Photograph: (Entrepreneur)
ଭୁବନେଶ୍ବର: ପୂର୍ବ ସରକାରରେ ଅଣଓଡ଼ିଆ ଠିକାଦାରଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ ଅଭିଯୋଗକୁ ବିଜେପି ବିରୋଧ କରୁଥିଲା। ହେଲେ ରାଜ୍ୟରେ ଶାସନକୁ ଆସିବାର ଦେଢ଼ବର୍ଷ ପରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ଖିଲାପି ଅଣଓଡ଼ିଆ ଠିକାଦାରଙ୍କୁ ସୁରକ୍ଷା ଦେବାର ନଜିର ବଢ଼ିବାରେ ଲାଗିଛି। ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ଲାର୍ସେନ୍ ଆଣ୍ଡ ଟ୍ୟୁବ୍ରୋ (ଏଲ୍ଆଣ୍ଡଟି)କୁ ଉଦାହରଣ ଭାବେ ନେଲେ ଯେ କେହି ସହଜରେ ଏ ଅଭିଯୋଗ ପଛର ବାସ୍ତବତା ବୁଝିପାରିବେ।
Yogi Adityanath: ଉତ୍ତର ପ୍ରଦେଶରେ ବିକାଶ ହେଉଛି, ଶ୍ବାସରୁଦ୍ଧ ନୁହେଁ: ଯୋଗୀ
ସ୍ମରଣରେ ଥିବ, ୨୦୨୨ରେ ପୂର୍ତ୍ତ ବିଭାଗ ମୁଖ୍ୟାଳୟ ‘ନିର୍ମାଣ ସୌଧ’ରେ ତାଲା ପକାଇ ଏଲ୍ଆଣ୍ଡଟି ସରକାରଙ୍କଠାରୁ ସୁଧ ସହ ପାଖାପାଖି ୧୨୦ କୋଟି ଟଙ୍କାର ଅତିରିକ୍ତ ବିଲ୍ ଅସୁଲ କରିଥିଲା। ଅଥଚ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜର ଭିତ୍ତିଭୂମି ସମ୍ପ୍ରସାରଣ ଠିକା ନେଇଥିବା ଏଲ୍ଆଣ୍ଡଟି ଏବଂ ଏନ୍ସିସି କାମ ବିଳମ୍ବ କରିବାରୁ ୨୦୨୫ ସେପ୍ଟେମ୍ବରରୁ ଉଭୟ ସଂସ୍ଥାଙ୍କୁ ଯଥାକ୍ରମେ ୬୦ କୋଟି ଓ ୮୬ କୋଟି ଟଙ୍କା ଜରିମାନା ନୋଟିସ୍ ଦିଆଯାଇଥିଲେ ହେଁ ତାହା ଅସୁଲ ହେଲା କି ନାହିଁ, ସେ ନେଇ ସରକାର ମୁହଁ ଖୋଲୁନାହାନ୍ତି। ୨୦୨୦ରୁ ୪,୪୦୦ କୋଟି ଟଙ୍କାରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଏଯାଏଁ ସରୁନାହିଁ। କେବଳ ଏତିକି ନୁହେଁ, ୨୦୨୪ରେ ସରକାର କ୍ଷମତାକୁ ଆସିବା ପରଠାରୁ ଅଣଓଡ଼ିଆ ଠିକାଦାରମାନେ ଆକଳନଠାରୁ ଯଥେଷ୍ଟ ଅଧିକ ମୂଲ୍ୟରେ କାର୍ଯ୍ୟାଦେଶ ପାଇଛନ୍ତି। ଅଧିକାଂଶ ପ୍ରକଳ୍ପରେ ଆଖିବୁଜା ଡେଭିଏସନ୍ କରି ଚୁକ୍ତି ମୂଲ୍ୟଠାରୁ ଦେଢ଼ରୁ ଦୁଇଗୁଣା ଅଧିକ ବିଲ୍ ନେଇଛନ୍ତି। ସର୍ବୋପରି ଅନେକ ପ୍ରକଳ୍ପକୁ ଅଧପନ୍ତରିଆ ରଖି ପ୍ରକଳ୍ପ ମୂଲର ୬୦ରୁ ୭୦% ବିଲ୍ ଉଠାଇବା ଭଳି ବିଭିନ୍ନ ଅନିୟମିତତାରେ ପୂର୍ଣ୍ଣଚ୍ଛେଦ ପଡ଼ିପାରିନାହିଁ।
