ଭୁବନେଶ୍ବର: କବିଟିଏ ତା କବିତାକୁ ଯେତିକି ଭଲପାଏ, ଯେତିକି ପ୍ରେମ କରେ… ଠିକ୍ ସେତିକି ତା ପତ୍ନୀକୁ ବି ଭଲପାଏ, ପ୍ରେମ କରି ପ୍ରୀତିର ପୃଷ୍ଠାରେ ସାଇତି ରଖେ ସବୁଦିନ ପାଇଁ, ସବୁ ଜନ୍ମ ପାଇଁ… ସ୍ରଷ୍ଟାଟିଏ, ସୃଜନଶୀଳ ମଣିଷଟିଏ ବା କବି, ଗାଳ୍ପିକ, ସାହିତ୍ବିକଙ୍କର କାବ୍ୟ ନାୟିକା ଅନେକ ଥାଇ ପାରନ୍ତି- ଅନେକ ନାଁକୁ ନେଇ ସେମାନେ ନିଜର ସୃଷ୍ଟି ରଚନା କରିପାରନ୍ତି ମାତ୍ର ସତ ଜୀବନର ସାଥି ହିଁ ସେମାନଙ୍କ ପାଇଁ ସବୁକିଛି, ସେମାନଙ୍କ ଶ୍ରେଷ୍ଠ କବିତା ବୋଲି କହିଲେ କିଛି ଭୁଲ ହେବନି…

Advertisment
Untitled-10
rajendra kishore panda passes away Photograph: (Sambad.in)

କାରଣ ସ୍ବର୍ଗତ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଘଟଣାକ୍ରମ କିଛି ଏମିତି ହିଁ ହୋଇଛି । ଯେଉଁଠି ସେ ତାଙ୍କ ପତ୍ନୀଙ୍କୁ ଝୁରିଝୁରି ଶେଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦେହ ତ୍ୟାଗ କରି ତାଙ୍କ ପତ୍ନୀଙ୍କ ପାଖକୁ ଚାଲିଯାଇଛନ୍ତି ।  ଝୁରିବା ତ କବିର ଗୁଣ, ଝୁରିଝୁରି ଚାଲିଯାଏ ବି ପ୍ରାଣ...

ସେପ୍ଟେମ୍ବରରେ ସ୍ତ୍ରୀ, ଅକ୍ଟୋବରରେ ସ୍ବାମୀ

ହଁ ଆଜ୍ଞା ! ଗତ ମାସ କବି ନିଜ ପତ୍ନୀଙ୍କୁ ହରାଇଥିଲେ ଆଉ ଏ ମାସ ସେ ନିଜେ ଚାଲିଗଲେ । ମାତ୍ର ୪୦ ଦିନରେ ଡକାଡକି ହୋଇ ସେପାରିକୁ ଚାଲିଯାଇଛନ୍ତି ଉଭୟ ପତି ପତ୍ନୀ । ଓଃ ଏ ଖବର ଯେତିକି ଯନ୍ତ୍ରଣାଦାୟକ ସେତିଖଇ ସଂଯୋଗ ମଧ୍ଯ । 

ଅଧିକ ପଢନ୍ତୁ-

Rajendra Kishore Panda, Organ Donation: ମରିକି ବି ଅମର, ରାଜେନ୍ଦ୍ର କିଶୋର... ଅଙ୍ଗଦାନ କରି ଅମର ହୋଇଗଲେ ମହାନ କବି

