ଭୁବନେଶ୍ବର: ବିଜେପି ସରକାର କଦାପି ଲୋକଙ୍କ ସରକାର ନୁହେଁ। ଗରିବଙ୍କ ପେଟରେ ନାତ ମାରିବାକୁ ନୂଆ ନୂଆ ଫନ୍ଦି କରୁଛନ୍ତି। ଇ-କେୱାଇସି ପରେ ଏବେ ସର୍ଭେ ନାଁରେ ଆତଙ୍କରାଜ ଚାଲିଛି। ଯେଉଁ ନୂଆ ନିୟମ ଆଳରେ ହିତାଧିକାରୀଙ୍କୁ କଟାଯାଉଛି, ତାହା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଏ ସରକାର କିଛି ଦେବା ଶିଖିନାହାନ୍ତି, ଖାଲି ନେବା ଶିଖିଛନ୍ତି। ରାସନ କାର୍ଡ କାଟି ଲୋକଙ୍କୁ ଖାଇବାକୁ ନଦେବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ। ଆଜି ବିଧାନସଭାରେ ‘ଇ-କେୱାଇସି ପରେ ସର୍ଭେ ଆଳରେ ଲୋକଙ୍କ ରାସନ୍ କାର୍ଡ କାଟୁଛନ୍ତି ସରକାର’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଏମିତି ଭାଷାରେ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ।
ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ହିତାଧିକାରୀଙ୍କ ନାଁ କାଟିବା ପାଇଁ ଯେଉଁ ନିୟମାବଳୀ କରାଯାଇଛି, ତାହା ଅତ୍ୟନ୍ତ ବିଭ୍ରାନ୍ତିକର। ମାସିକ ୧୦ ହଜାର ଟଙ୍କା ରୋଜଗାର ହେଲେ, ସେ ରାସନ କାର୍ଡ ପାଇବ ନାହିଁ ବୋଲି କୁହାଯାଉଛି। ସୁଭଦ୍ରା, ପିଏମ୍ କିଷାନ୍ ଓ ସିଏମ୍ କିଷାନ୍ ଯୋଜନାରେ ମିଳୁଥିବା ଅର୍ଥକୁ ଏହି ଆୟ ଭିତରେ ମିଶାଯାଉଛି କି? ଅଢ଼େଇ ଏକର ଜମି ଥିଲେ କାର୍ଡ କଟିଯିବ। କିନ୍ତୁ ଅଢ଼େଇ ଏକର ଜମିରୁ ଯେତିକି ଧାନ ଅମଳ ହେବ, ତାହାର ଏମ୍ଏସ୍ପି ଦର ଏକ ଲକ୍ଷ ୨୦ ହଜାର ହେବ ନାହିଁ। ତେଣୁ ସେହି ବ୍ୟକ୍ତିଙ୍କୁ ଧନୀ ଘୋଷଣା କରି ଚାଉଳ ନଦେବା ଆଶ୍ଚର୍ଯ୍ୟର କଥା। ସେମିତି ଲଗାତାର ୬ ମାସ ଚାଉଳ ନ ନେଇଥିଲେ ନାଁ କଟିଯିବ। କିନ୍ତୁ ଯେଉଁମାନେ ଦାଦନ ଯାଇଥିବେ ସେମାନେ କିପରି ଚାଉଳ ଉଠାଇବେ? ଦାଦନ ପାଇଁ ଯେଉଁ କମିଟି ଗଢ଼ାଯାଇଥିଲା, ତାହାର ଭାଗ୍ୟ କ’ଣ ମା’ ଗଙ୍ଗେଇଙ୍କୁ ଜଣା। ଗୋଟିଏ ପଟେ ଲଲିପପ୍ ଦେଇ ଅନ୍ୟ ବାଟରେ ତାହାକୁ ଛଡ଼ାଇ ନେବା କୌଶଳ ସରକାରଙ୍କୁ ଭଲ ଭାବେ ଜଣା। ଦେବୀରଞ୍ଜନ ତ୍ରିପାଠୀ କହିଥିଲେ, ଏ ସରକାରର ବହୁ ପ୍ରକାର ଚିତ୍ର, ଚରିତ୍ର ଅଛି। ଇଣ୍ଟର୍ନେଟ୍ ସୁବିଧା ନଥିବା ଅଞ୍ଚଳରେ କିପରି ଇ-କେୱାଇସି ହେବ ତାହା ସ୍ପଷ୍ଟ କରାଯାଉନି। ସାରଦାପ୍ରସନ୍ନ ଜେନା କହିଥିଲେ, ଇ-କେୱାଇସି ଓ ସର୍ଭେ ନାଁରେ କିପରି ଆତଙ୍କରାଜ ହେଉଛି ତାହାର ଉଦାହରଣ ନୂଆପଡ଼ା। ରାସନ କାର୍ଡ କାଟିଦେବାର ଧମକ ଦେଇ ଭୋଟରଙ୍କୁ ପ୍ରଭାବିତ କରାଯାଇଥିଲା।
Science Programme: ଓପନ୍ ଡେ- ଆଇଆଇଏସଏଫ କର୍ଟେନ ରେଜର୍ ଇଭେଣ୍ଟରେ ଭାଗ ନେଲେ ୮୦୦ ଛାତ୍ରଛାତ୍ରୀ
ସରକାରଙ୍କ ବିରୋଧରେ ଗର୍ଜିଲେ ବିରୋଧୀ
ଉଦ୍ଦେଶ୍ୟମୂଳକ ଭାବେ ନାଁ କାଟିବାର ଅଭ୍ୟାସ ବିଜେଡିର ଅଛି: ବିଜେପି
କଂଗ୍ରେସ ବିଧାୟକ ଅଶୋକ ଦାସ କହିଲେ, ଇ-କେୱାଇସି ନାଁରେ ଉପଭୋକ୍ତାଙ୍କୁ ହନ୍ତସନ୍ତ କରାଯାଉଛି। ରାସନ କାର୍ଡର ରଙ୍ଗ ସିନା ବଦଳୁଛି, କିନ୍ତୁ ଲୋକଙ୍କୁ କିଛି ସୁବିଧା ମିଳୁନି। ଇ-କେୱାଇସିରେ ଯେଉଁ ମାନଦଣ୍ଡ କରାଯାଇଛି, ତାହା ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। ଚାରିଚକିଆ ଯାନ ଥିଲେ ରାସନ କାର୍ଡ କାଟି ଦିଆଯାଉଛି। କିନ୍ତୁ ଯିଏ ଋଣ କରି କାର୍ କିଣି ନିଜ ପେଟ ପୋଷୁଛି, ସେ କିପରି ରାସନ କାର୍ଡ ପାଇବାକୁ ଯୋଗ୍ୟ ହେବନି? ଋଣ କରି ଟ୍ରାକ୍ଟର କିଣି ନିଜେ ଚାଷ କରୁଥିବା ଲୋକ କେଉଁ ଆଧାରରେ ରାସନ କାର୍ଡ ପାଇବନି? ତେଣୁ ଏହାକୁ ଠିକ୍ ଭାବେ ତଦନ୍ତ କରାଯାଉ। ସିଏସ୍ ରାଜନ୍ ଏକ୍କା କହିଲେ, ଅଢ଼େଇ ଏକର ଜମି ଥିଲେ ରାସନ କାର୍ଡ କାଟିଦେଉଛ। କିନ୍ତୁ ସେହି ଜମିରୁ ରୋଜଗାର କେତେ ହୋଇପାରୁଛି, ତାହାକୁ ଦେଖ। ଖଣିଖାଦାନ ଭରା ଓଡ଼ିଶାରେ ଏବେ ବି ଲୋକଙ୍କୁ ଖାଇବାକୁ ଦେଇ ନପାରିବା ଦୁର୍ଭାଗ୍ୟର ବିଷୟ। ଗୋଟିଏ ପଟେ ଯେଉଁ ସ୍ବାସ୍ଥ୍ୟ କାର୍ଡ ଦେଉଛ, ତାହା ଠିକ୍ ଭାବେ କାର୍ଯ୍ୟ କରୁନି। ପୁଣି ଏପଟେ ରାସନ କାର୍ଡ କାଟି ଲୋକଙ୍କୁ ହଇରାଣ କରୁଛ।
ବିରୋଧୀଙ୍କ ଯୁକ୍ତିକୁ ଗ୍ରହଣ କରି ନଥିଲେ ଶାସକ ଦଳ ବିଧାୟକ। ଅମର ନାୟକ କହିଥିଲେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ଇ-କେୱାଇସି ଚାଲିଛି। ଉଦ୍ଦେଶ୍ୟମୂଳକ ଭାବେ କାହାକୁ ରାସନ କାର୍ଡରୁ ବଞ୍ଚିତ କରିବାର ଅଭ୍ୟାସ ବିଜେଡିର ଅଛି। ବର୍ତ୍ତମାନର ସରକାରଙ୍କ ସେ ଉଦ୍ଦେଶ୍ୟ ନାହିଁ। ୨୦୧୫ରୁ ୨୦୨୪ ମଧ୍ୟରେ ୧୦ ଲକ୍ଷ ୫୪ ହଜାର ହିତାଧିକାରୀଙ୍କ କାର୍ଡ କଟାଇଥିଲା। କେବଳ ସେତିକି ନୁହେଁ, ସେମାନଙ୍କଠାରୁ ୪୨ କୋଟି ଟଙ୍କା ଆଦାୟ ବି କରାଯାଇଥିଲା। ଆଶ୍ରିତ ପଟ୍ଟନାୟକ କହିଥିଲେ, ଯେଉଁମାନେ ଜାଲିଆତି କରି କାର୍ଡ ହାତେଇଥିଲେ ସେମାନେ ହିଁ ବାଦ୍ ପଡ଼ୁଛନ୍ତି। ପ୍ରତାପଚନ୍ଦ୍ର ନାୟକ ଓ ପଦ୍ମଲୋଚନ ପଣ୍ଡା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିନାହାନ୍ତି: ମନ୍ତ୍ରୀ
Birsa Munda: ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ
ଭୁବନେଶ୍ବର: ରାସନ କାର୍ଡ ପ୍ରସଙ୍ଗରେ ବିରୋଧୀ ଦଳ ପକ୍ଷରୁ ଆସିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଜୁନ-୨୦୨୪ ପରେ ଇ-କେୱାସି ସର୍ଭେ ଆଳରେ କୌଣସି ଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ କଟି ନାହିଁ। ବରଂ ପୂର୍ବ ସରକାର ୨୦୧୫ରୁ ୨୦୨୪ ମଧ୍ୟରେ ୧୦ ଲକ୍ଷରୁ ଅଧିକ ପରିବାରର ରାସନ କାର୍ଡ କାଟିଥିଲେ। ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିଲା। କିନ୍ତୁ ଆମେ କାହାକୁ ଭୟଭୀତ କରୁ ନାହୁଁ। ଏହା ମଧ୍ୟରେ ୯୬ ପ୍ରତିଶତ ହିତାଧିକାରୀ ଇ-କେୱାଇସି କରିସାରିଲେଣି। ଏହାର ସମୟସୀମାକୁ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିରୋଧୀ କେବଳ ମନଗଢ଼ା ଗପ ଶୁଣାଉଛନ୍ତି।
୭୫ ହଜାର ସରକାରୀ କର୍ମଚାରୀ କାର୍ଡ ହାତେଇଥିଲେ
ମନ୍ତ୍ରୀ କହିଥିଲେ, ମିଥ୍ୟା କାଗଜପତ୍ର ଦେଇ କାର୍ଡ ହାତେଇଥିବା ହିତାଧିକାରୀଙ୍କୁ ଚିହ୍ନଟ କରିବା ଥିଲା ଇ-କେୱାଇସିର ଉଦ୍ଦେଶ୍ୟ। ଆମେ ଏହା ମଧ୍ୟରେ ୮ ଲକ୍ଷ ୧୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାରେ ସକ୍ଷମ ହୋଇଛୁ। ୬ ଲକ୍ଷ ୯୫ ହଜାର ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ହିତାଧିକାରୀଙ୍କ ତାଲିକାରୁ ବାଦ୍ ଦିଆଯାଇଛି। ବିଭିନ୍ନ ଜାଗାରେ ମୃତ୍ୟୁ ପରେ ବି ସେମାନଙ୍କ ନାଁରେ ରାସନ ଉଠାଯାଇ ଚଳୁ କରାଯାଉଥିଲା। ସେହିପରି ସରକାରୀ ଚାକିରି କରିଥିବା ୭୫ ହଜାର ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି। ଆୟକର ଦାଖଲ କରୁଥିବା ୪୫ ହଜାରରୁ ଅଧିକ ହିତାଧିକାରୀଙ୍କ ନାଁ କାଟି ଦିଆଯାଇଛି। ଏପରି ଅଯୋଗ୍ୟ ହିତାଧିକାରୀଙ୍କ ନାଁ କାଟି ସରକାର ୨୧୦ କୋଟି ଟଙ୍କାର ରାଜସ୍ବ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ମନ୍ତ୍ରୀ ଆହୁରି କହିଥିଲେ, ନୂଆ ସରକାର ଆସିଲା ପରେ ରାସନ କାର୍ଡ ପାଇଁ ୧୫ ଲକ୍ଷ ୩୩ ହଜାର ଆବେଦନ ହୋଇଛି। ଆବେଦନଗୁଡ଼ିକୁ ଯାଞ୍ଚ କରାଯାଇ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୩୯ ହଜାର ୮୨୭ ନୂଆ କାର୍ଡ ଆବଣ୍ଟନ ହୋଇଛି। ଗ୍ରାମାଞ୍ଚଳରେ ୧୩ ଲକ୍ଷ ୫୦ ହଜାର ଓ ସହରାଞ୍ଚଳରେ ୧ ଲକ୍ଷ ୫୦ ହଜାର ନୂଆ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/30/kyc-2025-11-30-00-30-49.jpg)