ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସହ ହାତ ମିଳାଇଛି ବିଜେଡି। ପୁଣି ‘ଧର୍ମନିରପେକ୍ଷତା’ କଥା ଉଠାଇ ବିଜେପିକୁ ଅଡ଼ୁଆରେ ପକାଇବାକୁ ଉଦ୍ୟମ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏହି ଘଟଣାର ଦିନକ ପରେ ଆଜି ଓଡ଼ିଶା ଗସ୍ତରେ ଆସିଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଏହି ସୁଯୋଗରେ ବିଜେଡିକୁ ଟାର୍ଗେଟ୍‌ କରିବାକୁ ଭୁଲିନାହାନ୍ତି ଶାହ। ପୂର୍ବ ସରକାର ଦୁଇ ଦଶନ୍ଧିରେ ଓଡ଼ିଶାକୁ ପଛକୁ ଠେଲି ଦେଇଥିଲେ ବୋଲି ଆରୋପ ଲଗାଇଥିଲେ। ପୁଣି ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ବରିଷ୍ଠ ନେତାମାନଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଥିଲେ। ଶାହଙ୍କ ଗସ୍ତକୁ ନେଇ ବିଜେପି ନେତାମାନେ ବେଶ୍ ଉତ୍ସାହିତ ହୋଇଛନ୍ତି। 

Advertisment

ବିଜେପି କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ବୈଠକ
ଶାହଙ୍କୁ ଭେଟିଲେ ଦିଲ୍ଲୀପ

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ବିଜେଡି ନାଁ ନେଇ ନଥିଲେ ବି ପୂର୍ବ ସରକାରକୁ ଭର୍ତ୍ସନା କରିଥିଲେ। ସେ କହିଥିଲେ, ଦୁଇ ଦଶନ୍ଧି ହେଲା ପୂର୍ବ ସରକାର ଓଡ଼ିଶା ପାଇଁ କିଛି ବିକାଶ କରି ନଥିଲେ। ଓଡ଼ିଶାର ଲୋକ ବାରମ୍ବାର ଭୋଟ୍ ଦେଇଥିଲେ ମଧ୍ୟ ପୂର୍ବ ସରକାର ଏହାକୁ ଜନତାଙ୍କ ବାଧ୍ୟବାଧକତା ବୋଲି ଭାବିଥିଲେ। ୨୦ ବର୍ଷ ହେଲା ଓଡ଼ିଶାର ବିକାଶ ଠପ୍ ଥିଲା। ୨୦ ବର୍ଷରେ ଯାହା ହୋଇ ନଥିଲା, ତାହା ଆମେ ପାଞ୍ଚ ବର୍ଷରେ କରି ଦେଖାଇବୁ। 

Women's Day: କମ ବୟସରେ କାଉନସିଲରରୁ ରାଜ୍ୟ ମହିଳା କମିସନ, ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା

କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ବି ସମାଲୋଚନା କରିଥିଲେ ଶାହ। କହିଥିଲେ, ଏଆଇ ସମ୍ମିଳନୀରେ ରାହୁଲ ଗାନ୍ଧୀ ବସ୍ତ୍ର କାଢ଼ି ଯେଭଳି ପ୍ରତିବାଦ କଲେ ତାହା ଦେଶ ପ୍ରତି ଅପମାନ। ମୁଁ ଏହାକୁ ତୀବ୍ର ନିନ୍ଦା କରୁଛି। ତାଙ୍କର ୨୦ଟି ଯାକ ପ୍ଲାନ୍ ବିଫଳ ହୋଇଛି। ଆଗକୁ ସବୁ ପ୍ଲାନ୍ ଏମିତି ବିଫଳ ହେବ। ଦିନଯାକର ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟକ୍ରମ ଶେଷ କଲା ପରେ ରାତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଶାହ। ବହୁ ସଂଖ୍ୟାରେ ନେତା ଓ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବରିଷ୍ଠ ନେତାମାନଙ୍କ ସହ ସେ ବୈଠକ କରିଥିଲେ। ବୈଠକରେ ସରକାର ଓ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା। ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ବି ସେଠାରେ ପହଞ୍ଚିଥିଲେ। କିଛି ସମୟ ପାଇଁ ସେ ଶାହଙ୍କ ସହ କଥା ହୋଇ ବାହାରକୁ ଆସିଥିଲେ। ପାଖାପାଖି ରାତି ୯ଟା ବେଳେ ଅମିତ ଶାହ ବିମାନବନ୍ଦରକୁ ଯାଇ ନୂଆଦିଲ୍ଲୀ ଫେରିଯାଇଥିଲେ।

ଭୁବନେଶ୍ବର: ଓଡ଼ିଶାର ବିକାଶ ଯାତ୍ରାରେ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ଗୋଟିଏ ଦିନରେ ୩,୨୭୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହା ସହ ୬ଟି ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେଇଛି। ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ସମବାୟ କ୍ଷେତ୍ର ଓ ଜାତୀୟ ସୁରକ୍ଷା ସହିତ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମର ଶୁଭାରମ୍ଭ କରିଛନ୍ତି। ଅପରାହ୍ଣରେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସ୍ୱତନ୍ତ୍ର ସମାବେଶରେ ଶ୍ରୀ ଶାହ କହିଥିଲେ, ଓଡ଼ିଶାରେ ନୂତନ ସରକାର 
ଗଠନ ହେବା ପରେ ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭ ନିର୍ମାଣ କରିବାକୁ ଲକ୍ଷ୍ୟ ରଖି ସରକାରଙ୍କ ତରଫରୁ କାର୍ଯ୍ୟ କରାଯାଉଛି। ଚାଷୀଙ୍କୁ ୩୧ ଶହ ଟଙ୍କାର ଏମ୍ଏସ୍‌ପି ପ୍ରଦାନ କରିବାଠାରୁ ଆରମ୍ଭ କରି ମହିଳାଙ୍କୁ ସଶକ୍ତ କରିବା ନିମନ୍ତେ ପାଇଁ ‘ସୁଭଦ୍ରା’ ଯୋଜନା ପ୍ରଣୟନ କରାଯାଇଛି। ଆଗାମୀ ଦିନରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ହେବ। 
Blue Sparrow: ଖେମିନିଙ୍କୁ ହତ୍ୟା କରିବା ପାଇଁ ଇସ୍ରାଏଲ ମହାକାଶରୁ ଛାଡ଼ିଥିବା କ୍ଷେପଣାସ୍ତ୍ର ‘ବ୍ଲୁ ସ୍ପାରୋ’
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଓଡ଼ିଶା ପୁଲିସକୁ ଶକ୍ତିଶାଳୀ, ପ୍ରଭାବଶାଳୀ ଓ ପେସାଦାର କରିବାରେ ଶ୍ରୀ ଶାହଙ୍କ ଅବଦାନ ଅତୁଳନୀୟ। ୨୦୨୫ ର ପ୍ରଥମ ୬ ମାସରେ ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡହାର ୪୧% ବୃଦ୍ଧି ପାଇଛି। ୨୦୨୩ ମସିହାରେ ଏହା ମାତ୍ର ୬.୭% ଥିଲା। ପୁଲିସ ସଂସ୍କାର ସହିତ ‘ସହକାରିତା ସେ ସମୃଦ୍ଧି’ ଓଡ଼ିଶାର ଦୃଷ୍ଟିକୋଣ ସହିତ ମେଳ ଖାଉଛି। ସମବାୟ ମାଧ୍ୟମରେ ସମାଜର ପଛୁଆବର୍ଗର ଲୋକମାନେ ଆର୍ଥିକ ପ୍ରକ୍ରିୟାରେ ସାମିଲ ହୋଇଥା’ନ୍ତି। ