ଭୁବନେଶ୍ବର: ବଦଳୁନି ସରକାରୀ ବିଦ୍ୟାଳୟର ଚିତ୍ର। ଏବେ ବି କେଉଁଠି ପାଚେରି ନାହିଁ ତ ଆଉ କେଉଁଠି ଗଛ ମୂଳେ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ହାଇସ୍କୁଲରେ ଲାଇବ୍ରେରି, ଲାବରୋଟାରି, ସ୍ମାର୍ଟ କ୍ଲାସରୁମ୍‌ ପରି ଅତ୍ୟାଧୁନିକ ବ୍ୟବସ୍ଥାରେ ତାଲା ଝୁଲିଲାଣି। ଶିକ୍ଷକ ଅଭାବ ପରି ଭିତ୍ତିଭୂମିରୁ ମୁକୁଳିପାରି ନ ଥିବା ଓଡ଼ିଶାର ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଡିଜିଟାଲ ଓ କୃତିମ ବୁଦ୍ଧିମତା(ଏଆଇ) ପରିଚାଳିତ ଭର୍ଚୁଆଲ ଶ୍ରେଣୀଗୃହ ଯୋଡ଼ିବାକୁ ଯୋଜନା ଚାଲିଛି। ଆଇସିଟି ଓ ଡିଜିଟାଲ ପଦ‌କ୍ଷେପ ଅଧୀନରେ ରାଜ୍ୟର ୫,୩୭୦ ବିଦ୍ୟାଳୟରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ଓକାକ୍‌ ପକ୍ଷରୁ ଟେଣ୍ଡର ଆହ୍ବାନ ମଧ୍ୟ ଶେଷ ହୋଇଛି। ଗୋଟିଏ ପଟେ ବିଦ୍ୟାଳୟ ଭିତ୍ତିଭୂମି ଅଭାବ ରହିଥିବା ବେଳେ ଅନ୍ୟପଟେ ଶହ ଶହ କୋଟି ଟଙ୍କା ବ୍ୟୟ‌ରେ ଡିଜିଟାଲ ଓ ଏଆଇ ପରିଚାଳିତ ଭର୍ଚୁଆଲ ଶ୍ରେଣୀଗୃହ କାହା ପାଇଁ ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। କେତେଜଣ ବ୍ୟକ୍ତିବିଶେଷ ଇ-ମେଲ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

Advertisment

Culture: ପ୍ରକୃତି ଓ ପରମ୍ପରାର ମହାମିଳନ ‘ବାହା ପର୍ବ’

ଯୋଜନା ଅଧୀନରେ ୪ଟି ମୁଖ୍ୟ ଷ୍ଟୁଡିଓ ସହ ୮ଟି ଜୋନାଲ ସ୍ତରୀୟ ଷ୍ଟୁଡିଓ ରହିବ। ଫାଇବର ଓ ସାଟେଲାଇଟ୍‌ ସଂଯୋଗ ମାଧ୍ୟମରେ ଶିକ୍ଷାର ଆଦାନପ୍ରଦାନ କରାଯିବ। ଓଡ଼ିଆ ଓ ଇଂରାଜୀ ଭାଷାରେ ଡିଜିଟାଲ କଣ୍ଟେଣ୍ଟ ପ୍ରସ୍ତୁତି, ଶିକ୍ଷକଙ୍କ ଦକ୍ଷତା ବିକାଶ, ଏଆଇ ଆଧାରିତ ଭର୍ଚୁଆଲ ଶ୍ରେଣୀଗୃହ, ଇଣ୍ଟରାକ୍ଟିଭ୍ ଫ୍ଲାଟ୍ ପ୍ୟାନେଲ୍, ଡିଜିଟାଲ୍ ମୂଲ୍ୟାୟନ ଡିଭାଇସ୍, ଆପ୍‌ ବିକାଶ, କାର୍ଯ୍ୟଦକ୍ଷତା ଆନାଲିଟିକ୍ସ ଡ୍ୟାସବୋର୍ଡ ପରି ବିଭିନ୍ନ ପ୍ରକାର ଭିତ୍ତିଭୂମି ରହିବ। ଯେଉଁ ସଂସ୍ଥା ଏହାର ଦାୟିତ୍ବ ନେବ ଆସନ୍ତା ୫ବର୍ଷ ପାଇଁ ତାହାର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବ। ଗ୍ରାମାଞ୍ଚଳ ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମି ଯୋଗାଇବା ସହ ଇଣ୍ଟରନେଟ୍‌ ସୁବିଧା ମଧ୍ୟ ଉପଲବ୍ଧ ହେବ। ବ୍ରଡ୍‌କାଷ୍ଟିଂ ଷ୍ଟୁଡିଓ, ଏଆଇ ପରିଚାଳନା ଭର୍ଚୁଆଲ କ୍ଲାସରୁମ୍‌ ସହ ଡିଜିଟାଲ ମୂଲ୍ୟାୟନ, ୬ଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ଓ ଇଂରାଜୀ ମାଧ୍ୟମରେ ଡିଜିଟାଲ କଣ୍ଟେଣ୍ଟ ଆଦି ତିଆରି କରାଯିବ।