ପୂର୍ବ ସରକାର ସମୟରୁ ଏହି ଧାରା ଅବ୍ୟାହତ ରହିଛି। ସେବେ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ନିଶ୍ଚିତ ଲକ୍ଷ୍ୟରେ ୨୦୭ଟି ମେଗା ପାଇପ୍ ଜଳ ପ୍ରକଳ୍ପ ପାଇଁ ୩୫ ହଜାର ୨୫୦ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। ବାହ୍ୟ (ଆଉଟ୍ସୋର୍ସିଂ) ସଂସ୍ଥାଙ୍କ ଦ୍ବାରା କରାଯାଇଥିବା ଆକଳନରେ ପ୍ରକଳ୍ପ ମୂଲ୍ୟକୁ ମନଇଚ୍ଛା ବଢ଼ାଯିବା ସହ ଓଡ଼ିଆ ଠିକାଦାରଙ୍କୁ ସେଥିରୁ ବଞ୍ଚିତ କରିବା ଉଦ୍ଦେଶ୍ୟରେ ଟେଣ୍ଡର ସର୍ତ୍ତକୁ ଜଟିଳ କରାଯାଇଥିଲା। ଫଳରେ ରାଜ୍ୟର ଗୋଟିଏ, ଦୁଇଟି ଠିକା ସଂସ୍ଥା ମାତ୍ର ୧୦ ହଜାର କୋଟି ଟଙ୍କାର କାର୍ଯ୍ୟାଦେଶ ପାଇବାକୁ ସକ୍ଷମ ହୋଇଥିଲା ବେଳେ ଅବଶିଷ୍ଟ ୨୫ ହଜାର କୋଟି ଟଙ୍କାର କାର୍ଯ୍ୟାଦେଶ ପାଇଥିଲେ ବାହାର ରାଜ୍ୟର ଠିକା ସଂସ୍ଥା। ୨୦୧୮-୧୯ରୁ କାର୍ଯ୍ୟାଦେଶ ପାଇଥିବା ଏସବୁ ଠିକା ସଂସ୍ଥା ୨୦୨୪ ସୁଦ୍ଧା ମାତ୍ର ୨୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛନ୍ତି ଏବଂ ୧୮୦ଟି ପ୍ରକଳ୍ପ ଅଧପନ୍ତରିଆ ରହିଛି। ସେଥିରୁ ମେଗା ପାଇପ୍ ଜଳ ପ୍ରକଳ୍ପ ନିର୍ମାଣ ବାବଦରେ ଏଲ୍ଆଣ୍ଡଟି ହାତେଇଥିଲା ୮,୯୮୬ କୋଟି ୫୩ ଲକ୍ଷ ଟଙ୍କାର ୩୬ଟି ପ୍ରକଳ୍ପ। ଭୋଗରାଇ, ଏରସମା, ସଇଁତଳା, ଲଖନପୁର ଓ ଝୁମ୍ପୁରାକୁ ମିଶାଇ ୫ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ବାକି ୩୧ଟି ଅସମ୍ପୂର୍ଣ୍ଣ। ଏହା ସତ୍ତ୍ବେ ଏହି ଠିକା ସଂସ୍ଥା ଅଗ୍ରିମ ଅବା ରନିଂ ବିଲ୍ ନାମରେ ଉଠାଇ ନେଇଛି ୫,୯୬୨ କୋଟି ୧୪ ଲକ୍ଷ ଟଙ୍କା। ଏ ତଥ୍ୟ ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରଖି ଅନିୟମିତତା ପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଥିଲେ। ଖିଲାପି ଠିକା ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଘୋଷଣା ମଧ୍ୟ କରିଥିଲେ। ଇତିମଧ୍ୟରେ ବର୍ଷେରୁ ଅଧିକ କାଳ ଅତିକ୍ରାନ୍ତ ହୋଇଛି। କୌଣସି କାର୍ଯ୍ୟାନୁଷ୍ଠାନ ନଜରକୁ ଆସି ନାହିଁ। ବରଂ, ଏଲ୍ଆଣ୍ଡଟି ସମେତ ବାହାର ରାଜ୍ୟର ଏଭଳି ଖିଲାପି ସଂସ୍ଥାଙ୍କୁ ଏ ସରକାର ମଧ୍ୟ ବଡ଼ବଡ଼ ପ୍ରକଳ୍ପର କାର୍ଯ୍ୟାଦେଶ ଦେଉଥିବା ଦେଖାଯାଇଛି।
Jharigaon Cremation : ବଦଳିବ ଝରିଗାଁ ଶ୍ୱଶାନର ରୂପରେଖା ସମସ୍ତଙ୍କ ସହଯୋଗରେ ଚାଲିଛି ଉନ୍ନତିକରଣ
