ଭୁବନେଶ୍ୱର: ଯେମିତି ବିନା ସମାଲୋଚନାରେ ସୁଧୁରେନି ଜୀବନ, ଠିକ୍ ସେମିତି ସମାଲୋଚନା ବିନା ବି ସୁଦୃଢ଼ ହୁଏନି ସାହିତ୍ୟ ଓ ସୃଜନ। ସମାଲୋଚନା ଏକ ଦାୟିତ୍ବପୂର୍ଣ୍ଣ କାର୍ଯ୍ୟ। ପ୍ରକୃଷ୍ଟ ବନ୍ଧନକୁ ପ୍ରବନ୍ଧ କୁହାଯାଏ ବୋଲି ‘ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ’ ପ୍ରସଙ୍ଗରେ ‘ସମ୍ବାଦ ସାହିତ୍ୟ ପକ୍ଷ’  ମଞ୍ଚରେ ମତ ପ୍ରକାଶ ପାଇଛି। ‘ସମ୍ବାଦ ସାହିତ୍ୟ ପକ୍ଷ’   ଦ୍ବିତୀୟ ସଂସ୍କରଣର ତୃତୀୟ ସନ୍ଧ୍ୟାର ମଞ୍ଚକୁ ଆଜି ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁଙ୍କୁ ସମର୍ପିତ କରାଯାଇଥିଲା। ବିଶିଷ୍ଟ ଲେଖକ ତଥା ‌ସମାଲୋଚକ କଇଳାଶ ପଟ୍ଟନାୟକ ଉତ୍ସବକୁ ଉଦ୍‌ଘାଟନ କରି ଏକ କାହାଣୀ ମାଧ୍ୟମରେ ଆଶୀର୍ବଚନ ପ୍ରଦାନ କରିଥିଲେ।   ଆଳାପ ଅଧିବେଶନରେ ‘ପ୍ରବନ୍ଧର ପାଠକୀୟତା’ ପ୍ରସଙ୍ଗରେ ଗାନ୍ଧୀ ସାହିତ୍ୟର ଜଣାଶୁଣା ଲେଖକ ଓ ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡ଼ାଙ୍କ ସହ ଆଳାପ କରିଥିଲେ ବିଶିଷ୍ଟ କବି ଓ ସ୍ତମ୍ଭକାର ଧନଞ୍ଜୟ ସ୍ବାଇଁ। ସେଥିରେ ପ୍ରବନ୍ଧର ପୃଷ୍ଠଭୂମି ଉପରେ ମତ ପ୍ରକାଶ କରିଥିଲେ ଶ୍ରୀଯୁକ୍ତ ପରିଡ଼ା। ସେ କହିଥିଲେ, ପ୍ରବନ୍ଧ ଲେଖକ ନିଜ ଲେଖାର ପ୍ରଥମ ପାଠକ। ତେବେ ପ୍ରବନ୍ଧ ବାହାରିବା ପରେ ତାହା ପାଠକର ହୋଇଯାଏ। ପାଠକ ଲେଖାକୁ ଭୁଲିଗଲେ ଲେଖକର ଦେହାନ୍ତ ହୋଇଯାଏ। ପ୍ରବନ୍ଧରେ କେବଳ ସତ୍ୟ ଓ ତଥ୍ୟ ଥାଏ। ପ୍ରବନ୍ଧରେ ଯୁକ୍ତି ନଥିଲେ ତାହା ପ୍ରବନ୍ଧ ନୁହେଁ।

Advertisment

Congress: କଂଗ୍ରେସର ଘୋଷଣା: ଜଗତସିଂହପୁରରେ ୧୧ ଉପସଭାପତି, ୧୧ ସାଧାରଣ ସମ୍ପାଦକ

ତୃତୀୟ ସଞ୍ଜରେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ
ଆଳାପ, ଆଲୋଚନା, ଆବୃତ୍ତି
ମନ ମୋହିଲା ‘ବଧୂ ନିରୁପମା’

ପ୍ରବନ୍ଧ ଗୋଟିଏ ପଥୁରିଆ ପ୍ରସଙ୍ଗ, ତାକୁ ଶୈଳୀରେ ବାଢ଼ିପାରିଲେ ତାହା ଭଲଲାଗେ। ନୂତନ ପିଢିଙ୍କୁ ସଂକ୍ଷିପ୍ତରେ ଏବଂ ସରଳ ଭାଷାରେ ଲେଖିବାକୁ ପରାମର୍ଶ ଦେବା ସହ ‘ଆଗେ ପଢ଼, ପରେ ଭାବ, ତା’ପରେ ଲେଖ’ ବୋଲି ଶ୍ରୀ ପରିଡ଼ା କହିଥିଲେ।  ଆଜି ମଞ୍ଚରେ ‘ନୂଆପିଢ଼ି: ସାହିତ୍ୟ ଓ ସମାଲୋଚନାର ଗତି ଓ ସ୍ଥିତି’ ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ ତିନି ଜଣ ବିଶିଷ୍ଟ ସମାଲୋଚକ ଓ ଗବେଷକ ସୁଧା ଦାଶ, ସୁବ୍ରତ ଦାସ, ସଂଜିତା ମିଶ୍ରଙ୍କ ସହ ଆଲୋଚନାକୁ ସଂଯୋଜନା କରିଥିଲେ ବରିଷ୍ଠ ସମାଲୋଚକ ସନ୍ତୋଷ କୁମାର ରଥ। ଆଜି ମଞ୍ଚ କବି ରସାନନ୍ଦ ସାହୁ, କବି ଆଶୁତୋଷ ଦାଶ ଏବଂ ଯୁବ କଥାକାର ସୁମନ ଦାଶଙ୍କ କବିତା ଓ ଗଳ୍ପ ଆବୃତ୍ତିରେ ଉଛୁଳିଥିଲା ଏବଂ କରତାଳିରେ କମ୍ପିଥିଲା ପରିସର। ସେହିପରି ପ୍ରଖ୍ୟାତ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ ‘ବଧୂ ନିରୁପମା’ ଉପନ୍ୟାସର କ୍ଷୁଦ୍ର ନାଟ୍ୟରୂପ ମଞ୍ଚରେ ଦର୍ଶକଙ୍କ ମନ ଜିଣିଥିଲା। ସ୍ବାମୀ-ସ୍ତ୍ରୀ ଓ ସାଂସାରିକ ଜୀବନର ସୁଖ-ଦୁଃଖର ଦୃଶ୍ୟ ଦର୍ଶକଙ୍କୁ ଛଳଛଳ କରାଇଥିଲା।

Congress Questions: ବାଣିଜ୍ୟ ଚୁକ୍ତି ନେଇ କେନ୍ଦ୍ରକୁ କଂଗ୍ରେସର ୪ ପ୍ରଶ୍ନ

ସଂଗ୍ରାମ ମିଶ୍ର ଏହାକୁ ନାଟ୍ୟ ରୂପାନ୍ତର କରିଥିବା ବେଳେ ବିପ୍ରଞ୍ଜୟ ନାୟକ ନିର୍ଦ୍ଦେଶନା ଦେଇଥିଲେ। ରାମେଶ୍ବରୀ, ରାକ୍ଷୀ ଓ ବିପ୍ରଞ୍ଜୟ ଏଥିରେ ଅଭିନୟ କରିଥିଲେ। ସମାଜରେ ବଢୁଥିବା ହାତଗୁଞ୍ଜାକୁ ନେଇ କବିତା ‘ଚୌକି ତଳୁ’କୁ ବ୍ୟଙ୍ଗାତ୍ମକ ଉପସ୍ଥାପନା କରିଥିଲେ କବି ଆଲୋକ କୁମାର ଦାସ।  ସମ୍ପାଦକ ବସନ୍ତ ମାଝୀ ଓ ସଂସଦର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଆଜି ‘ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ’କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ଅତିଥି ଲେଖକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ। ସବୁଦିନ ପରି ସାହିତ୍ୟର ପେଡ଼ି ଧରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଆର୍.ଜେ ଅନିଲ। ମଞ୍ଚ ସଂଯୋଜନା କରିଥିଲେ ମିଲନ୍ ଘଟୁଆରୀ। ଧନ୍ୟବାଦ ଅର୍ପଣ କରିଥିଲେ ସମ୍ବାଦର ସହ ସମ୍ପାଦକ ବନ୍ଦନା ମିଶ୍ର। ସୂଚନାଯୋଗ୍ୟ, ଫେବ୍ରୁଆରି ୪, ବୁଧବାର ଦିନ ‘ସମ୍ବାଦ ସାହିତ୍ୟ ପକ୍ଷ’ ମଞ୍ଚରେ ‘ନାଟକ ସାହିତ୍ୟ’ ଉପରେ ଆଲୋଚନା ହେବ।