ଭୁବନେଶ୍ବର: ଗ୍ରୀଷ୍ମପ୍ରବାହ ଆରମ୍ଭ ହେବା କ୍ଷଣି ଓଡ଼ିଶାରେ ବନାଗ୍ନି ଏବେ ଉପରମୁହାଁ। ଦିନ କେତେଟା ମଧ୍ୟରେ ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ନିଆଁ ବ୍ୟାପିବାରେ ଲାଗିଛି। ଗୁରୁବାର ରାତି ୮ଟା ସୁଦ୍ଧା ରାଜ୍ୟର ୧,୫୦୧ଟି ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଛି। ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କୋରାପୁଟ, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ସମ୍ବଲପୁର ପରି ଜିଲ୍ଲାରେ ବନାଗ୍ନି ବ୍ୟାପକ ରୂପ ନେଇଛି। ନିୟନ୍ତ୍ରଣ କରିବାକୁ ବନ କର୍ମଚାରୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ମଧ୍ୟ ସଫଳତା ମିଳିପାରି ନାହିଁ।
ସଂପ୍ରତି ରାଜ୍ୟର ୧୪୫ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ରହିଛି, ଯାହାକି ଅନ୍ୟ ରାଜ୍ୟ ତୁଳନାରେ ଢେର ଅଧିକ। ଓଡ଼ିଶା ତଳକୁ ତେଲେଙ୍ଗାନାରେ ୫୨, ଆନ୍ଧ୍ରପ୍ରଦେଶରେ ୪୨, ପଶ୍ଚିମବଙ୍ଗରେ ୩୩, ମହାରାଷ୍ଟ୍ରରେ ୩୨, ମିଜୋରାମରେ ୩୦ଟି ବଡ଼ଧରଣର ବନାଗ୍ନି ସାମନାକୁ ଆସିଛି। ଓଡ଼ିଶାର ଆନନ୍ଦପୁର, ଘଟଗାଁ, ତେଲକୋଇ, ସାତକୋଶିଆ, ତାଳଚେର, ବୌଦ୍ଧର ପୁରୁଣା କଟକ, ନୂଆପଡ଼ା, କଣ୍ଟାବାଞ୍ଜି, ବାଲୁଗାଁ, ହେମଗିର, ହିନ୍ଦୋଳ, ଗୁଡ଼ାରି, ପାଲଲହଡ଼ା, ସିନାପାଲି, ଦେବଗଡ଼, ବଲାଙ୍ଗୀର, ଦଶପଲ୍ଲା, ଆଠମଲ୍ଲିକ, ବେତନଟୀ ଆଦି ଅଞ୍ଚଳରେ ଜଙ୍ଗଲ ନିଆଁର ପ୍ରକୋପ ଅଧିକ ରହୁଛି। ସେଗୁଡ଼ିକୁ ଲିଭାଇବାକୁ ବନ ବିଭାଗ ସେତେଟା ସଫଳତା ପାଇପାରି ନଥିବା ଜଣାପଡ଼ିଛି। ୨୦୨୬ର ପ୍ରଥମ ଦୁଇ ମାସରେ ନିୟନ୍ତ୍ରଣ ଭିତରେ ଥିବା ଓଡ଼ିଶାର ବନାଗ୍ନି ଏବେ ଦେଶରେ ଶୀର୍ଷ ସ୍ଥାନ ଛୁଇଁଛି। ଜାନୁଆରି ୧ରୁ ମାର୍ଚ୍ଚ ୨ ମଧ୍ୟରେ ରାଜ୍ୟରେ ୨,୫୭୧ଟି ବନାଗ୍ନି ରହିଥିଲା। ଗତ ତିନି ଦିନ ମଧ୍ୟରେ ବ୍ୟାପକ ଜଙ୍ଗଲରେ ନିଆଁ ଲାଗିବାରୁ ସମସ୍ୟା ଜଟିଳ ହୋଇଛି। ଏବେ ସୁଦ୍ଧା ଓଡ଼ିଶାରେ ୬,୦୯୩ଟି ବନାଗ୍ନି ପଞ୍ଜୀକୃତ ହୋଇଛି। ଓଡ଼ିଶା ତଳକୁ ଆନ୍ଧ୍ରପ୍ରଦେଶରେ ୪,୫୨୭, କର୍ଣ୍ଣାଟକରେ ୪,୩୨୩, ମହାରାଷ୍ଟ୍ରରେ ୩,୮୫୩ ଓ ଅରୁଣାଚଳ ପ୍ରଦେଶରେ ୩,୫୬୩ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍ଏସ୍ଆଇ) ସୂଚନା ଦେଇଛି।
Fire: ଲୋକାୟୁକ୍ତ କାର୍ଯ୍ୟାଳୟରେ ନିଆଁ: ଜଳିଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
ବନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ମାର୍ଚ୍ଚ ୨ ମଧ୍ୟରେ ରାଜ୍ୟରେ ୨,୫୭୧ଟି ବନାଗ୍ନି ରହିଥିଲା। ସେଥିମଧ୍ୟରୁ ଜଙ୍ଗଲ ଭିତରେ ୨,୩୫୧ଟି ଓ ବାହାରେ ୨୨୦ଟି ବନାଗ୍ନି ଚିହ୍ନଟ ହୋଇଥିଲା। ଏହାପରେ ଏଫ୍ଏସ୍ଆଇ ତଥ୍ୟ ଅପ୍ଡେଟ୍ ହୋଇ ନାହିଁ। ତେବେ ବନାଗ୍ନି ମୁକାବିଲାରେ ଜଙ୍ଗଲ ବିଭାଗକୁ ସଫଳତା ମିଳିଛି। ଜଙ୍ଗଲ ଭିତରେ ୯୯.୯୧% ବନାଗ୍ନି ପ୍ରଶମିତ ହୋଇଥିବା ବେଳେ ଜଙ୍ଗଲ ବାହାରେ ସଫଳତା ହାର ୯୯.୦୯% ରହିଛି। ଏହି ସମୟ ମଧ୍ୟରେ ୪୭୬ଟି ବଡ଼ଧରଣର ବନାଗ୍ନିକୁ ରୋକିବାରେ ଶତପ୍ରତିଶତ ସଫଳତା ମିଳିଛି। ମୋଟ ଉପରେ ଦେଖିଲେ ୯୯.୮୪% ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇଛି। କୋରାପୁଟ ସର୍କଲର ନବରଙ୍ଗପୁର ଡିଭିଜନ୍, ବାରିପଦା ସର୍କଲର ବାରିପଦା ଡିଭିଜନ, ରାଉରକେଲା ସର୍କଲର କେନ୍ଦୁଝର ଡିଭିଜନ୍, ଅନୁଗୁଳ ସର୍କଲର ଢେଙ୍କାନାଳ ଡିଭିଜନ୍ରେ ଶତାଧିକ ବନାଗ୍ନି ସାମନାକୁ ଆସିଥିଲା। ନବରଙ୍ଗପୁର ଡିଭିଜନ୍ରେ ୭୨୨ଟି ବନାଗ୍ନି ପଏଣ୍ଟ ଚିହ୍ନଟ ହୋଇଥିବାରୁ ତାହାକୁ ରୋକିବା ଦିଗରେ ପଦକ୍ଷେପ ନିଆଯାଉଥିବା ଅଧିକାରୀ ଜଣକ କହିଛନ୍ତି।
Follow Us