ଖିଆପିଆ ଛାଡ଼ିଦେଇଥିଲେ କବି

ସେପ୍ଟେମ୍ବର ୧୩ ତାରିଖରେ ତାଙ୍କ ପତ୍ନୀ ସୌଭାଗ୍ୟ ମଞ୍ଜରୀ ପଣ୍ଡାଙ୍କ ଦେହାନ୍ତ ହୋଇଥିଲା । ପୂର୍ବରୁ କବି ରାଜେନ୍ଦ୍ର ପଣ୍ଡା ଶାରୀରିକ ଅସୁସ୍ଥ ଥିଲେ ମଧ୍ୟ ପତ୍ନୀଙ୍କ ଦେହାନ୍ତ ପରେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ । ତାଙ୍କ ଝିଅମାନଙ୍କ କହିବା ଅନୁଯାୟୀ ବାପା ଗଲା କିଛି ଦିନ ହେଲା କିଛି ଖାଉନଥିଲେ । ନା ଖାଦ୍ୟ ନା ମେଡିସିନ କିଛି ବି ଖାଉ ନଥିଲେ । ଆଉ ଶେଷରେ ଆଜି ତାଙ୍କର ଦେହାନ୍ତ ହୋଇଛି । ପତ୍ନୀଙ୍କ ବିୟୋଗ ପରେ ପରେ ମାଟି ଛାଡିଛନ୍ତି କବି । ଆକାଶରୁ ଡାକ ଶୁଭିଲା ପରେ ନିଜ ପ୍ରାଣପ୍ରିୟାଙ୍କ ପାଖକୁ ଚାଲିଯାଇଛନ୍ତି କବି ରାଜେନ୍ଦ୍ର କିଶୋର ପଣ୍ଡା।

RIP
RIP Photograph: (Sambad.in)

ଅଧିକ ପଢନ୍ତୁ-

Last Fb Post: ଭାଇରାଲ୍‌ ହେଉଛି କବିଙ୍କ ଶେଷ ଫେସ୍‌ବୁକ୍‌ ପୋଷ୍ଟ୍‌

ତାଙ୍କର ଅନେକ କବିତାର କାବ୍ୟ ନାୟିକା ସୁତପା ଥିବା ବେଳେ ସେମିତି ଏକ ରୋମାଣ୍ଟିକ କବିତା ଆଜି ଆମେ ଆପଣଙ୍କୁ ପଢାଉଛୁ । 

"ମୋତେ ପୀତାଂବରୀ କହିଲ 
ଫିକା କେଶର ରଙ୍ଗର ଶାଢ଼ୀ
ପିଂଧେ ବୋଲି 
କହିଲ … କାହିଁକି ?"  
ସୁତପା ପଚାରିଲା ଅଭିମାନରେ । 
"ସେତେବେଳେ 
ସେମିତି ଦିଶିଥିଲ ମୋତେ, 
ସୁତପା, ରାଗନା",  
ମୁଁ କହିଲି ଆଶ୍ବାସନାରେ । 

"ଓଃ,ଏମିତି", 
ସୁତପା ହସିଲା,  
"ଆଚ୍ଛା" । 
"ଆଚ୍ଛା" । ମୁଁ  ବି ହସିଲି । 

ବହୁରଂଗୀ ଶାଢ଼ୀ ତାର ପସଂଦ,
ପାଷ୍ଟେଲ୍‌ ରଂଗ ବି ତାକୁ ମାନେ ।  
ଶାଢ଼ୀ,ସାଲ୍‌ୱାର୍‌-କମିଜ୍‌, 
ମ୍ୟାକ୍ସି ଗାଉନ୍‌, ଡେନିମ୍‌ ଜିନ୍ସ୍, 
ଥ୍ରୀ-ଫୋର୍ଥ୍ ,ଶର୍ଟସ୍‌  
ସବୁ ତା'କୁ ମାନେ ।  
ସେ ନୀଳ ଭାବିଲେ ଆକାଶ 
ହଳଦିଆ ଭାବିଲେ ଚଂପକ-ବନ 
ଫିକା ବାଇଗେଣୀ ଭାବିଲେ ଲାଭେଣ୍ଡର୍‌ 
ଶାଗୁଆ ଭାବିଲେ
ନୈମିଷାରଣ୍ୟ 
ଧଳା ଭାବିଲେ କ୍ଷୀର ସମୁଦ୍ର 
ଅଳି କରନ୍ତି : 
"ମୋତେ ପିଂଧ" !  

