Opposition attacks government: ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ: ଧାନ କ୍ବିଣ୍ଟାଲ ପିଛା ୩୧୬୯ ଦିଅ

ପୂର୍ବ ବର୍ଷ ଭାରତ ସରକାର ଧାନର ଏମ୍‌ଏସ୍‌ପି କ୍ବିଣ୍ଟାଲ ପିଛା ୨୩୦୦ ଟଙ୍କା ଦେଉଥିଲେ। ରାଜ୍ୟ ସରକାର ଇନ୍‌ପୁଟ୍‌ ସହାୟତା ବାବଦକୁ ୮୦୦ ଟଙ୍କା ଦେଉଥିଲେ। ତେଣୁ ଚାଷୀ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ପାଉଥିଲେ।

assembly

ଭୁବନେଶ୍ବର: ପୂର୍ବ ବର୍ଷ ଭାରତ ସରକାର ଧାନର ଏମ୍‌ଏସ୍‌ପି କ୍ବିଣ୍ଟାଲ ପିଛା ୨୩୦୦ ଟଙ୍କା ଦେଉଥିଲେ। ରାଜ୍ୟ ସରକାର ଇନ୍‌ପୁଟ୍‌ ସହାୟତା ବାବଦକୁ ୮୦୦ ଟଙ୍କା ଦେଉଥିଲେ। ତେଣୁ ଚାଷୀ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ପାଉଥିଲେ। ଏଥର କେନ୍ଦ୍ର ସରକାର ଏମ୍‌ଏସ୍‌ପି ବୃଦ୍ଧି କରି ୨୩୬୯ ଟଙ୍କା କରିଛନ୍ତି। ତେଣୁ ଇନ୍‌ପୁଟ୍‌ ସବ୍‌ସିଡି ୮୦୦ ଟଙ୍କା ମିଶାଇଲେ ଓଡ଼ିଶାର ଚାଷୀ ୩୧୬୯ ଟଙ୍କା ପାଇବା କଥା। କିନ୍ତୁ ରାଜ୍ୟ ସରକାର ୩୧୦୦ ଟଙ୍କା ଦେଉଛନ୍ତି। ଆଉ ୬୯ ଟଙ୍କା ଯାଉଛି କୁଆଡ଼େ। ଆଜି ବିଧାନସଭାରେ ସରକାରଙ୍କୁ ଏମିତି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ। ଯଦି ୩୧୬୯ ଟଙ୍କା ଦିଆଯିବନି, ତେବେ ଇନ୍‌ପୁଟ୍‌ ସବ୍‌ସିଡି ୮୦୦ ନୁହେଁ, ୭୩୧ ଟଙ୍କା ବୋଲି ସରକାର ସ୍ପଷ୍ଟ କରିବାକୁ ସେମାନେ ଦାବି କରିଥିଲେ। 

Child Marriage: କାଲିଠୁ ଠାରୁ ଆରମ୍ଭ ହେବ ୧୦୦ ଦିନିଆ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ

‘ବ୍ୟାପକ ଅବ୍ୟବସ୍ଥା ଭିତରେ ରାଜ୍ୟରେ ଚାଲୁଛି ମଣ୍ଡି ଓ ଧାନ କିଣା ପ୍ରକ୍ରିୟାରେ ତ୍ରୁଟି ଯୋଗୁ ଚାଷୀ କ୍ଷତିଗ୍ରସ୍ତ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ସାଧାରଣତଃ ନଭେମ୍ବର ମାସ ଆରମ୍ଭରୁ ଧାନ କିଣାଯାଏ। ଗୋଟିଏ ମାସ ବିଳମ୍ବ ହୋଇଥିଲେ ବି ଏ ଯାଏଁ ଧାନ ସଂଗ୍ରହ ହୋଇପାରିଲା ନାହିଁ। ଫଳରେ ଋଣ କରି ଚାଷ କରିଥିବା ଚାଷୀଟି ଅଧିକ ଦିନ ଧାନ ରଖିବା ସମ୍ଭବ ନୁହେଁ। ସେଥି ପାଇଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଭାବୀ ବିକ୍ରି ହେଉଛି। ସେହିପରି ସରକାର ପଞ୍ଜୀକରଣ ପ୍ରକ୍ରିୟାକୁ ଜଟିଳ କରିଥିବାରୁ ବରଗଡ଼ରେ ପ୍ରାୟ ୫ ହଜାର ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିପାରିନାହାନ୍ତି। ମିଲର୍‌ମାନେ ଏବେ ବି ବ୍ୟାଙ୍କ ଗ୍ୟାରେଣ୍ଟି ନଦଇନାହାନ୍ତି। ଯଦି ଚାଷୀ ପଞ୍ଜୀକରଣ ବଢ଼ିଛି ବୋଲି ସରକାର କହୁଛନ୍ତି, ତେବେ ଚାଷ ଜମିର ପରିମାଣ ବଢ଼ିଛି କି? ମିଲରଙ୍କ ପାଖରେ ଜାଗା ନଥିଲା ବୋଲି ଧାନ ଉଠାଇବାକୁ ମନା କରୁଥିଲେ। ପୁଣି ହଠାତ ଜାଗା ମିଳିଲା କେମିତି? ସରକାର ଷ୍ଟକ୍ ଯାଞ୍ଚ୍‌ କରିଛନ୍ତି କି? ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ଯଦି ଚାଷୀଙ୍କୁ ୩୧୬୯ ଟଙ୍କା ଦିଆନଯିବ, ତେବେ ବୁଝିବାକୁ ପଡ଼ିବ ଯେ ସରକାର ବର୍ଦ୍ଧିତ ୬୯ ଟଙ୍କାକୁ ହଡ଼ପ କରିନେଲେ। ଧାନକିଣା ବିଳମ୍ବ ଯୋଗୁ ପଶ୍ଚିମ ଓଡ଼ିଶାର ଯେଉଁ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି, ସେମାନଙ୍କୁ ସରକାର କ୍ଷତିପୂରଣ ଦେବେ କି? ଗତକାଲି ସୁଦ୍ଧା ପ୍ରାୟ କୌଣସି ମଣ୍ଡିରୁ ଧାନ ଉଠି ନାହିଁ। ପ୍ରଦୀପ ଦିଶାରୀ କହିଥିଲେ, ଧାନ ମଣ୍ଡିରେ ଦଲାଲଗିରି ଚାଲିଛି। ଧାନ କିଣା କେଉଁଠି ଆରମ୍ଭ ହୋଇ ନାହିଁ। 

Int'l Day of Persons with Disabilities: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

କଂଗ୍ରେସ ବିଧାୟକ ଅଶୋକ ଦାସ କହିଲେ, ସବୁ ମଣ୍ଡିରେ ଆନାଲାଇଜର୍‌ ମେସିନ୍ ନାହିଁ। ଫଳରେ ଧାନର ଏଫ୍‌ଏକ୍ୟୁ ମାନ ନିର୍ଦ୍ଧାରଣ ହୋଇପାରୁନି। ମନଇଚ୍ଛା କଟ୍‌ନି ଛଟ୍‌ନି ଚାଲିଛି। ବହୁ ସମୟରେ ଗାଡ଼ି ଓ ବସ୍ତାର ଅଭାବ ଯୋଗୁ ଟୋକନ୍ ଲାପ୍ସ ହେଉଛି। ରାଜ୍ୟ ସରକାର କ୍ବିଣ୍ଟାଲ ପିଛା ୩୧୬୯ ଟଙ୍କା ଦେବାର ବ୍ୟବସ୍ଥା କରନ୍ତୁ। କଂଗ୍ରେସ ସଭ୍ୟ ଦାଶରଥୀ ଗମାଙ୍ଗୋ ଆଲୋଚନାରେ ଭାଗ ନେଇଥିଲେ। ବିଜେପି ସଭ୍ୟମାନଙ୍କ ଯୁକ୍ତି ଥିଲା, ପୂର୍ବ ସରକାରରେ ମିଲରଙ୍କ ସହ ମିଶି ସରକାର ଚାଷୀଙ୍କୁ ହଇରାଣ କରୁଥିଲେ। ଏ ସରକାରରେ କଟ୍‌ନିଛଟ୍‌ନି କମିଛି। ବିଜେଡି ଚାଷୀଙ୍କୁ ଆଗରେ ରଖି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି। ପୂର୍ବ ସରକାର ସମୟରେ ଚାଲିଥିବା ଦଲାଲରାଜ ବନ୍ଦ ହୋଇଛି। ବିଜେପି ସରକାର ତାଙ୍କ କଥା ରଖି ଚାଷୀଙ୍କୁ ୮୦୦ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି ଦିଆଯାଇଛି। ଶାସକ ଦଳ ପକ୍ଷରୁ ଅଶ୍ବିନୀ ଷଡ଼ଙ୍ଗୀ, ସନତ ଗଡ଼ତିଆ, ଦୁର୍ଗାପ୍ରସନ୍ନ ନାୟକ ଓ ମାନସ ଦତ୍ତ ଆଲୋଚନାରେ ଭାଗ ନେଇଥିଲେ।

