fir against pranab prakash das-bjd- Photograph: (sambad.in)
ଗଦାଧର ପଣ୍ଡା
ଯାଜପୁର: ରାଜ୍ୟବିଜେଡିର ଏକଦା ସଂଗଠନ ସଂପାଦକ ଥିବା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସ୍ଥିତି ଏବେ କ’ଣ? ଦଳରେ ସେ ଏବେ କେଉଁ ଭୂମିକାରେ? ଆଗଭଳି ତାଙ୍କ କଥା ରହୁଛି? ଦଳୀୟ ସଭାସମିତିରେ ସଂଜୟ ଦାସବର୍ମା, ପ୍ରତାପ ଜେନା ଓ ଦେବୀ ମିଶ୍ରଙ୍କ ଭଳି ନେତାଙ୍କୁ ସାଂଗଠନିକ କାର୍ଯ୍ୟକ୍ରମରେ ଆଗଧାଡ଼ିରେ ଦେଖିବାକୁ ମିଳୁଥିବା ବେଳେ ବବିଙ୍କୁ ପଛକୁ ଠେଲିଦିଆଯାଇଛି କି? ଏଭଳି ଦ୍ବନ୍ଦ୍ବ ଓ ନାନା ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ବାର୍ତ୍ତା ଯାଉଛି ଯେ ବବିଙ୍କୁ ଦଳ ଏବେ ଗୌଣ କରିଦେଇଛି। ପୂର୍ବଭଳି ଦଳର ସୁପ୍ରିମୋ ଆଉ ତାଙ୍କୁ ଲୋଡୁ ନାହାନ୍ତି। ତାଙ୍କୁ ନବୀନ ନିବାସରେ ସେତେ ଗୁରୁତ୍ବ ମିଳୁନି। ଏବେ ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ଏ ପ୍ରସଙ୍ଗଟି ଆଲୋଚନାକୁ ଆସିଛି। ଏହାକୁ ଦାନା ଦେବାକୁ ଯାଇ ବବିଙ୍କ ସମର୍ଥକମାନେ କିଛି କିଛି ମଂଜ କଥା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି। ଏପରିକି ଭାଇଙ୍କୁ ମିଳିଲା କ’ଣ ବୋଲି ଆଲୋଚନା ଆରମ୍ଭ ହୋଇଗଲାଣି। ବବିଙ୍କ ଜଣେ ଖାସ ଅନୁଗତ କରିଥିବା ଏକ ପୋଷ୍ଟ ମୁତାବକ ‘କିଛି ଭୁଲ ନିଷ୍ପତ୍ତିରୁ ଆମେ ସରକାରରୁ ଚାଲିଯାଇଥିଲୁ। ବର୍ତ୍ତମାନ ସେହିଭଳି ବାରମ୍ବାର ଭୁଲ ନିଷ୍ପତ୍ତି ନେବା ଫଳରେ ବୋଧେ ଦଳ ଚାଲିଯିବ ବୋଲି ସିଧାସଳଖ ଲେଖିଛନ୍ତି। ଏଭଳି ପୋଷ୍ଟ ରାଜ୍ୟସଭା ନିର୍ବାଚନରେ ସଂତୃପ୍ତଙ୍କ ଚୟନ ଓ କଂଗ୍ରେସ ସହିତ ହାତ ମିଳାଇବା ପ୍ରସଙ୍ଗରୁ ସମ୍ଭବତଃ ଜନ୍ମ ନେଇପାରିଥାଏ।
BJD:ମାର୍ଚ୍ଚ ୫ ତାରିଖରେ ଆନନ୍ଦ ଉଲ୍ଲାସରେ ରାଜ୍ୟବ୍ୟାପୀ ପାଳିତ ହେବ ୧୧୦ତମ ବିଜୁ ଜୟନ୍ତୀ: ବିଜେଡି
ଗତ ନିର୍ବାଚନରେ ବବି ବିଜେଡି ତଥା ନବୀନ ବାବୁଙ୍କ ଜଣେ ଖାସ ଅନୁଗତ ବୋଲି ପ୍ରମାଣ କରିବା ଲାଗି କୌଣସି ସୁଯୋଗ ଛାଡ଼ିନାହାନ୍ତି। ଏପରିକି ଗତ ନିର୍ବାଚନ ପୂର୍ବରୁ ତାଙ୍କୁ ନେଇ କ୍ରୀତଦାସ ତତ୍ତ୍ବ ଚର୍ଚ୍ଚାରେ ଥିଲା। ଦଳ ପାଇଁ ସେ କ୍ରୀତଦାସ ହେବାକୁ ପଛାଇବେ ନାହିଁ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବେଶ୍ ଚର୍ଚ୍ଚାକୁ ଆସିଥିଲେ ବବି। ଏଥିପାଇଁ ସେ ଢେର୍ ସମାଲୋଚିତ ବି ହୋଇଥିଲେ। ହେଲେ ପ୍ରତିଦାନ ସ୍ବରୂପ କିଛି ମିଳିଲା ନାହିଁ। ବବିଙ୍କ କ୍ରୀତଦାସ ତତ୍ତ୍ବକୁ ପଛ କରି ଏବେ ଦଳୀୟ ସୁପ୍ରିମୋ ନବୀନ ଗତ ନିର୍ବାଚନ ପୂର୍ବରୁ ଦଳରେ ମିଶିଥିବା ସଂତୃପ୍ତଙ୍କୁ ତୃପ୍ତ କରିଛନ୍ତି। କେବଳ ସେତିକି ନୁହେଁ, ଏବେ ବବିଙ୍କ ସମ୍ବଲପୁରରୁ ପ୍ରାର୍ଥୀ ହେବା ରହସ୍ୟ ପୁଣି ତାଜା ହୋଇଛି। ବବି ଯାଜପୁର ଛାଡ଼ିନଥିଲେ ଏଠାରେ ଫଳାଫଳ ଭିନ୍ନ ହୋଇଥା’ନ୍ତା। ମାତ୍ର ସେ କେଉଁ ବାଧ୍ୟବାଧକତାରେ ନିଜର ସୁରକ୍ଷିତ ଗଡ଼କୁ ଅନ୍ୟ ହାତରେ ଟେକିଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ପ୍ରାର୍ଥୀ ହେବାର ଦୁଃସାହସ କରିଥିଲେ ତାହା ଏବେ ବବି ସମର୍ଥକ ଆଲୋଚନା କଲେଣି। ପରାଜୟ ଜାଣି ମଧ୍ୟ ସେ ଏଭଳି ଏକ ନିଷ୍ପତ୍ତିକୁ ବରଣ କରିଥିଲେ। ଏକ ନିଶ୍ଚିତ ବିଜୟକୁ ଛାଡ଼ି ସେ ସମ୍ବଲପୁରରେ ଆତ୍ମସମର୍ପଣ ପାଇଁ କାହିଁକି ଗଲେ? ଦଳର ମୁଖ୍ୟ ବା ଅନ୍ୟ କାହା କଥାକୁ କାଟି ନପାରି ଯଦି ସେ ଦଳ ପାଇଁ ଏତେ ବଡ଼ ତ୍ୟାଗ କଲେ ତେବେ ଇତିମଧ୍ୟରେ କଣ ଘଟିଲା ଯେ ବବିଙ୍କ ଗୁରୁତ୍ବକୁ ଦଳ ଗୌଣ କଲା? କୌତୂହଳ କଥା ହେଉଛି, ବବିଙ୍କ ଉପରେ ଏବେ ସମର୍ଥକମାନେ ଚାପ ପକାଇବା ଆରମ୍ଭ କରିଛନ୍ତି। ଏଥିସହିତ ରାଜ୍ୟସଭା ନିର୍ବାଚନରେ ବବିଙ୍କ ଅନୁଗତ ଯାଜପୁର ବିଧାୟକ ସୁଜାତା ସାହୁଙ୍କ ଉପରେ ଏବେ ସମସ୍ତଙ୍କର ନଜର କେନ୍ଦ୍ରୀଭୂତ ହୋଇଛି।
BJD-BJP clash: ବିଜେଡି-ବିଜେପିରେ ଛକାପଞ୍ଝା: ରାଜ୍ୟସଭା ଉତ୍କଣ୍ଠା ବଢ଼ୁଛି, ବିଜେପି ୩ ଆସନ ହାତେଇବା ସମ୍ଭାବନା
Follow Us