ମୁଁ ଦେଖିପାରେ ।  
ସେ ଦିକ୍‌ ପିଂଧିବାକୁ ଚାହିଁଲେ 
ଦଶ-ଦିଗ ଆଉ ମହାନିସର୍ଗ 
ବେଢ଼େଇ ଧରନ୍ତି  
ପୂତ ସ୍ବଚ୍ଛତାରେ ।  

ଏମିତି କିଛି ନାହିଁ  
ଏଇ ସୃଷ୍ଟିରେ  
ଯାହା ସୁଂଦରତର ହୋଇ 
ଶୋଭା ପାଏନା 
ସେ ପିଂଧିଲେ । 

ମୋତେ ଦୃଶ୍ୟ ହୁଏ । 

ଆପଣଂକୁ ବି ଦିଶିବ 
ଲୟ କଲେ…

ବିବାହ ବାର୍ଷିକୀରେ ଲେଖିଥିଲେ ଏମିତି କଥା…

ଅତି ଚମତ୍କାର କବିତା ଲେଖି ପାଠକଙ୍କ ମନ ଜିଣୁଥିବା ସେହି ମହାନ କବି ଆଜି ଶେଷ ନିଦ୍ରାରେ । ନିଜ ପତ୍ନୀଙ୍କୁ ସେ କେତେ ଭଲପାଆନ୍ତି ତାହା ତାଙ୍କର ଏକ ଫେସବୁକ ପୋଷ୍ଟରେ ଦେଖିବାକୁ ମିଳିଥିଲା । ଗତ ଏପ୍ରିଲ ମାସ ୧୮ ତାରିଖରେ ନିଜ ପତ୍ନୀଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ । ନିଜ ବିବାହ ବାର୍ଷିକୀ ଅବସରରେ ସେ ଲେଖିଥିଲେ - ୧୮ ଏପ୍ରିଲ୍ ୧୯୭୧ ତାରିଖରେ ଆମର ବିବାହ । ୫୪ ବର୍ଷର ଗାର୍ହସ୍ଥ୍ୟ ବିତିଗଲାଣି । ଏବେ ଜୀବନ ସଂଧ୍ୟା।

april 18
april 18 Photograph: (sambad.in)

ମରିକି ବି ଅମର… ରାଜେନ୍ଦ୍ର କିଶୋର

କବି ନିଜ ସୃଷ୍ଟିରେ ତ ଅମର ରହିବେ କିନ୍ତୁ ତାଙ୍କ କାର୍ଯ୍ଯ ପାଇଁ ବି ସେ କିଛି ଲୋକଙ୍କ ଦେହରେ ଜୀବିତ ରହିବେ । ମାନେ ମରି କି ବି ଅମର… ରାଜେନ୍ଦ୍ର କିଶୋର । ପ୍ରଥିତଯଶା କବି, ଔପନ୍ୟାସିକ ଓ ପୂର୍ବତନ ପ୍ରଶାସକ ରାଜେନ୍ଦ୍ର କିଶୋର ଅଙ୍ଗ ଦାନ କରି ବି ସେ ଆଜି ଅମର ହୋଇଯାଇଛନ୍ତି । ଶରୀର ଦାନ ପାଇଁ ପୂର୍ବରୁ ଆଫିଡେଭିଟ କରିଥିଲେ କବି ରାଜେନ୍ଦ୍ର କିଶୋର ପଣ୍ଡା । ଆଜି ମଧ୍ୟାହ୍ନରେ ଘରେ ଶଯ୍ୟାଶାୟୀ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଏମ୍ସକୁ ତାଙ୍କ ମରଶରୀର ଦାନ କରିଦିଆଯିବ । ପୂର୍ବରୁ କବି ରାଜେନ୍ଦ୍ର ପଣ୍ଡା ସ୍ନାୟବିକ ସମସ୍ୟା କାରଣରୁ ଅସୁସ୍ଥ ରହିଥିଲେ ଏବଂ ଗତ ସେପ୍ଟେମ୍ବର ୧୩ ତାରିଖରେ ସହଧର୍ମିଣୀ ସୌଭାଗ୍ୟ ମଞ୍ଜରୀଙ୍କ ଦେହାନ୍ତ ହୋଇଥିଲା ଯେଉଁଥି ପାଇଁ ଶାରୀରିକ ଓ ମାନସିକ ସ୍ତରରେ କବି ଆହୁରି ଭାଙ୍ଗି ପଡ଼ିଥିଲେ । ତେବେ ବର୍ତ୍ତମାନ କବିଙ୍କ ଇଚ୍ଛା ଅନୁଯାୟୀ ଶରୀର ଦାନ ପାଇଁ ପରିବାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଦୁଇଝିଅ ।

Rajendra Kishore Panda
Rajendra Kishore Panda Photograph: (sambad.in)

ରିପୋର୍ଟ- ଶ୍ରୀମା ଶତପଥୀ