ଅଦିନିଆ ବର୍ଷା ଯୋଗୁ ଧାନ ସଂଗ୍ରହରେ ବିଳମ୍ବ ହୋଇଛି: ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ଅଦିନିଆ ବର୍ଷା ଯୋଗୁ ଧାନ ସଂଗ୍ରହ ପ୍ରକ୍ରିୟାରେ କିଛି ଦିନ ବିଳମ୍ବ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୯୪ ହଜାର ୫୬୯ଟି ଟୋକନ୍ ଚାଷୀମାନଙ୍କୁ ପ୍ରଦାନ କରାଯାଇଛି। ବରଗଡ଼, କଳାହାଣ୍ଡି ଓ ସମ୍ବଲପୁରରେ ୪୧୧୦ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇସାରିଲାଣି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଚଳିତ ଖରିଫ ଧାନ ସଂଗ୍ରହ ସମୟରେ ଯଦି ଚାଷୀ ଟୋକନ୍ ଅବଧି ଭିତରେ ଧାନ ବିକ୍ରି କରିବାରେ ଅସମର୍ଥ ହୁଅନ୍ତି, ତେବେ ଟୋକନ୍ ଅବଧିର ୧୫ ଦିନ ବୃଦ୍ଧି କରିବା ପାଇଁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। 

ଧାନ ସଂଗ୍ରହର ସାମଗ୍ରିକ ଧାର୍ଯ୍ୟ ଲକ୍ଷ୍ୟକୁ ସମୀକ୍ଷା ଓ ସଂଶୋଧନ କରିବା ନିମନ୍ତେ ଏକ ମନ୍ତ୍ରୀ ସ୍ତରୀୟ ସବ୍‌କମିଟି ଗଠିତ ହୋଇଛି। ଏହି କମିଟି ଚାଷୀମାନଙ୍କର ଧାନ ବିକ୍ରି ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ସମାଧାନ କରିବ। ଚଳିତ ଖରିଫ ଧାନ ବିକ୍ରି ପାଇଁ ସମୁଦାୟ ୧୯.୬୮ ଲକ୍ଷ ଚାଷୀ ପଞ୍ଜୀକରଣ କରିଛନ୍ତି। ୨୭୧୨ ପ୍ରାଥମିକ କୃଷି ସମବାୟ ସମିତି, ୧୯ଟି ଜିଲ୍ଲାରେ ୪୧୬ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୩ଟି ଜିଲ୍ଲାରେ ୬ଟି ପାଣି ପଞ୍ଚାୟତ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାରେ କଟ୍‌ନି ଛଟ୍‌ନିକୁ ପ୍ରତିହତ କରିବା ପାଇଁ ଧାନ କ୍ରୟ କେନ୍ଦ୍ରରେ ସମସ୍ତ ପ୍ରକାରର ମାନ ପରୀକ୍ଷଣ ଯନ୍ତ୍ର ପ୍ରଦାନ କରାଯାଇଛି। କ୍ଷୁଦ୍ର ଚାଷୀ ଓ ଭାଗ ଚାଷୀମାନଙ୍କ ଧାନକୁ ଅଗ୍ରାଧିକାର ଭିତ୍ତିରେ କ୍ରୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe