ପୁରୀ: ୩୦ ବର୍ଷ ତଳେ ପାନୀୟ ଜଳ ଯୋଗାଣ ପାଇଁ ପୁରୀ ସହରର ବିଭିନ୍ନ ଜାଗାରେ ଭୂତଳ ପାଇପ୍‌ ପକାଯାଇଥିଲା। କ୍ରମେ ରାସ୍ତା ଉଚ୍ଚା ହୋଇ ଚାଲିଲା ଏବଂ ମାଟିତଳେ ଥିବା ପାଇପ୍‌ ତଳକୁ ତଳକୁ ଚାଲିଲା। ଏବେ ଏହି ପାଇପ୍‌ ରାସ୍ତାର ୬ଫୁଟ୍‌ ତଳେ ଅଛି। ଏଣୁ ଲିକ୍‌ ହେଲେ ଆଉ ମରାମତି ସମ୍ଭବ ହେଉ ନଥିଲା। ଲିକ୍‌କୁ ମରାମତି ନ କରି କଂକ୍ରିଟ୍‌ ଢଳେଇରେ ପୋତି ଦେଉଥିଲେ। ଫଳରେ ପାଇପ୍‌ରେ ହୋଇଥିବା ଫାଟ ଦେଇ ମାଟି, ସିମେଣ୍ଟ ପଶିଯିବାର ସମ୍ଭାବନା ରହିଥିଲା। ଏବେ ପୁରୁଣା ପାଇପ୍‌ ସବୁକୁ ହଟାଇବାକୁ ଯୋଜନା ହୋଇଛି। ଏଥିପାଇଁ ୱାଟ୍‌କୋ ଖର୍ଚ୍ଚ କରିବ ୫କୋଟି ୬୦ ଲକ୍ଷ। ଏଥିପାଇଁ ଟେଣ୍ଡର ଜରିଆରେ ଠିକା ସଂସ୍ଥା ଚୟନ ହୋଇଛି। ଖୁବ୍‌ଶୀଘ୍ର କାର୍ଯ୍ୟାଦେଶ ଦିଆଯିବ। 

Advertisment

୨୦୦୦ ମସିହା ପୂର୍ବରୁ ମାଟିତଳେ ପାନୀୟ ଜଳ ଯୋଗାଣ ପାଇପ୍‌ ବିଛାଯାଇଥିଲା। ମାଟିତଳେ ରାସ୍ତାକଡ଼ରେ ଏହି ସବୁ ପାଇପ୍‌ ପଡ଼ିଥିଲା। କ୍ରମେ ସହରର ବିଭିନ୍ନ ରାସ୍ତା ଚଉଡ଼ା ହୋଇଥିଲା। ତା ସହିତ ରାସ୍ତାର ନବୀକରଣ ହୋଇଥିଲା। ନିୟମ ଅନୁସାରେ ରାସ୍ତାକୁ ଖୋଳି ସମାନ ଉଚ୍ଚତା ବିଶିଷ୍ଟ କରିବା କଥା। ହେଲେ ପୌରସଂସ୍ଥା ଏବଂ ରାସ୍ତା ଓ କୋଠାବାଡ଼ି ବିଭାଜନ କୌଣସି ସଂସ୍ଥା ରାସ୍ତା ଖୋଳି ନୂଆ ରାସ୍ତା ତିଆରି କରୁନାହାନ୍ତି। ପୁରୁଣା ପିଚୁ ଉପରେ ନୂଆ ପିଚୁ ପକାଇ ଦେଉଛନ୍ତି। କଂକ୍ରିଟ୍‌ ରାସ୍ତା ଉପରେ ମଧ୍ୟ ସିମେଣ୍ଟ ବୋଳି ପେଭର ବ୍ଲକ୍‌ ପକାଇ ଦିଆଯାଉଥିବା ନଜିର୍‌ ରହିଛି। ଏଣୁ ଯେଉଁ ପାଇପ୍‌ଗୁଡ଼ିକ ମାଟିତଳେ ଥିଲା ରାସ୍ତା ସମ୍ପ୍ରସାରିତ ହେବା ପରେ, ତାହା ରାସ୍ତା ମଝିକୁ ଚାଲିଯାଇଥିଲା। ରାସ୍ତା ଖୋଳାନଯାଇ କାମ ହେଉଥିବାରୁ ରାସ୍ତାର ମୋଟେଇ ବଢ଼ିବଢ଼ି ଚାଲିବାରୁ ଭୂତଳ ପାଇପ୍‌ ୬ ଫୁଟ୍‌ ତଳକୁ ଚାଲିଯାଇଥିଲା। କଂକ୍ରିଟ୍‌ ରାସ୍ତା ତଳେ ଥିବା ପାଇପ୍‌ରୁ ପାଣି ଲିକ୍‌ ହେଲେ ତାହାକୁ ମରାମତି କରିବା ସମ୍ଭବ ହେଉ ନଥିଲା। ପାଣି କିଭଳି ଉପରକୁ ନ ଆସିବ ତାହାକୁ ବାଲି, ପକାଇ କଂକ୍ରିଟ୍‌ କରି ପୋତି ଦେଉଥିଲେ। 

Stolen: ବନ୍ଧମୁଣ୍ଡାରେ ପୁଣି ମାତିଲେ ଚୋର ଗ୍ୟାଙ୍ଗ, ନେଇ ଗଲେ ୧୦୦ ମିଟର ତମ୍ବା ତାର

ଅନ୍ୟପଟେ ଭୂତଳ ପାଇପ୍‌ ଫାଟିଗଲେ ମାଟି ନରମ ହୋଇଯାଉଥିବାରୁ ରାସ୍ତା ଦବି ଯାଉଥିଲା। ଅନେକ ସମୟରେ ରାସ୍ତା ନିର୍ମାଣରେ ଅନିୟମିତତା ଯୋଗୁ ରାସ୍ତା ଦବି ଯାଉଥିଲେ ମଧ୍ୟ ରାସ୍ତା ଓ କୋଠାବାଡ଼ି ବିଭାଜନ(ଆର୍‌ ଆଣ୍ଡ ବି) ୱାଟ୍‌କୋ ଦୋଷ ଦେଇ ବସିଯାଉଥିଲା କି ମାଟିତଳେ ପାଇପ୍‌ ଫାଟୁଥିବାରୁ ରାସ୍ତା ଦବି ଯାଉଛି। ନିକଟ ଅତୀତରେ କଲେଜ୍‌ ଛକ ଓ ଭିଆଇପି ରୋଡ୍‌ରେ ରାସ୍ତା ଦବିଯିବାରୁ ୱାଟ୍‌କୋ ଦୋଷ ଦେଇ ଆର୍‌ ଆଣ୍ଡ ବି ଖସି ଯାଇଥିଲା। ତେବେ ସବୁଠାରୁ ବଡ଼ ସମସ୍ୟା ଥିଲା କି ଭୂତଳ ପାଇପ୍‌ ଫାଟିଲେ ମାଟି ପଶିଯାଉଥିବାରୁ ପାନୀୟଜଳ ପ୍ରଦୂଷିତ ହୋଇ ପଡ଼ୁଥିଲା। ଲୋକ ଜାଣି ପାରୁ ନଥିଲେ। ସେହି ପ୍ରଦୂଷିତ ପାଣିକୁ ପିଇବା ପାଇଁ ବ୍ୟବହାର କରୁଥିଲେ। 

Kidnap: ପ୍ରତି ୨ଦିନରେ ଜଣେ ମହିଳା ଅପହୃତ

ଏଭଳି ନିୟମିତ ଚାଲିବାରୁ ପୁରୁଣା ପାଇପ୍‌କୁ ହଟାଇବାକୁ ଯୋଜନା ହୋଇଥିଲା। ଏଥିପାଇଁ ସର୍ଭେ ହେବା ପରେ ୱାଟ୍‌କୋର ୪ଟି ସେକ୍ସନରେ ୯.୬୮ କିମି ପାଇପ୍‌ ବିଛାଯିବାକୁ ଯୋଜନା ହୋଇଛି। ପ୍ରଥମେ ନୂଆ ପାଇପ୍‌ ବିଛାଯିବ। ସେଗୁଡ଼ିକର କମିସନିଂ ସଫଳ ହେବା ପରେ ପୁରୁଣା ପାଇପ୍‌ରୁ ସଂଯୋଗ ବିଚ୍ଛିନ୍ନ କରି ନୂଆ ପାଇପ୍‌ରେ ସଂଯୋଗ କରାଯିବ। ତେବେ କୌତୁହଳପ୍ରଦ ହେଉଛି ପୁରୁଣା ପାଇପ୍‌ଗୁଡ଼ିକୁ ଆଉ ହଟାଯିବ ନାହିଁ। ମାଟିତଳେ ପଡ଼ି ଖତ ଖାଇବ। ଏନେଇ ଆମ୍‌ ଆଦ୍‌ମୀ ପାର୍ଟି ସଞ୍ଜୀବ ମହାନ୍ତି କହିଛନ୍ତି, ପୁରୀ ମହାନଗର ନିଗମ ହୋଇଛି। ଏହାର କଳେବର ବଢ଼ିବା ସହ ଉନ୍ନତମାନର ସେବା ଯୋଗାଇ ଦେବାପାଇଁ ପ୍ରଶାସନ ପ୍ରୟାସ କରୁଛି। କିନ୍ତୁ ୟୁଟିଲିଟି କରିଡର କାହିଁକି କରାଯାଉନି? ରାସ୍ତା ଓ କୋଠାବାଡ଼ି ବିଭାଜନ ରାସ୍ତା ନିର୍ମାଣ କଲାବେଳେ ଏଭଳି ସ୍ବତନ୍ତ୍ର ୟୁଟିଲିଟି କଥା କାହିଁକି ଭୁଲିଯାଉଛି? ତଳେ କୋଟି କୋଟି ଟଙ୍କାର ପାଇପ୍‌ ପୋତା ହୋଇ ରହିଲା, ଏବେ ଉପରେ ୫ କୋଟି ପୋତା ହବ। ସାଧାରଣ ଲୋକଙ୍କ ଜୀବନ ସହ ଖେଳି ଆଉ କେତେ ଦିନ ଏମିତି ଚାଲିଥିବ? ଏନେଇ ୱାଟ୍‌କୋ ମହାପ୍ରବନ୍ଧକ ବିକ୍ରମ ରାଉତ କହିଛନ୍ତି, ନୂଆ ପାଇପ୍‌ ବିଛା ହୋଇ ଗଲେ ମାଟିତଳୁ ପାଇପ୍‌ ଫାଟି ପାଣି ଲିକ୍‌ ହେବା ଆଶଙ୍କା ରହିବ ନାହିଁ।