ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ତିନି ଚାରି ବର୍ଷ ହେଲା ମାଓବାଦୀଙ୍କ ପତିଆରା ନଥିଲେ ମଧ୍ୟ ପୁଲିସ, ବିଏସ୍ଏଫ୍ ଏବଂ ଗୁଇନ୍ଦା ଦିନରାତି ଏକ କରି ସୁରକ୍ଷାକୁ କଡାକଡି କରୁଛନ୍ତି। ଛତିଶଗଡରେ ପୁଲିସର ଘନ ଘନ ଚଢାଉ ଏବଂ ମାଓ ଦମନରେ ସଫଳତା ଯୋଗୁଁ ନକ୍ସଲ ଏବେ ପୁଣି ଓଡିଶା ମୁହାଁ ହେଲେଣି। ଗତ ୨୨ ତାରିଖରେ ହୋଇଥିବା ଏନକାଉଣ୍ଟର ଏହାର ଉଦାହରଣ।ମାଲକାନଗିରି ଜଂଗଲରେ ପୁଣି ନକ୍ସଲ ପଶିଛନ୍ତି।କାଲିମେଳା ଏବଂ ଚିତ୍ରକୋଣ୍ଡା ଅଂଚଳରେ ନକ୍ସଲ ଏବେ ଘୁରି ବୁଲୁଛନ୍ତି। ଲୁଚିବା ପାଇଁ ସ୍ଥାନ ଖୋଜୁଛନ୍ତି।
ଏହି ଖବର ପଢ଼ନ୍ତୁ: ନକ୍ସଲଙ୍କ ଯୋଗୁଁ ଗାଁ ଛାଡ଼ିଥିଲେ ଗ୍ରାମବାସୀ
ତେବେ ଏମାନଙ୍କର ନେତା ଉଦୟ ମଧ୍ୟ ସାଥିରେ ରହିଛି। ଛତିଶଗଡ଼ରେ ମାଓ ନେତା ଉଦୟ ସୁରକ୍ଷିତ ନଥିବା ଜାଣିବା ପରେ ପୁଣି ସେ ମାଲକାନଗିରି ଫେରିଆସିଛି। ଉଦୟ ହେଉଛି ସେଣ୍ଟ୍ରାଲ କମିଟି ମେମ୍ବର। ସରକାର ତାଂକ ଉପରେ ଦେଢ଼କୋଟିରୁ ଊର୍ଦ୍ଧ୍ବ ଟଂକାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଦୀର୍ଘ ଦିନ ଧରି ଆନ୍ଧ୍ର-ଓଡ଼ିଶା ସୀମା ଡିଭିଜନରେ ସେ ନିଜର ପତିଆରା ଜମାଇଥିଲା। ଚିତ୍ରକୋଣ୍ଡା ଅଂଚଳରେ ଉଦୟର ଦବଦବା ରହିଥିଲା। ପୁଣି ସେ ଫେରିଛି। କିନ୍ତୁ ଚିତ୍ରକୋଣ୍ଡାରେ ବିଏସ୍ଏଫ୍ ଏବଂ ପୁଲିସର ଘନଘନ ଚଢାଉରେ ସେ ଛତିଶଗଡ଼ର ବିଜାପୁର ଅଂଚଳକୁ ଚାଲିଯାଇଥିଲା। କିନ୍ତୁ ଏବେ ବିଜାପୁର, ନାରାୟଣପୁର,ଦନ୍ତେୱାଡ଼ାର ଆଭ୍ୟନ୍ତରୀଣ ଅଂଚଳରେ ପୁଲିସ କ୍ୟାମ୍ପ ଖୋଲିବାରୁ ପୁଣି ସେ ମାଲାକନଗିରି ମୁହାଁ ହୋଇଛି।
ତେବେ ଉଦୟ ପାଇଁ ଯମ ହୋଇ ଆସିଛନ୍ତି ଅପରେସନ ଡିଆଇଜି ଅଖଲେଶ ସିଂ। ଡିଆଇଡି ଶ୍ରୀ ସିଂ ମାଲାକନଗିରିରେ ରହି ଉଦୟର ଗତିବିଧି ଉପରେ ନଜର ରଖୁଛନ୍ତି। ଜିଲ୍ଲାର ସମସ୍ତ ବଣ ପାହାଡ ସଂପର୍କରେ ଶ୍ରୀ ସିଂଙ୍କର ବିସ୍ତୃତ ଅଭିଜ୍ଞତା ରହିଛି।