Ranchi-Vijayawada National Highway in a dangerous state: 8 dead and over 20 injured in more than 15 accidents in 3 months Photograph: (sambad.in)
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଦେଇ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଯାଇଛି । ଜିଲ୍ଲାର ଅଧିକାଂଶ ଛୋଟବଡ ସହରରେ ବାଇପାସ୍ ନିର୍ମାଣ କରାଯାଇଥିବା ବେଳେ ରାଇରଙ୍ଗପୁର ସହର ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବାଇପାସ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ବାଇପାସ୍ ନିର୍ମାଣ ପାଇଁ ଗତ ୨୦୨୪ ମସିହା ଫେବ୍ରୁଆରି ମାସରେ ଶିଳାନ୍ୟାସ ହୋଇଥିଲା ।
୨୦୨୪ ମସିହା ଅଗଷ୍ଟ ମାସରେ ବାଇପାସ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଥିଲା କିନ୍ତୁ ପରେ ପ୍ରଶାସନ ନିରବ । ତେବେ ଅଧିକାଂଶ ବିଦ୍ୟାଳୟ ଓ କଲେଜ ଜାତୀୟ ରାଜପଥ ପାର୍ଶ୍ବରେ ଥିବାରୁ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ବିପଜ୍ଜନକ ଭାବେ ରାସ୍ତା ପାରିହେବା ସହିତ ଯିବାଆସିବା କରିଥାନ୍ତି । ଯାହାଫଳରେ ବିଭିନ୍ନ ସମୟରେ ଛୋଟବଡ ଦୂର୍ଘଟଣାମାନ ଘଟିଥାଏ ।
ତେବେ ରାଇରଙ୍ଗପୁର ସହର ସନ୍ନିକଟ ପୁରୁଣାଘାଟି ପେଟ୍ରୋଲ ପମ୍ପଠାରୁ ଭାଲୁବସା ପର୍ଯ୍ୟନ୍ତ ଏବଂ ପୁରୁଣାପାଣି ନିକଟରେ ଶତାଧିକ ଲୁହାପଥର ବୋଝେଇ ଟ୍ରକ୍ ରାସ୍ତା ଉପରେ ଛିଡା ହୋଇଥାଏ । କୌଣସି ଟ୍ରକ୍ ପାର୍କିଂ ଲାଇଟ୍ ଜଳାଉ ନଥିବାରୁ ରାତ୍ରି ସମୟରେ ପଥଚାରୀମାନେ ଜାଣି ନପାରି ଟ୍ରକକୁ ଧକ୍କା ଦେଇଥାନ୍ତି । ଦୁର୍ଘଟଣା ଯୋଗୁ ଗତ ୩ ମାସ ମଧ୍ୟରେ ପ୍ରାୟ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି ।
ଏହା ବ୍ୟତିତ ଦିନ ସମୟରେ ମଧ୍ୟ ଭାରିଯାନ ଗୁଡିକ କିଛି ସ୍ଥାନରେ ଧାଡି ବାନ୍ଧି ଛିଡା ହେଉଥିବାରୁ ଅନ୍ୟ ଯାନ ଉକ୍ତ ରାସ୍ତାଦେଇ ପାରହେଉଥିବା ସମୟରେ ଯାନ ଗୁଡିକ ଯିବା ଆସିବା କରିବାରେ ଅସୁବିଧା ହେଉଛି ।
ଭାଲୁବସା ଓ ପୁରୁଣାପାଣିଠାରେ ରାଇରଙ୍ଗପୁର ଟାଉନ ଥାନା ପକ୍ଷରୁ ଜଣେ ଲେଖାଁଏ ହୋମଗାର୍ଡ ନିୟଜିତ କରାଯାଇଥିଲେ ମଧ୍ୟ ଏଭଳି କାର୍ଯ୍ୟକୁ ବିରୋଧ କରନ୍ତି ନାହିଁ । ନୋ ପାର୍କିଂ ଜୋନ୍ରେ ଦୀର୍ଘ ସମୟ ଧରି ଶତାଧିକ ଯାନ ବେଆଇନ୍ ଭାବେ ଛିଡା ହେଉଥିଲେ ମଧ୍ୟ ପୁଲିସ ପ୍ରଶାସନ କିମ୍ବା ପରିବହନ ବିଭାଗ ପକ୍ଷରୁ କୌଣସି ଚାଲାଣ ମଧ୍ୟ କଟା ଯାଉ ନଥିବାରୁ ବୁଦ୍ଧିଜୀବୀ ମହଲରେ ନାନା ପ୍ରଶ୍ନ ଉଠୁଛି ।
ଅଧିକ ପଢ଼ନ୍ତୁ: ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ଗତ ଏକ ମାସ ମଧ୍ୟରେ ଏହି ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଏହା ବ୍ୟତିତ ଦିନବେଳା ଲୁହାପଥର ଟ୍ରକ୍ ଗୁଡିକ ସହର ଦେଇ ଯିବା ଆସିବା କରୁଥିବାରୁ ସହରରେ ଅଞ୍ଚଳବାସୀ ଯାତାୟତ କରିବାକୁ ଭୟ କରୁଛନ୍ତି । ତେବେ ବାଇପାସ୍ ନିର୍ମାଣ ହେଲେ ଦୁର୍ଘଟଣା ସଂଖ୍ୟା କମିବ ବୋଲି କୁହାଯାଉଛି । ତେବେ ବାଇପାସ୍ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି।
ସ୍ଥାନୀୟ ପୁଲିସ୍ ଓ ପରିବହନ ବିଭାଗ ପକ୍ଷରୁ ଲୁହାପଥର ଟ୍ରାନ୍ସପୋର୍ଟ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହେଉଛି ।
ଅଧିକ ପଢ଼ନ୍ତୁ: କିଏ ସେ ଶତ୍ରୁ ? ଯିଏ ଲୁଚି ଲୁଚି ଦେଇଛି ଭୟଙ୍କର ହତ୍ୟା ଧମକ, ଲରେନ୍ସ ଗ୍ୟାଙ୍ଗର ରହିଛି କି ହାତ ?
Mayurbhanj | Accident
Follow Us