ଯାଜପୁର/ଚଢ଼େଇଧରା: ରବିବାର ରାତିରେ ଜେନାପୁର ଥାନା ବାଟିଯୋଡ଼ାସ୍ଥିତ ‘ନାୟକ ବାର୍ ଆଣ୍ଡ୍ ରେସ୍ତୋରାଁ’ରେ ଲୋକମାନେ ଭଙ୍ଗାରୁଜା ସହ ବାର୍ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ ଓ ସେହି ପରିସରରେ ଥିବା ଗାଡ଼ିଗୁଡ଼ିକୁ ନିଆଁ ଲଗାଇ ଦେଇଛନ୍ତି। ଏନେଇ ବାର୍ ମାଲିକ ସତ୍ୟବ୍ରତ ନାୟକଙ୍କ ମା’ ସରୋଜବାଳା ନାୟକ(୭୨) ଥାନାରେ ଏତଲା ଦେଇଛନ୍ତି। ଅନ୍ୟ ଏକ ଘଟଣାକ୍ରମରେ ସ୍ଥାନୀୟ ରମ୍ପେଇ ଗ୍ରାମର ଜଣେ ମହିଳା ସମ୍ପୃକ୍ତ ବାର୍ କର୍ମଚାରୀଙ୍କ ନାଁରେ ଅସଦାଚରଣ ଅଭିଯୋଗ କରିଛନ୍ତି। ସେ ରାସ୍ତାରେ ଯାଉଥିବାବେଳେ ବାର୍ କର୍ମଚାରୀ ତାଙ୍କୁ ଗାଳିଗୁଲଜ ସହ ଟଣା ଘୋଷରା କରିଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏନେଇ ଜେନାପୁର ପୁଲିସ ପୃଥକ୍ ଭାବେ ୫୪ ଓ ୫୫ ନମ୍ବରରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଇଆଇସି ନିରୁପମା ଜେନା କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ୨୦୧୭ ମସିହାରୁ ବାଟିଯୋଡ଼ା ଠାରେ ନାୟକ ବାର୍ ଆଣ୍ଡ ରେସ୍ତୋରାଁ ଖୋଲାଯାଇଛି। ମାତ୍ର ସ୍ଥାନୀୟବାସିନ୍ଦା ଆରମ୍ଭରୁ ଏହି ବାର୍କୁ ବିରୋଧ କରି ଆସୁଛନ୍ତି। ବିଭିନ୍ନ ଫୋରମ୍ ମାଧ୍ୟମରେ ବାର୍ଟିକୁ ବନ୍ଦ କରିବା ଲାଗି ଦାବି କରିଆସୁଛନ୍ତି। ଏପରିକି ଅବକାରୀ ବିଭାଗ, ଜେନାପୁର ପୁଲିସ ଓ ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ଏନେଇ ପଦକ୍ଷେପ ନେବାକୁ ଲିଖିତ ଭାବେ ଜଣାଇଛନ୍ତି। ବାରମ୍ବାର ଅଭିଯୋଗ ଆସିବା ପରେ ବାର୍ଟି କିଛିମାସ ଧରି ବନ୍ଦ ରହିଥିଲା। କିଛିଦିନ ହେବ ବାର୍ଟିକୁ ପୁଣିଥରେ ଖୋଲାଯାଇଥିବା ବେଳେ ଆକ୍ରୋଶମୂଳକ ଭାବେ ଏଭଳି କରାଗଲା ବୋଲି ବାର୍ ମାଲିକ ଶ୍ରୀ ନାୟକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ବ୍ୟକ୍ତିଗତ କାମରେ ସେ ବାହାରକୁ ଯାଇଥିବାବେଳେ ଗତକାଲି ରାତିରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସାଙ୍ଗରେ ଆଉ ୨୦ରୁ ଅଧିକ ଯୁବକଙ୍କୁ ଧରି ମଦ ବାର୍ ନିକଟରେ ପହଞ୍ଚିଥିଲେ। ଅତର୍କିିତ ଭାବେ ବାର୍ ଭିତରକୁ ପଶିବା ସହ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଢେଲାପଥର ମାରି ବାର୍ର ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ପ୍ରାଣ ଭୟରେ କର୍ମଚାରୀମାନେ ସେଠାରୁ ଦୌଡ଼ି ପଳାଇବା ପରେ ସେମାନେ ଲୁଟ୍ପାଟ କରିବା ସହ ବାର୍ ପରିସରରେ ଥିବା ୫ଟି ଚାରିଚକିଆ ଗାଡ଼ିକୁ ନିଆଁ ଲଗାଇ ଦେଇଥିଲେ।
ଏ ସମ୍ପର୍କରେ ସେ ଖବରପାଇ ତାଙ୍କ ସମ୍ପର୍କୀୟଙ୍କୁ ସେଠାକୁ ପଠାଇଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ଧମକ ଦେବାରୁ ଭୟରେ ଫେରିଆସିଥିଲେ। ଅନ୍ୟପକ୍ଷରେ ଏହି ବାର୍ଟି ତୁରଙ୍ଗ-ବରଡ଼ା ଜନବହୁଳ ରାସ୍ତାକଡ଼ରେ କରାଯିବା ସହ ସ୍ୱପ୍ନେଶ୍ୱର ହାଇସ୍କୁଲ ନିକଟରେ ଥିବାରୁ ଅଧିକାଂଶ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଛାତ୍ରଛାତ୍ରୀ, ମହିଳା ଓ ଯୁବତୀ ସେହିବାଟ ଦେଇ ଯିବାକୁ ସୁରକ୍ଷିତ ମଣୁନାହାନ୍ତି। ଠିପିଖୋଲା ବାର୍ ହୋଇଥିବାରୁ ଅଧିକାଂଶ ସମୟରେ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। ଗତ କିଛିଦିନ ମଧ୍ୟରେ ଏକାଧିକ ଦୁର୍ଘଟଣା ଘଟି ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଛି। ବିଦ୍ୟାଳୟ ନିକଟରେ ବାର୍ ଖୋଲାଯିବା କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାବ ପକାଉଥିବା ଅଭିଭାବକମାନେ କହିଛନ୍ତି।
Follow Us