ଓଡ଼ିଶାର ଅନ୍ନଦାତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଛି: ଉପମୁଖ୍ୟମନ୍ତ୍ରୀ

ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବରେ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ଅଗ୍ରଣୀ ଗଣମାଧ୍ୟମ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ୧୬ତମ ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭରେ ପୁରସ୍କାର ପ୍ରଦାନ କରାଯାଇଛି...

Respect has been shown to Odisha's food donors: Deputy Chief Minister

Respect has been shown to Odisha's food donors: Deputy Chief Minister Photograph: (sambad.in)

ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବରେ ମାନ୍ୟତା ଦେଇ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ଭାରତର ଅଗ୍ରଣୀ ଗଣମାଧ୍ୟମ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ୧୬ତମ ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାରକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରହଣ କରିଛନ୍ତି । 

ନୂଆଦିଲ୍ଲୀରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଭାରତର ପୂର୍ବତନ ମୁଖ୍ୟ ବିଚାରପତି ତଥା ପୁରସ୍କାର କମିଟିର ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତ୍ତି ପି. ସଥାଶିବମ୍ ଏବଂ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ପୁରସ୍କାର ଓଡ଼ିଶାର ଚାଷୀଙ୍କ ନବସୃଜନ ଓ କଠିନ ପରିଶ୍ରମର ନିଦର୍ଶନ । ଓଡ଼ିଶାର ଅନ୍ନଦାତାଙ୍କୁ ଏହି ପୁରସ୍କାର ମୁଁ ଉତ୍ସର୍ଗୀକୃତ କରୁଛି । ଏହି ସମ୍ମାନ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଗ୍ରିକଲଚର ଟୁଡେ ଗ୍ରୁପ୍ ପ୍ରତି ଆନ୍ତରିକ କୃତଜ୍ଞତା ପ୍ରକାଶ କରୁଛି ଏବଂ ଭାରତ ବର୍ଷରେ ସ୍ଥାୟୀ କୃଷି ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଏକ ମଡେଲ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ସୂଚିତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ମତପ୍ରକାଶ କରି କହିଛନ୍ତି ।

ଏହି ଜାତୀୟ ମାନ୍ୟତା କୃଷି ଅଭିବୃଦ୍ଧି, ନବସୃଜନ ଓ ଅନ୍ତର୍ଭୁକ୍ତିମୂଳକ ବିକାଶରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତାକୁ ପ୍ରତିଫଳିତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

୨୦୨୪-୨୫ ଆର୍ଥିକ ବର୍ଷରେ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ଓଡ଼ିଶାର ମୋଟ ରାଜ୍ୟ ମୂଲ୍ୟ ସଂଯୋଜିତ (ଜିଏସଭିଏ) ​​ରେ ପ୍ରାୟ ୧୯% ଅବଦାନ ରଖିଥିଲେ, ଯାହା ଗତ ପାଞ୍ଚ ବର୍ଷର ଜାତୀୟ ହାରକୁ ଅତିକ୍ରମ କରି ୩.୩% ବୃଦ୍ଧି ପାଇଛି। କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରଗୁଡ଼ିକ ମିଳିତ ଭାବରେ ମୋଟ ଶ୍ରମଶକ୍ତିର ୪୯.୦ ପ୍ରତିଶତ ନିଯୁକ୍ତି ପ୍ରଦାନ କରି ରାଜ୍ୟର ଏକମାତ୍ର ବୃହତ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଭାବେ ବିବେଚିତ ହୁଏ ।

ଓଡ଼ିଶାର କୃଷି ପ୍ରଗତି ରାଜ୍ୟ ସରକାରଙ୍କ ଭବିଷ୍ୟତବାଦୀ ଅର୍ଥନୈତିକ ନୀତି, ନିରନ୍ତର ନୀତିଗତ ସମର୍ଥନ ଏବଂ ଗ୍ରାମୀଣ ଭିତ୍ତିଭୂମିରେ ପ୍ରମୁଖ ନିବେଶର ପରିଣାମ। ଫସଲ ବିବିଧତାକୁ ପ୍ରୋତ୍ସାହନ ଏବଂ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ପରିବେଶ ଅନୁକୂଳ ଅଭ୍ୟାସଗୁଡ଼ିକୁ ଗ୍ରହଣ ଆଜି ଓଡିଶାକୁ ଶୀର୍ଷରେ ପହଞ୍ଚାଇଛି । ୨୦୨୩-୨୪ରେ ରାଜ୍ୟର ଚାଉଳ ଉତ୍ପାଦନ ଥିଲା ୧୧୫.୩୯ ଲକ୍ଷ ମେଟ୍ରିକ ଟନ୍, ଯାହା ୧୭୪.୮୩ ଲକ୍ଷ ମେଟ୍ରିକ ଟନ୍ ଧାନ ସହିତ ସମାନ। ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)କୁ ଚାଉଳ ଯୋଗାଣରେ ଓଡ଼ିଶା ଚତୁର୍ଥ ସର୍ବବୃହତ ଚାଉଳ ଯୋଗାଣକାରୀ ରାଜ୍ୟ ଅଟେ ।

ଅଧିକ ପଢ଼ନ୍ତୁ: ସନ୍ତୋଷଙ୍କ ମନ୍ତବ୍ୟ ନେଇ ଚୁପ୍ କାହିଁକି ବିଜେପି ସରକାର: ସ୍ନେହାଙ୍ଗିନୀ ଛୁରିଆ

ପ୍ରଯୁକ୍ତିବିଦ୍ୟା ଗ୍ରହଣ, ଚାଷୀ ତାଲିମ ଏବଂ ମୂଲ୍ୟ ଶୃଙ୍ଖଳା ବିକାଶ ମାଧ୍ୟମରେ କୃଷିକୁ ଆଧୁନିକୀକରଣ କରିବା ଉପରେ ସରକାରଙ୍କ ଧ୍ୟାନ ଯୋଗୁଁ ଓଡ଼ିଶାରେ ଉତ୍ପାଦନରେ ଉନ୍ନତି, ଗ୍ରାମୀଣ ଆୟ ବୃଦ୍ଧି ଏବଂ ଖାଦ୍ୟ ସୁରକ୍ଷାରେ ଉନ୍ନତି ପରିଲକ୍ଷିତ ହୋଇଛି । ଗତ ବର୍ଷ ଭାରତ ମଧ୍ୟରେ, ଓଡ଼ିଶାରେ ସର୍ବାଧିକ ଟ୍ରାକ୍ଟର ବିକ୍ରୟ ହୋଇଛି। ୨୦୨୪-୨୫ ବର୍ଷରେ ରାଜ୍ୟର କୃଷି ଶକ୍ତି ଇନପୁଟ୍ ହେକ୍ଟର ପିଛା ୨.୬୦ କିଲୋୱାଟରେ ପହଞ୍ଚିଛି। ୨୦୩୭ ସୁଦ୍ଧା ଏହା ହେକ୍ଟର ପିଛା ୩.୫ କିଲୋୱାଟରେ ପହଞ୍ଚିବା ଲକ୍ଷ୍ୟ ରହିଛି।

ଓଡ଼ିଶା ୧୨୧.୮୨ ମେଟ୍ରିକ ଟନ୍ ଉଦ୍ୟାନଜାତୀୟ ଉତ୍ପାଦ ଯଥା ଡ୍ରାଗନ୍ ଫଳ, କାଜୁ, ଆମ୍ବ ଓ ବିଭିନ୍ନ ପ୍ରକାରର ପନିପରିବା ମଧ୍ୟ-ପୂର୍ବ ଦେଶ ଯେପରିକି ୟୁଏଇ, କତାର, ଇଂଲଣ୍ଡ, ଆୟରଲ୍ୟାଣ୍ଡ, ଫ୍ରାନ୍ସ, ଇଟାଲୀ, ସ୍ୱିଡେନ, ବେଲଜିୟମ, ପୋଲାଣ୍ଡ ଓ ଜର୍ମାନୀକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱର ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର, କୋଲକାତା ମାଧ୍ୟମରେ ରପ୍ତାନି କରିଛି।

ସବୁ ପ୍ରକାର ଫଳ ଉତ୍ପାଦନ ଦୃଷ୍ଟିରୁ ଓଡ଼ିଶା ଭାରତରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ, କନ୍ଦମୂଳ ଉତ୍ପାଦନରେ ପ୍ରଥମ ସ୍ଥାନ, ପାଳ ଛତୁ ଉତ୍ପାଦନରେ ପ୍ରଥମ ସ୍ଥାନ, ବାଇଗଣ, ବନ୍ଧାକୋବିରେ ଦେଶରେ ଦ୍ୱିତୀୟ ସ୍ଥାନରେ, କାଜୁ-ବାଦାମରେ ତୃତୀୟ ସ୍ଥାନ, ତରଭୁଜ, ଫୁଲକୋବି, ଭେଣ୍ଡି ,ଟମାଟୋ, ଲେମ୍ବୁ ଓ ନଡ଼ିଆ ଉତ୍ପାଦନରେ ୫ମ ସ୍ଥାନରେ ରହିଛି । ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ କୃଷି ବିକାଶ ପାଇଁ ଓଡ଼ିଶାର ପ୍ରତିବଦ୍ଧତା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ ଅନୁକରଣୀୟ ମାନଦଣ୍ଡ ସ୍ଥାପନ କରିଛି। 

ଏହି ସମ୍ମିଳନୀରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ; ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ପି. ସଥାଶିବମ୍,  ହରିୟାଣା ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସାଇନି ଯୋଗ ଦେଇଥିଲେ । ନେଦରଲ୍ୟାଣ୍ଡ, ଆର୍ଜେଣ୍ଟିନା, ବ୍ରାଜିଲର ରାଷ୍ଟ୍ରଦୂତ, କାନାଡାର ଉଚ୍ଚାୟୁକ୍ତ, କର୍ପୋରେଟ୍ କ୍ଷେତ୍ର, ସ୍ୱାସ୍ଥ୍ୟ, ଶିଳ୍ପ, ଶିକ୍ଷା, ଗବେଷଣା, ବ୍ୟାଙ୍କିଂ, କୀଟନାଶକ ଉତ୍ପାଦନ, କୃଷି ଯନ୍ତ୍ରପାତି ଉତ୍ପଦକ, ଆର୍ଥିକ ପ୍ରତିଷ୍ଠାନ ଭଳି ଅନେକ କ୍ଷେତ୍ରରୁ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

ଅଧିକ ପଢ଼ନ୍ତୁ:ବର୍ଷା ପାଇଁ ଦିଲ୍ଲୀରୁ ହରିୟାଣା ହାହାକାର: ବୁଡ଼ିଛି ରାସ୍ତା, ଭାସୁଛି ସହର.. ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ

KV SInghdeo 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe