ଯାଜପୁର: ସରକାରୀ ଜମି ଜବରଦଖଲ କରି ଫାର୍ମହାଉସ ନିର୍ମାଣ କରିଥିବା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନାମରେ ଆସିଥିବା ଅଭିଯୋଗ ଏବେ ନୂଆ ମୋଡ଼ ନେଇଛି। ଏ ନେଇ ତହସିଲ ପକ୍ଷରୁ ନୋଟିସ୍‌ କରାଯିବା ପ‌ରେ ଆଶ୍ଚର୍ଯ୍ୟଜନକ ଭାବେ ଆଜି ଫାର୍ମହାଉସ ଭିତରେ ଥିବା କିଛି ଘର ଭଙ୍ଗାଯାଇଥିବା ଫଟୋ ସାମନାକୁ ଆସିଛି। ପ୍ରଶାସନ ଉଚ୍ଛେଦ କରିବା ପୂର୍ବରୁ ତରବରିଆ ଭାବେ ଫାର୍ମହାଉସ ଘରଗୁଡ଼ିକୁ ପୂର୍ବତନ ବିଧାୟକ ଭାଙ୍ଗିଦେଇଛନ୍ତି।

Advertisment

ଧର୍ମଶାଳା ତହସିଲ ପନ୍ତୁରୀଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ କିଛି ଜମି କିଣି ବେଆଇନ ଭାବେ ଅଧିକ ଜମି ଅକ୍ତିଆର କରିବା ଓ ସେଥିରେ ପାଚେରି ବୁଲାଇ ଫାର୍ମହାଉସ ନିର୍ମାଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଧର୍ମଶାଳା ତହସିଲଦାର ପ୍ରଣବଙ୍କ ବିରୋଧରେ ଓଡ଼ିଶା ଭୂମି ଅନଧିକାର ଦଖଲ ନିବାରଣ ଅଧିନିୟମ ୧୯୭୨ ଧାରା ଅନୁଯାୟୀ କେସ୍‌ ନଂ ୨୨୯/୨୦୨୫-୨୬ରେ ନୋଟିସ୍‌ ଜାରି କରିଥିଲେ। ଆର୍‌ଆଇ ତଳଗଡ଼ ଉକ୍ତ ଅଭିଯୋଗର ତଦନ୍ତ କରି ପ୍ରଣବ ବଳବନ୍ତରାୟ, ପିତା ସ୍ବର୍ଗତ କଳ୍ପତରୁ ଦାସ, ଗ୍ରାମ ଭୋଟକା, ଥାନା କୁଆଖିଆ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀଠାରେ (ଖାତା ନଂ ୩୩୬, ପ୍ଲଟ୍‌ ନଂ ୧୧୧୮) ମୋଟ ୩୧.୬୦ ଏକର ପର୍ବତ କିସମ ଜମିରେ ଫାର୍ମହାଉସ କରିଥିବା ଜଣାପଡ଼ିଥିଲା।

Horticulture: ଉଜୁଡ଼ିଗଲାଣି ୧୩ କୋଟିର ବୃହତ୍ ପିଜୁଳି ଫାର୍ମ

ଏଥିସହ ଉକ୍ତ ଫାର୍ମହାଉସରେ ସରକାରୀ ଜମିକୁ ବିନା ଅନୁମତିରେ ଜବରଦଖଲ କରାଯାଇଥିବା ଜଣାପଡ଼ିଥିଲା। ଏପରିକି ଏହି ଜମିରେ ପାଚେରି ତିଆରି କରାଯାଇ ବଗିଚା ମଧ୍ୟ କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ବା ଜବରଦଖଲ ଉଚ୍ଛେଦ ଆଶଙ୍କାରେ ଶ୍ରୀ ବଳବନ୍ତରାୟ ନିଜଆଡ଼ୁ ସରକାରୀ ଜାଗା ଉପରେ ଥିବା ଫାର୍ମହାଉସର କିଛି ଘର ଭାଙ୍ଗି ଦେଇଛନ୍ତି। ପୂର୍ବରୁ ‌କୌଣସି ଜବରଦଖଲ କରିନଥିବା ସଫେଇ ଦେଇଥିବା ଶ୍ରୀବଳବନ୍ତରାୟ ଫାର୍ମହାଉସ ଭିତରୁ ତରବରିଆ ଭାବେ କାହିଁକି ଘର ଭାଙ୍ଗୁଛନ୍ତି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।  

ଏ ନେଇ ଶ୍ରୀ ବଳବନ୍ତରାୟ ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ‘ଯଦି ସେ ଜବରଦଖଲ କରିଛନ୍ତି ତେବେ ସରକାର ମାପ କରି ତାଙ୍କ ଜମି ନେଇଯାଆ’ନ୍ତୁ। ମାତ୍ର ଫାର୍ମହାଉସକୁ ଲାଗି ସେ କୌଣସି ଜମି ଜବରଦଖଲ କରିନାହାନ୍ତି। ଫାର୍ମହାଉସ ଭିତରୁ ଘର ଭଙ୍ଗା ହୋଇଥିବା କଥା ସତ। ତେବେ ସେ ଘର ଜବରଦଖଲ ପାଇଁ ଭାଙ୍ଗିନାହାନ୍ତି। ଫାର୍ମହାଉସ ଭିତରେ ଥିବା ଏକ ଘରକୁ ସେ ଜଣକୁ ଭଡ଼ାରେ ଦେଇଥିଲେ। କରୋନା ସମୟରେ ଏହାକୁ ସଙ୍ଗରୋଧକେନ୍ଦ୍ର (କ୍ବାରେଣ୍ଟାଇନ୍‌ ସେଣ୍ଟର) ପାଇଁ ବ୍ୟବହାର କରାଯାଇଥିଲା। ପରେ ସେ ଘରକୁ ଏକ ଛେଳି ଫାର୍ମ କରିବାକୁ ଭଡ଼ାରେ ଦେଇଥିଲେ।

Congress: ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ ଆନ୍ଦୋଳନ ହେବ: କଂଗ୍ରେସ

ଫାର୍ମ ନିର୍ମାଣ କରିଥିବା ବ୍ୟକ୍ତି ସେ ଘର ଭାଙ୍ଗୁଛନ୍ତି। ଜବରଦଖଲ ସହିତ ଏହାର କିଛି ସଂପର୍କ ନାହିଁ।’ ଅନ୍ୟପକ୍ଷରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି, ସେ କ’ଣ ଜବରଦଖଲ କରିଛନ୍ତି ନ କରିଛନ୍ତି; ସେ କଥା ପ୍ରଶାସନ ବୁଝିବ। ମୋହନ ସରକାରଙ୍କ ସମୟରେ ଆଇନ ତା’ର କାମ ଠିକ୍‌ କରୁଛି। ଯଦି ସେ ଘର ଭାଙ୍ଗୁଛନ୍ତି କିଛି କାରଣ ନିଶ୍ଚିତ ଥିବ, ତାହା ସେ ଭଲଭା‌ବେ ଜାଣିଥିବେ। ଏବେ ଯିଏ ଯେତେ ପ୍ରଭାବଶାଳୀ ହୁଅନ୍ତୁ, ଜବରଦଖଲ କରିଥିଲେ ପ୍ରଶାସନ ନିଶ୍ଚିତ ଉ‌‌ଚ୍ଛେଦ କରିବ।