ଅପରେସନ ଉଦୟ ନାମରେ ଏବେ କୁମ୍ବିଂ ଜୋରଦାର ହେଉଛି। ଉଦୟର ଶେଷ ସମୟ ଆସିଯାଇଥିବା କୁହାଯାଇଛି। ଉଦୟ ଆତ୍ମସମର୍ପଣ କଲେ ବଞ୍ଚିଯିବ ନଚେତ ମୃତ୍ୟୁ ଥୟ ବୋଲି କୁହାଯାଉଛି। ଉଦୟ ସହ ୧୦ରୁ ଊର୍ଦ୍ଧ୍ବ ସାଥୀ ତାଂକ ସହ ସୁରକ୍ଷା ଦାୟୀତ୍ବରେ ରହିଛନ୍ତି। ମେଡ଼ାଗୁଡ଼ା ଏନକାଉଣ୍ଟରରେ ଉଦୟ ଉପସ୍ଥିତ ଥିଲା। କିନ୍ତୁ ଭାଗ୍ୟବସତଃ ସେ ଏହି ଗୁଳିବିନିମୟରେ ଅଳ୍ପକେ ବର୍ତ୍ତି ଯାଇଥିବା କୁହାଯାଇଛି।
ଏହି ଖବର ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ
ଜିଲ୍ଲାର ଏସ୍ଓଜି ଏବଂ ଡିଭିଏଫ୍ ଯବାନ ଏବେ ଜଂଗଲରେ ଉଦୟ ଏବଂ ତାଂକ ଟିମକୁ ଖୋଜିବାରେ ଲାଗିଛନ୍ତି। ଆସନ୍ତାକାଲି ସୁକମାରେ ନକ୍ସଲ ବନ୍ଦ ପାଳନ ପାଇଁ ଆହ୍ବାନ ଦେଇଛନ୍ତି। କାରଣ ଭେଜ୍ଜିରେ ହୋଇଥିବା ଏନକାଉଣ୍ଟରକୁ ନିନ୍ଦା କରି ଏଭଳି ପଦକ୍ଷେପ ନେଇଛନ୍ତି। ଏହାକୁ ନଜରରେ ରଖି ଗୁଇନ୍ଦା ବିଭାଗ ମଧ୍ୟ ସଜାଗ ହୋଇଯାଇଛି। ନକ୍ସଲଙ୍କ ସମସ୍ତ ଗତିବିଧି ଉପରେ ନଜର ରଖିବା ସହ ସେଣ୍ଟ୍ରାଲ କମିଟି ମେମ୍ବର ଉଦୟ ସଂପର୍କରେ ମଧ୍ୟ ଟିକିନିଖି ଖବର ନିଆଯାଉଥିବା ଜଣାପଡିଛି।
ଏହି ଖବର ପଢ଼ନ୍ତୁ: ଚିନ୍ମୟ ଦାସଙ୍କ ଗିରଫଦାରୀକୁ ହସିନାଙ୍କ ନିନ୍ଦା
ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳରେ ପୁଣି ନକ୍ସଲ ପଶିଲେ, ଯାହାକୁ ନେଇ ଅଂଚଳବାସୀ ଚିନ୍ତାରେ।ମାଓନେତା ଉଦୟର ମୃତ୍ୟୁ ପରେ ସଂଗଠନ ସଂପୂର୍ଣ୍ଣ ଦୁର୍ବଳ ହୋଇପଡିବ। ତେଣୁ ପୁଲିସ ଏବେ ଉଦୟକୁ ଖୋଜୁଛି।ଉଦୟକୁ ମାରିବା ପାଇଁ ଚାରିପଟରୁ ଆକ୍ରମଣ ଆରମ୍ଭ ହୋଇଛି।ଚାରୋଟି ରାଜ୍ୟର ପୁଲିସ ମଧ୍ୟଏବେ ଉଦୟ ପଛରେ ପଡିଛନ୍ତି। କେଉଁଠି ନା କେଉଁଠି ଉଦୟ ନିଶ୍ଚିତ ମରିବ ବୋଲି କୁହାଯାଇଛି। ତେଣୁ ଉଦୟର ଏବେ ଶେଷ ରାସ୍ତା ହେଉଛି ଆତ୍ମସମର୍ପଣ।ଯାହାକୁ ପୁଲିସ ବି ସ୍ବାଗତ କରିବ।
ଏହି ଖବର ପଢ଼ନ୍ତୁ: ପକ୍ଷୀ ପ୍ରେମ ଓ ସମାଜସେବା ସତ୍ୟଙ୍କ ବ୍ରତ