ଏସ୍ସିବି ମେଡିକାଲ୍ ସମ୍ପ୍ରସାରଣ କାର୍ଯ୍ୟକୁ ବିଳମ୍ବିତ କରି ଚାଲିଥିବା ଏଲ୍ଆଣ୍ଡଟିକୁ ଯାଜପୁର, ପୁରୀ, ବାଲେଶ୍ବର ଓ ବାରିପଦା (ମୟୂରଭଞ୍ଜ)ରେ ସ୍ଥାପିତ ମେଡିକାଲ୍ କଲେଜ ନିର୍ମାଣ ମଧ୍ୟ ଚଢ଼ା ଦରରେ ଦିଆଯାଇଥିଲା। ଉଲ୍ଲେଖଥାଉକି, ଦେଶରେ ଡାକ୍ତରଙ୍କ ଅଭାବ ପୂରଣ ଲକ୍ଷ୍ୟରେ ଜିଲ୍ଲା ମହକୁମା ହସ୍ପିଟାଲକୁ ମେଡିକାଲ୍ କଲେଜରେ ରୂପାନ୍ତର ଲାଗି ୨୦୧୯ରେ ନରେନ୍ଦ୍ର ମୋଦୀ ସରକାର ନୀତିଗତ ଯୋଜନା ପ୍ରଣୟନ କରିଥିଲେ। ତଦନୁଯାୟୀ ସ୍ଥାନ ବିଶେଷରେ ଏଭଳି ମେଡିକାଲ୍ କଲେଜ ସ୍ଥାପନ ଲାଗି ଆକଳନ ମୂଲ୍ୟ ୧୮୯ କୋଟିରୁ ୨୫୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। ସ୍ବତନ୍ତ୍ର ପାହ୍ୟା ରାଜ୍ୟଙ୍କୁ ପ୍ରକଳ୍ପ ମୂଲ୍ୟର ୯୦% ଓ ଅନ୍ୟାନ୍ୟ ରାଜ୍ୟକୁ ୬୦% ଅନୁଦାନ ଦେବାକୁ ନୀତି ନିର୍ଦ୍ଧାରଣ କରିଥିଲେ କେନ୍ଦ୍ର ସରକାର। ନିର୍ଦ୍ଧାରିତ ରାଶିରେ ଓଡ଼ିଶାର ଅନ୍ୟ କେତେକ ମେଡିକାଲ୍ କଲେଜ ସ୍ଥାପିତ ହୋଇଛି।
ମାତ୍ର ଯାଜପୁରସ୍ଥିତ ଯଯାତିକେଶରୀ ମେଡିକାଲ୍ କଲେଜ ନିର୍ମାଣ ଠିକା ନେଇଥିବା ଏଲ୍ଆଣ୍ଡଟି ଉଠାଇଛି ୫୨୬ କୋଟି ଟଙ୍କାର ବିଲ୍; ଯଦିଓ ଏହାର ମୂଳ ଆକଳନ ଥିଲା ୩୨୬ କୋଟି। ଡିଏମ୍ଏଫ୍ ଓ ଅନ୍ୟାନ୍ୟ ସୂତ୍ରରୁ ଅର୍ଥ ଆଣି ସରକାର ଏହି ଠିକା ସଂସ୍ଥାକୁ ଅଧିକ ୨୦୦ କୋଟି ଟଙ୍କାର ବିଲ୍ ପ୍ରଦାନ କରିଛନ୍ତି। ସେହିପରି ପୁରୀ, ବାଲେଶ୍ବର ଓ ମୟୂରଭଞ୍ଜରେ ସରକାରୀ ମେଡିକାଲ୍ କଲେଜ କୋଠା ନିର୍ମାଣ ପାଇଁ ୬୮୫ କୋଟି ୮୮ ଲକ୍ଷ ଟଙ୍କା ମୂଲ୍ୟରେ ଟେଣ୍ଡର ଚୁକ୍ତି କରିଥିବା ଏହି ଠିକା ସଂସ୍ଥା ଚୂଡ଼ାନ୍ତ ବିଲ୍ କେତେ ଉଠାଇଲା, ସେ ତଥ୍ୟ ଦେବାକୁ ଅଧିକାରୀ ଏବେ କୁନ୍ଥକୁନ୍ଥ। ଏମିତିରେ ବି ମେଡିକାଲ୍ କଲେଜ କୋଠା ନିର୍ମାଣର ନକ୍ସା, ଡିଜାଇନ୍, ଅଟକଳ ସମେତ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରିବାକୁ ସରକାର ଏହି ସଂସ୍ଥାକୁ କ୍ଷମତା ଅର୍ପଣ କରିଥିଲେ, ଯାହା ତଦନ୍ତ ସାପେକ୍ଷ।
ତେବେ କେଉଁ ବାଧ୍ୟବାଧକତା ଲାଗି ନୂଆ ସରକାର ଏସବୁ ପ୍ରସଙ୍ଗରେ ନିରବ ରହୁଛନ୍ତି, ତାହା ବୁଝାପଡ଼ୁନାହିଁ। ସୁତରାଂ ସରକାରଙ୍କୁ ଲୋକେ ଧୀରେ ଧୀରେ ସନ୍ଦେହ କଲେଣି।
Follow Us