ପୂର୍ବ ସରକାରରେ ୫-ଟି ବିଫଳ ହୋଇଥିଲା 
ଏବେ ପୁଣି ୫,୩୭୦ ବିଦ୍ୟାଳୟ ପାଇଁ ଯୋଜନା
ପ୍ରଶ୍ନ ଉଠାଇଲେଣି ଅଭିଭାବକ ସଂଘ

ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି ଯେ ପୂର୍ବ ସରକାର ସମୟରେ ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏବେ ତାହାର ଅବସ୍ଥା କ’ଣ ତାହା ସମସ୍ତଙ୍କୁ ଜଣା ଅଛି। ବର୍ତ୍ତମାନର ସରକାର ଏକ ହଜାରରୁ ଅଧିକ କୋଟି ଟଙ୍କା ବିନିଯୋଗରେ ୫,୩୭୦ ବିଦ୍ୟାଳୟରେ ଏଆଇ ଆଧାରିତ ଶିକ୍ଷା ପ୍ରଦାନ କରିବାକୁ ଯୋଜନା କରିବା ଆଶ୍ଚର୍ଯ୍ୟର ବିଷୟ। ଏଭଳି ଯୋଜନା କାହା ସ୍ବାର୍ଥରେ? ପୂର୍ବ ସରକାର ପରି ଏଥର ମଧ୍ୟ କୌଣସି ଏକ କମ୍ପାନିଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାକୁ ଏହି ଯୋଜନା ନୁହେଁ ତ ବୋଲି ସେ ପ୍ରଶ୍ନ କରିଛନ୍ତି।

Convocation: ସତ୍ୟ ଆଧାରିତ ସାମ୍ବାଦିକତା ପାଇଁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି

ଓଡ଼ିଶା ଅଭିଭାବକ ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଶୋୟୀ କହିଛନ୍ତି ଯେ ନୂଆ ସରକାରକୁ ଦୁଇ ବର୍ଷ ବିତିବାକୁ ବସିଲାଣି। ବିଦ୍ୟାଳୟକୁ ଶିକ୍ଷକ ଯୋଗାଇପାରୁ ନାହନ୍ତି। ଏହା କେବଳ ଏକ ଫାର୍ସ। ସରକାରୀ ଅଧିକାରୀମାନେ କେବଳ ଡ୍ରାମା କରୁଛନ୍ତି। ବଜେଟ୍‌ରେ ବ୍ୟୟବରାଦ ହୋଇଥିବା ଅର୍ଥ ଖର୍ଚ୍ଚ ହୋଇପାରୁ ନାହାନ୍ତି। ଏଠି ସବୁବେଳେ ଗପ ଚାଲିଛି। କେତେକ ସଂସ୍ଥାକୁ ଅନୁକମ୍ପା ଦେବାକୁ ଯାଇ ମଝିରେ ମଝିରେ ଏଭଳି ଜିଡିଟାଲ ଶିକ୍ଷା କଥା କୁହାଯାଉଛି। ଆଦୌ ଭିତ୍ତିଭୂମି ନ ଥିବା ବିଦ୍ୟାଳୟର ପିଲା କିଭଳି ଡିଜିଟାଲ ଶିକ୍ଷା ପାଇବେ ତାହା ଚିନ୍ତାର ବିଷୟ। ଏହାଦ୍ବାରା ଶିକ୍ଷା ବ୍ୟବସ୍ଥା ସୁଧୁରିବ ନାହିଁ। ବରଂ ନଷ୍ଟ ହୋଇଯିବ। ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି, ସ୍କୁଲଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଶିକ୍ଷା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଆଇସିଟି ଓ ଡିଜିଟାଲ୍ ପଦକ୍ଷେପ ଅଧୀନରେ ରାଜ୍ୟର ଚିହ୍ନଟ ସ୍କୁଲଗୁଡ଼ିକରେ ଇଣ୍ଟରନେଟ୍/ସାଟେଲାଇଟ୍ ଯୋଗାଯୋଗ ମାଧ୍ୟମରେ ବିଷୟବସ୍ତୁ ପ୍ରଦାନ କରିବାକୁ ଏକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀ ସଂସ୍ଥା ନିୟୋଜିତ କରାଯିବ। ଏହାଦ୍ବାରା ପଛୁଆ ପିଲାମାନେ ଉଚ୍ଚମାନର କେନ୍ଦ୍ରୀୟ ପରିଚାଳିତ ଶିକ୍ଷା ସୁଯୋଗ ପାଇବେ।