Promotion of the Tourism Department limited to the board Photograph: (sambad.in)
ନବରଙ୍ଗପୁର: ଜିଲ୍ଲାରେ ଛୋଟ ବଡ ୨୫ଟି ପର୍ଯ୍ୟଟନସ୍ଥଳୀ ରହିଥିଲେ ହେଁ ଭିତ୍ତିଭୂମି ଅଭାବରୁ ପର୍ଯ୍ୟଟକ ମାନେ ଜାଣି ପାରୁନାହାନ୍ତି। ତେବେ ପ୍ରଶାସନ ଓ ସରକାରଙ୍କ ଉଦାସୀନତା ଯୋଗୁଁ ଉପଯୁକ୍ତ ପ୍ରଚାର ଓ ପ୍ରସାର ଅଭାବରୁ ପର୍ଯ୍ୟଟକମାନେ ଯେଉଁ ସଂଖ୍ୟାରେ ଆସିବା କଥା ଆସି ପାରୁନାହାନ୍ତି।
କେବଳ ବୋର୍ଡରେ ୧୯ଟି ସ୍ଥାନର ନାଁ ରହିଥିବା ବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ତାଲିକାରେ ମାତ୍ର ୫ଟି ସ୍ଥାନ କେଲିଆ, ଚନ୍ଦନଧାରା, ପୋଡାଗଡ, ହିର୍ଲି ଓ ପାପଡାହାଣ୍ଡି ସହିଦ ମୀନାର ସାମିଲ। ସ୍ବତନ୍ତ୍ର ଭାବେ ଜିଲ୍ଲା ପର୍ଯ୍ୟଟନ ବିଭାଗ ରହିଥିଲେ ହେଁ ଗତ ୧୦ବର୍ଷ ହେବ ଅତିରିକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଦୟାରେ ଚାଳିଛି। ଫଳରେ ଜିଲ୍ଲାକୁ କେତେ ସଂଖ୍ୟକ ପର୍ଯ୍ୟଟକ ଆସୁଛନ୍ତି ତାହାର ତାଲିକା ଆଉ କରାଯାଉନି।
ଆହୁରି ପଢ଼ନ୍ତୁ:Attack On Odia Youth In Tamil Nadu:ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ଆକ୍ରମଣ, ନିନ୍ଦା କଲେ ମୁଖ୍ୟମନ୍ତ୍ରୀ
ଉଧାରରେ ଅଧିକାରୀ ଦାୟିତ୍ବରେ
ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ରହିଥିବା ବେଳେ ଉଧାରରେ ଅଧିକାରୀ ଦାୟିତ୍ବରେ ରହିଛନ୍ତି। ଜିଲ୍ଲାସଂସ୍କୃତି ଅଧିକାରୀ ଘାସିଆ ହରିଜନ ଏହି ଦାୟିତ୍ବରେ ରହିଛନ୍ତି। ସେହିପରି ଜିଲ୍ଲା କ୍ରୀଡାଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କନିଷ୍ଠ କିରାଣୀଙ୍କୁ ମଧ୍ୟ ଭାରପ୍ରାପ୍ତ ଦାୟିତ୍ବ ଦିଆଯାଇଛି। ବିଭାଗ ଅଧିନରେ ଗାଇଡ୍ ବି ନାହାନ୍ତି। କେବଳ ବିଭାଗ କିଛି ବୋର୍ଡ ବସାଇଛି। ନୂଆସରକାର ଆସିବା ପରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଦାବି କରିବା ପରେ ତେନ୍ତୁଳିଖୁଣ୍ଟି ବ୍ଲକର ମଙ୍ଗର ଦୋରା,ମାଣ୍ଡା ଡଙ୍ଗରୀର ବିକାଶ ଚାଳିଛି।
ସେହିପରି ପୋଡାଗଡ, ଭୈରାଘୁମର, ଚନ୍ଦନ ଧାରା, ଭାସ୍କେଲ ଡ୍ୟାମ, ଧୋଡ୍ରା ମାଁ ବିଡ୍ରୀ ଠାକୁରାଣୀ ମନ୍ଦିରର ବିକାଶ ଚାଳିଛି ବୋଲି କହିଛନ୍ତି ଭାରାପ୍ରାପ୍ତ ପର୍ଯ୍ୟଟନ ଅଧିକାରୀ। ରାଜ୍ୟ ପର୍ଯ୍ୟଟନ ବିଭାଗ କେଲିଆ,ସାଇଧାରା, ଦୋସଇଧାରା, ହିର୍ଲୀ, ଘୁମରେଶ୍ବର, ପାରୁଆ ଶିବ ମନ୍ଦିର, ଜଗନ୍ନାଥପୁର ମାଁ ଭଣ୍ଡାରଘରଣୀ ମନ୍ଦିର , ସହୀଦ ମୀନାର ସହ ଇନ୍ଦ୍ରାବତୀ ଜଳଭଣ୍ଡାରରେ ସ୍ବତନ୍ତ୍ର ପର୍ଯ୍ୟଟନ ଭିତ୍ତିଭୂମି ତିଆରି ହେବ। ହିର୍ଲୀ, ସହିଦ ମୀନାର ଓ ଇନ୍ଦ୍ରାବତୀ ପାଇଁ ସ୍ବତନ୍ତ୍ର ମାଷ୍ଟର ପ୍ଲାନ ଚାଳିଛି ବୋଲି କହିଛନ୍ତି ଭାରାପ୍ରାପ୍ତ ପର୍ଯ୍ୟଟନ ଅଧିକାରୀ।
ପ୍ରଶାସନର ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନସ୍ଥଳୀ
ଏହି ସବୁ ପର୍ଯ୍ୟଟନସ୍ଥଳୀ ବାଦେ ଜିଲ୍ଲା ସଦରମହକୁମାରେ ମନ୍ଦିର ମାଳିନୀ। ମା ଭଣ୍ଡାରଘରଣୀ ପୀଠ, ନୀଳକଣ୍ଠେଶ୍ବର , କାଚର ହନୁମାନ ମନ୍ଦିର ଓ ରାଜରାଜୁଡା ଅମଳର ଜଗନ୍ନାଥ ମନ୍ଦିର ରହିଛି। ନନ୍ଦାହାଣ୍ଡି ପଥର ବଗିଚା, ପାପାଡାହାଣ୍ଡି ମୃଗ ବିହାର ଆଦି ସହ ଆଉ କିଛି ଛୋଟ ବଡ ପର୍ଯ୍ୟଟନସ୍ଥଳୀ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି।
ଜିଲ୍ଲା ସଦରମହକୁମା ସହ ଉମରକୋଟରେ ନୂଆ ନୂଆ ହୋଟେଲ ବି ନିର୍ମାଣ ହୋଇଛି। ଏହା ବାଦେ ବି ପର୍ଯ୍ୟଟନ ବିଭାଗ ଅଧିକା ସଂଖ୍ୟକ ପର୍ଯ୍ୟଟକକୁ ଆଣି ପର୍ଯ୍ୟଟନ ଶିଳ୍ପକୁ ଯେଭଳି ପ୍ରତ୍ସାହିତ କରିବା କଥା କରୁ ନଥିବା କହିଛନ୍ତି ହୋଟେଲ ମାଲିକ ଜଗନ୍ନାଥ ମହାପାତ୍ର। ଜିଲ୍ଲାରେ ଥିବା ବହୁ ପର୍ଯ୍ୟଟନସ୍ଥଳୀର ଅନୁସଙ୍ଗିକ ଭିତ୍ତିଭୂମିର ବିକାଶ ସହ ବିଭାଗ ମଧ୍ୟ ପ୍ରଚାର ଓ ପ୍ରସାର ନିଜ ଆଡରୁ ରିଲସ୍ ଓ ସାମାଜିକ ଗଣମାଧ୍ୟମରେ କରିବାକୁ ପଡ଼ିବ।
ଆହୁରି ପଢ଼ନ୍ତୁ:India Vs Pakistan : ୨୦୨୬ରେ ବି ଭାରତ-ପାକ ସଂଘର୍ଷ ଆଶଙ୍କା ରହିଛି : ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍
ଜିଲ୍ଲାର ପ୍ରକୃତି ଓ ପ୍ରାକୃତିକ ବିଭବକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଆସିବାକୁ ଚାହୁଁଛନ୍ତି ,କିଭଳି ଆସିବେ , ରହିବେ କେଉଁଟି ଆଦି ଜାଣି ପାରୁନାହାନ୍ତି ବୋଲି କହିଛନ୍ତି ପରିବେଶବିତ୍ ସନ୍ତୋଷ ମିଶ୍ର।
Follow Us