ଘରେ ଘରେ ଘରଚଟିଆ ସଂରକ୍ଷଣ Photograph: (sambad.in)
ଘୁ.ଉଦୟଗିରି: ଆଧୁନିକ ସଭ୍ୟତାରେ ପରିବର୍ତ୍ତିତ ଜୀବନ ଶୈଳୀରେ ମଣିଷ ନିଜର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରତିଦିନ ପ୍ରାକୃତିକ ପରିବେଶ ଏବଂ ଜଙ୍ଗଲକୁ ନଷ୍ଟ କରି ଚାଲିଛି । ଏହାଯୋଗୁ ବାୟୁ ପ୍ରଦୂଷଣ ହେବା ସହିତ ଜଙ୍ଗଲରେ ବସବାସ କରୁଥିବା ପ୍ରାଣୀ ଏବଂ ଉଦ୍ଭିଦଜଗତ ଉପରେ ବିଭିନ୍ନ କୁପ୍ରଭାବ ପଡୁଛି।
ପୂର୍ବରୁ ଗାଁ ଗହଳିରେ ଚାଳଛପର ଘର ଗୁଡ଼ିକ ଥିବା ଯୋଗୁ ଘରଚଟିଆମାନେ ସୁରକ୍ଷିତ ଭାବେ ରହିବା ସହିତ ସେମାନଙ୍କର ବଂଶବୃଦ୍ଧି ମଧ୍ୟ ହେଉଥିଲା। କିନ୍ତୁ ବର୍ତ୍ତମାନ ଗାଁ ଗୁଡ଼ିକରେ ଚାଳଛପର ଘର ନଥିବାରୁ ଘରଚଟିଆମାନଙ୍କର ରହିବାରେ ସମସ୍ୟା ସୃଷ୍ଟି ହେଉଛି । ସେହିପରି ମୋବାଇଲ୍ ଟାୱାର୍ରୁ ସୃଷ୍ଟି ହେଉଥିବା ତରଙ୍ଗ ଶକ୍ତିର ପ୍ରଭାବରେ ଘରଚଟିଆ ଗୁଡ଼ିକ ମୃତ୍ୟୁବରଣ କରୁଛନ୍ତି ।
କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମର ଗ୍ରାମବାସୀମାନେ ଘରଚଟିଆମାନଙ୍କର ସଂରକ୍ଷଣ ପାଇଁ ଦୀର୍ଘ ବର୍ଷ ଧରି ନିଆରା ପ୍ରୟାସ କରି ଆସୁଛନ୍ତି ।
ଗ୍ରାମରେ ଥିବା ବିଭିନ୍ନ ଘର ଗୁଡ଼ିକରେ ଘରଚଟିଆ ବସା ସ୍ଥାପନ କରିବା ସହିତ ସେମାନଙ୍କର ଖାଇବା ନିମନ୍ତେ ଖାଦ୍ୟ ବ୍ୟବସ୍ଥା କରୁଛନ୍ତି । ଯାହାଦ୍ବାରା ଘରଚଟିଆଙ୍କର ସଂରକ୍ଷଣ ହେବା ସହିତ ସେମାନଙ୍କର ବଂଶ ବିସ୍ତାର ହୋଇ ପାରିଛି ।
ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଗତ ୨୦୨୧ ମସିହାରେ ଗଟାମାହା ଗ୍ରାମରେ ବନ ସଂରକ୍ଷଣ ସମିତି ଗଠନ କରାଯାଇଛି । ଗଟାମାହା ବନ ସଂରକ୍ଷଣ ସମିତି ମାଧ୍ୟମରେ ବର୍ତ୍ତମାନ ଗଟାମାହା ଗ୍ରାମରେ ପାଖାପାଖି ୨୦୦ରୁ ଉର୍ଦ୍ଧ୍ବ ଘରଚଟିଆ ରହିଛନ୍ତି । ଆଗକୁ ମଧ୍ୟ ଘରଚଟିଆମାନଙ୍କର ସଂରକ୍ଷଣ ଏବଂ ବଂଶ ବୃଦ୍ଧି ପାଇଁ ଗଟାମାହା ବନ ସଂରକ୍ଷଣ ସମିତି କାର୍ଯ୍ୟକରିବ କରିବ ବୋଲି ଗ୍ରାମବାସୀମାନେ ମତ ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ: ମାଘ ପୂର୍ଣ୍ଣିମା ପାଇଁ ମହାକୁମ୍ଭରେ ଭିଡ଼: ଆଜି କୋଟିଏରୁ ଅଧିକ ଶ୍ରଦ୍ଧାଳୁ ପକାଇଲେଣି ସଂଗମରେ ବୁଡ଼
ଦିନକୁ ଦିନ ପରିବେଶ ପ୍ରଦୂଷଣ ସହ ଉତ୍ତାପ ବୃଦ୍ଧି ଜଙ୍ଗଲ କ୍ଷୟ ହୋଇ ଚାଲିଥିବା ବେଳେ ପରିବେଶ ପାଇଁ ଏବଂ ପକ୍ଷୀ ଵଂଶ ବୃଦ୍ଧି ତଥା ତାଙ୍କର ସଂରକ୍ଷଣ ବ୍ୟବସ୍ଥା କରି ସମାଜ ପାଇଁ ଏକ ନିଆରା ଉଦାହରଣ ସାଜିଛନ୍ତି ଗଟାମାହା ଗ୍ରାମବାସୀ। ସେମାନଙ୍କର ଏଭଳି ନିଆରା କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଛି।
ଅଧିକ ପଢ଼ନ୍ତୁ: ଆସନ୍ତାକାଲିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ
Follow Us