କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ: ୨ ମାଓବାଦୀଙ୍କ ମୁଣ୍ଡ ଗଡ଼ିଲା

କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଅଞ୍ଚଳ ଭାବେ ପରିଚିତ ବାଲିଗୁଡ଼ା ଥାନା ଅନ୍ତର୍ଗତ ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ଅଧୀନସ୍ଥ ବୁଡ଼ାଗୁଡ଼ା ଅଞ୍ଚଳରେ ସୋମବାର ଦିନତମାମ୍‌ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି...

Police-Maoist encounter in Kandhamal-Kalahandi border forest: 2 Maoists killed

Police-Maoist encounter in Kandhamal-Kalahandi border forest: 2 Maoists killed Photograph: (sambad.in)

ଫୁଲବାଣୀ: କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଅଞ୍ଚଳ ଭାବେ ପରିଚିତ ବାଲିଗୁଡ଼ା ଥାନା ଅନ୍ତର୍ଗତ ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ଅଧୀନସ୍ଥ ବୁଡ଼ାଗୁଡ଼ା ଅଞ୍ଚଳରେ ସୋମବାର ଦିନତମାମ୍‌ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ପୁଲିସ ଗୁଳିରେ ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓ କ୍ୟାଡର ନିହତ ହୋଇଛନ୍ତି। ଏହା ଫଳରେ ମାଓ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି।

ପୁଲିସ ଗୁଳିରେ ନିପାତ ହୋଇଥିବା ମାଓବାଦୀଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ମାଓ ନେତା ମଙ୍କୁ ଓ ଚନ୍ଦନ। ନିହତ ମଙ୍କୁ କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ ଗ୍ରୁପ୍‌ର ଏସିଏମ୍‌ କ୍ୟାଡର ହୋଇଥିବାବେଳେ ଚନ୍ଦନ ପାର୍ଟିର ଅନ୍ୟତମ ସଦସ୍ୟ ବୋଲି କନ୍ଧମାଳ ଏସ୍‌ପି ହରିଶ ବିସି ସୂଚନା ଦେଇଛନ୍ତି।

ଏହା ସହିତ ପୁଲିସ ମାଓ କ୍ୟାମ୍ପ୍ ଠାବ କରି ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି। ପୁଲିସ ଏହି ମାଓ ଶିବିରରୁ ଗୋଟିଏ ରାଇଫଲ, ଗୋଟିଏ ରିଭଲଭର, ଜୀବନ୍ତ ଗୁଳି, ୱାକିଟକି, ବ୍ୟାଟେରି ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି। ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ବାଲିଗୁଡ଼ା ଥାନା ଅନ୍ତର୍ଗତ ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ନିକଟରେ କିଛି ମାଓବାଦୀ ଲୁଚି ରହିଥିବା କଥା ଜିଲ୍ଲା ପୁଲିସ ଗୁପ୍ତ ସୂଚନା ପାଇଥିଲା। ଏହି ସୂଚନାକୁ ଆଧାର କରି କନ୍ଧମାଳ ଏସ୍‌ପି ହରିଶ ବିସିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ କାର୍ଯ୍ୟରତ ଡିଭିଏଫ୍‌ ଯବାନଙ୍କର ଏକ ଟିମ୍‌ ସମ୍ପୃକ୍ତ ଅଞ୍ଚଳରେ ମାଓ ଦମନ ଅଭିଯାନ ଆରମ୍ଭ କରିଥିଲେ। ସୋମବାର ଦିନ ୧୨ଟା ସମୟରେ ଡିଭିଏଫ୍‌ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ପ୍ରଥମେ ପୁଲିସ ଉପରେ ଆକ୍ରମଣ କରି ଗୁଳି ଚାଳନା କରିଥିଲେ।

ଏହାର ଜବାବରେ ପୁଲିସ ସେମାନଙ୍କ ଉପରକୁ ପାଲଟା ଗୁଳି ଚାଳନା କରିଥିଲା। ଫଳରେ ଘଟଣା ସ୍ଥଳରେ ଦୁର୍ଦ୍ଦାନ୍ତ ମାଓ କ୍ୟାଡର ମଙ୍କୁ ଓ ଚନ୍ଦନଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ମାଓବାଦୀମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଉଭୟ ମୃତ ମାଓବାଦୀଙ୍କ ମୃତଦେହକୁ ଜବତ କରିବା ସହ ସମ୍ପୃକ୍ତ ଅଞ୍ଚଳରେ ଅପରେସନକୁ ଜୋରଦାର କରିଛି। ରାଜ୍ୟ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଏହି ସଫଳତା ପାଇଁ କନ୍ଧମାଳ ଏସ୍‌ପି ହରିଶ ବିସି ଏବଂ ଡିଭିଏଫ୍‌ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ଗୋଟିଏ ପଟେ ଛତିଶଗଡ଼ରେ ପୁଲିସର ଜୋରଦାର ଆଣ୍ଟି ନକ୍ସଲ ଅପରେସନ ଚାଲିଥିବାରୁ ଛତିଶଗଡ଼ୀ ନକ୍ସଲମାନେ ପଡ଼ୋଶୀ ଓଡ଼ିଶା ଜଙ୍ଗଲକୁ ଚାଲି ଆସୁଛନ୍ତି।

