କଟକ: ଏସ୍‌ସିବି ମେଡିସିନ୍ ଆଇସିୟୁରେ ସାଂଘାତିକ ଅବ୍ୟବସ୍ଥାର ଭିଡିଓ ଭାଇରାଲ୍‌ ପରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇସିୟୁ ଦାୟିତ୍ବରେ ଥିବା ପ୍ରଫେସର ଡାକ୍ତର ଶୁଭେନ୍ଦୁ ଆଚାର୍ଯ୍ୟଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି। ତିନି ଜଣ ନର୍ସିଂ ଅଫିସରଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ମେଡିସିନ୍ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରମାଣ ପାଇବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

Advertisment

Neglected: ବିଧବାରୁ ବାର୍ଦ୍ଧକ୍ୟ ହେଲେଣି, ମିଳୁନି ସରକାରୀ ଭତ୍ତା

ଜଣେ ମହିଳା ରୋଗୀ ବିଷକ୍ରିୟା ଯୋଗୁ ଏସ୍‌ସିବିର ମେଡିସିନ୍‌ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ହାତକୁ ଗଜ୍‌ କପଡ଼ାରେ ବାନ୍ଧି ରଖାଯାଇଥିଲା। ମହିଳା ଜଣକ ତାକୁ ଛିଣ୍ଡାଇ ତଳେ ପଡ଼ିଯାଇଥିଲେ। ଡ୍ୟୁଟିରେ ଥିବା ନର୍ସ ଏହି ସମୟରେ ଅନୁପସ୍ଥିତ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ନିକଟରେ ଥିବା ଜଣେ ବୃଦ୍ଧଙ୍କ ମୁହଁରୁ ଅକ୍ସିଜେନ୍ ମାସ୍କ ବାହାରି ତଳେ ପଡ଼ିଯାଇଥିଲା। ସେଠାରେ ବି ନର୍ସିଂ ଅଫିସର ଅନୁପସ୍ଥିତ ଥିଲେ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସରୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଇସିୟୁ ଇନ୍‌ଚାର୍ଜ, ପ୍ରଫେସର ଜୟନ୍ତ ପଣ୍ଡା, ଦୁଇ ଜଣ ଆସୋସିଏଟ୍ ପ୍ରଫେସର, ଦୁଇ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଏସ୍‌ଆର୍‌ ଡାକ୍ତର, ନର୍ସିଂ ଅଫିସର ପ୍ରମୁଖ ଯୋଗ ଦେଇଥିଲେ। ରବିବାର ରାତିରେ ଡ୍ୟୁଟି କରିଥିବା ଡାକ୍ତର, ନର୍ସିଂ ଅଫିସର୍‌, ଆଟେଣ୍ଡାଣ୍ଟ, ସୁରକ୍ଷାକର୍ମୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଭିଡିଓରେ ସତ୍ୟାସତ୍ୟ ପ୍ରମାଣ ମିଳିବା ପରେ ଏସ୍‌ସିବି ରେଜିଷ୍ଟ୍ରାର(ପ୍ରଶାସନ) ସୁବାସ ଚନ୍ଦ୍ର ରାୟ ଡାକ୍ତର ଓ ନର୍ସିଂ ଅଫିସରଙ୍କ ବଦଳି ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଥିଲେ। ପ୍ରଫେସର ଡାକ୍ତର ଶୁଭେନ୍ଦୁ ଆଚାର୍ଯ୍ୟଙ୍କୁ ଆଇସିୟୁ ଇନ୍‌ଚାର୍ଜ ଦାୟିତ୍ବରୁ ହଟାଇ ତାଙ୍କ ସ୍ଥାନରେ ତିନି ଡାକ୍ତରଙ୍କୁ ମେଡିସିନ୍ ଇନ୍‌ଚାର୍ଜ ଦାୟିତ୍ବ ଦିଆଯାଇଛି।

Horoscope 2026 February 11 : ଜାଣନ୍ତୁ ଆଜିର ରାଶିଫଳ

ରୋଗୀଙ୍କ ନିକଟରେ ନଥିଲେ ନର୍ସିଂ ଅଫିସର
ଏଣିକି ମେଡିସିନ୍ ଆଇସିୟୁର ଦାୟିତ୍ବରେ ତିନି ଡାକ୍ତର
ବିଭାଗୀୟ ମୁଖ୍ୟଙ୍କ ଅଧ୍ୟକ୍ଷତାରେ ବସିଲା କମିଟି

ଏଥିରେ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ଆସୋସିଏଟ୍‌ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ସାହୁ ଏବଂ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଦାୟିତ୍ବରେ ରହିବେ। ୬ ଜଣ ନୂଆ ନର୍ସିଂ ଅଫିସର ସେଠାରେ ନୂଆ ନିଯୁକ୍ତି ପାଇଛନ୍ତି। ୬ ଜଣ ନୂଆ ଆଟେଣ୍ଡାଣ୍ଟ, ୪ ଜଣ ନୂଆ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ସେଣ୍ଟ୍ରାଲ୍‌ ଆଇସିୟୁରେ ଥିବା ଜଣେ ନର୍ସିଂ ଅଫିସରଙ୍କୁ ମେଡିସିନ୍‌ ଆଇସିୟୁ ଦାୟିତ୍ବ ଦିଆଯାଇଛି। 
ଏସ୍‌ସିବି ଅତିରିକ୍ତ ଅଧୀକ୍ଷକ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଜ୍ୟୋତିର୍ମୟ ନାୟକ କହିଛନ୍ତି ଯେ ଏ ସଂପର୍କରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦାୟିତ୍ବରେ ଅବହେଳା କରିଥିବା କର୍ମଚାରୀଙ୍କୁ ବଦଳାଇ ଦିଆଯାଇଛି। ଭବିଷ୍ୟତରେ କୌଣସି କର୍ମଚାରୀ ଅବହେଳା ପ୍ରଦର୍ଶନ କରିବାର ନଜରକୁ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।