ତେଲକୋଇ: କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ଶବକୁ ଯନ୍ତ୍ରଣା। ଖବରଟି କାନକୁ ଅଡ଼ୁଆ ଶୁୁଭୁଥିଲେ ବି ସତ। ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ କିଛି ସପ୍ତାହ ହେବ ଶବ ବ୍ୟବଚ୍ଛେଦ ହେଉନାହିଁ। ସଂପର୍କୀୟଙ୍କୁ ଶବ ନେଇ ୭୦ କିଲୋମିଟର ଦୂର କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି। ଆତ୍ମୀୟଙ୍କୁ ହରାଇବାର ଯନ୍ତ୍ରଣାଠାରୁ ଏହା ବଳିପଡ଼ୁଛି। ଅଯଥା ଖର୍ଚ୍ଚାନ୍ତ ଓ ମାନସିକ ଉତ୍ପୀଡ଼ନରେ ଲୋକେ ଜର୍ଜରିତ ହେଉଛନ୍ତି। ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ଗୃହ ଅଛି। ହେଲେ ୪୦ ବର୍ଷ ତଳର ଏହି ଗୃହ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହା ବିଷଧର ସରୀସୃପଙ୍କ ଆବାସ ପାଲଟିଛି। ପାଣି ଓ ବିଦ୍ୟୁତ୍ ସଂଯୋଗ ନାହିଁ। କାନ୍ଥ ଫାଟି ଆଁ କରିଛି। ଏଭଳି ବିପଜ୍ଜନକ ଘରେ ଶବ ବ୍ୟବଚ୍ଛେଦ ନ କରିବା ଲାଗି ମାସେ ପୂର୍ବରୁ ଡାକ୍ତରମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ। ଡାକ୍ତରମାନେ ଶବ ବ୍ୟବଚ୍ଛେଦ କରୁନଥିବାରୁ ଏପର୍ଯ୍ୟନ୍ତ ୧୦ରୁ ଊର୍ଦ୍ଧ୍ବ ଶବ ବ୍ୟବଚ୍ଛେଦ ପାଇଁ ୭୦ କିମି ଦୂର କେନ୍ଦୁଝର ଗଲାଣି। ସେଠାକୁ ଗାଡ଼ିରେ ଶବ ବୋହିକି ନେବା କେବଳ ସମୟ ସାପେକ୍ଷ ନୁହେଁ, ବରଂ ମୃତକଙ୍କ ପରିବାର ଲୋକଙ୍କ ଉପରେ ଅତିରିକ୍ତ ୧୦/୧୨ ହଜାର ଟଙ୍କାର ଆର୍ଥିକ ବୋଝ ମଧ୍ୟ ପଡ଼ୁଛି। ଗରିବ ଲୋକମାନେ ଏଭଳି ଆର୍ଥିକ ବୋଝ ବୋହିବାକୁ ଅସମର୍ଥ।
Raid: ଖଣି ବିଭାଗର ଚଢଉ: ହାଇୱା-ଟ୍ରାକ୍ଟର ଜବତ
ସଡ଼କ ଦୁର୍ଘଟଣା, ନଦୀନାଳରେ ବୁଡ଼ି ତଥା ବନ୍ୟପ୍ରାଣୀ ଆକ୍ରମଣ, ହତ୍ୟା କିମ୍ବା ଆତ୍ମହତ୍ୟାଜନିତ ଅପମୃତ୍ୟୁ ଘଟଣାରେ ପରିବାର ସଦସ୍ୟ ଭାଙ୍ଗି ପଡୁଥିବା ବେଳେ ଶବ ବ୍ୟବଚ୍ଛେଦ ଯନ୍ତ୍ରଣା ଅଧିକ କଷ୍ଟ ଦେଉଛି ବୋଲି ଜଣେ ସଂପର୍କୀୟ କହିଛନ୍ତି। ଆଜି ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହେବା ପରେ ମୃତଦେହ କେନ୍ଦୁଝର ନିଆଯାଇଥିଲା। ନୂତନ ଶବ ବ୍ୟବଚ୍ଛେଦ ଗୃହ ତୁରନ୍ତ ନିର୍ମାଣ ସାଙ୍ଗକୁ ଅସ୍ଥାୟୀ ସେଡ୍ ନିର୍ମାଣ କରି ଶବ ବ୍ୟବଚ୍ଛେଦ କରିବାକୁ ଜିଲ୍ଲା ପରିଷଦ ସଦସ୍ୟ କେଦାର ଚନ୍ଦ୍ର ପ୍ରଧାନ, ସରପଞ୍ଚ ପାଙ୍ଗେଲା ମୁଣ୍ଡା, ବୁଦ୍ଧିଜୀବୀ ଦିଲୀପ କୁମାର ସାହୁ, ଗୌରୀ ପେଣ୍ଠେଇ, ଇନ୍ଦ୍ରମଣି ସାହୁ, ସୁରେଶ ଚନ୍ଦ୍ର ସାହୁ ଦାବି କରିଛନ୍ତି। ଏ ନେଇ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ମୌସୁମ ମାଝୀଙ୍କୁ ପଚାରିବାରୁ, ବିପଦସଙ୍କୁଳ ଗୃହରେ ଶବ ବ୍ୟବଚ୍ଛେଦ କରିବା ସମ୍ଭବ ନୁହେଁ। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ତଥା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସେ କହିଛନ୍ତି।
Follow Us