସେମିତ ପାଣିପାଗ ସତର୍କତାମୂଳକ ସୂଚନା ଜାରି କରାଯାଇ ନାହିଁ।
IMD | imd bhubaneswar | Rain in Odisha