ଏହି ଛତିଶଗଡ଼ୀ ନକ୍ସଲଙ୍କୁ କନ୍ଧମାଳର ଘଞ୍ଚ ଜଙ୍ଗଲ ବିଶେଷ ଭାବେ ସୁହାଇ ଆସୁଛି। ବର୍ତ୍ତମାନ ବର୍ଷା ଋତୁ ଚାଲିଥିବାବେଳେ ଏବଂ ଗତ ସପ୍ତାହ ଧରି ବର୍ଷା ଲାଗି ରହିଥିବାବେଳେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ଜାରି ରହିଛି। ବର୍ଷା ଯୋଗୁ ମାଓବାଦୀଙ୍କ କାର୍ଯ୍ୟକ୍ରମ ଘଞ୍ଚ ଜଙ୍ଗଲ ମଧ୍ୟରେ ଶିଥିଳ ପଡ଼ି ଯାଇଥିବାବେଳେ ପୁଲିସ ସେମାନଙ୍କ ଉପରେ ଭାରି ପଡ଼ିଛି। ସୋମବାରର ଏହି ଘଟଣା ପରେ ପୁଲିସର ମନୋବଳ ବୃଦ୍ଧି ପାଇଛି।

ଅଧିକ ପଢ଼ନ୍ତୁ:ଭେଣ୍ଡିଙ୍ଗ ଜୋନ୍ ଫ୍ରି ଶରଧାବାଲି: ରାମ୍ପ ଯୋଗୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ସହଜ

ଗୋଟିଏ ପଟେ କେକେବିଏନ୍‌ ମାଓ ଡିଭିଜନର ଟପ୍‌ ମାଓନେତା ଦସୁରୁଙ୍କର ନିଧନ ପରେ ତାଙ୍କର ପତ୍ନୀ ମମତା ଏବେ କନ୍ଧମାଳରେ ନେତୃତ୍ବ ନେଉଛି। କନ୍ଧମାଳ-କଳାହାଣ୍ଡି-ବୌଦ୍ଧ ଜିଲ୍ଲାର ଜଙ୍ଗଲରେ ଏବେ କେକେବିଏନ୍‌ ମାଓ ଡିଭିଜନ ସକ୍ରିୟ ରହିଛି। ଦସୁରୁଙ୍କର ନିଧନ ପରେ ମାଓ ନେତ୍ରୀ ମମତାଙ୍କ ନେତୃତ୍ବରେ କେକେବିଏନ୍‌ ମାଓ ଡିଭିଜନ ଏବେ ଚାରିଗୋଟି ପ୍ରମୁଖ ଏରିଆ କମିଟିରେ ବିଭକ୍ତ ହୋଇ ସେମାନଙ୍କ ନେଟୱର୍କକୁ ସଶକ୍ତ କରିବାକୁ ଉଦ୍ୟମ ଜାରି ରଖିଛି।

ଏସବୁ ଏରିଆ କମିଟି ହେଉଛି ବାଘନଦୀ ଏରିଆ କମିଟି, ରାହୁଲ ନଦୀ ଏରିଆ କମିଟି, କାଡାଙ୍ଗ ଏରିଆ କମିଟି ଏବଂ ମହାନଦୀ ଏରିଆ କମିଟି। ଏସବୁ ଏରିଆ କମିଟି ଏବେ କନ୍ଧମାଳ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ୟପଟେ କନ୍ଧମାଳ-ରାୟଗଡ଼ା ଓ କନ୍ଧମାଳ-ଗଜପତି ଜଙ୍ଗଲରେ ବିଜିଏନ୍‌ ମାଓ ଡିଭିଜନ ସକ୍ରିୟ ରହିଛି। ଟପ୍‌ ମାଓ ନେତା ନିଖିଲ ଓ ତାଙ୍କର ପତ୍ନୀ ଇନ୍ଦୁ ଏହି ଡିଭିଜନର ନେତୃତ୍ବ ନେଉଥିବା ଜଣାପଡ଼ିଛି।

 ଅଧିକ ପଢ଼ନ୍ତୁ:ଉପାନ୍ତ ଅଞ୍ଚଳରେ ୩୦ ବର୍ଷ ସେବା ଯୋଗାଇ ଅବସର ନେଲେ 

Kandhamal | Naxal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe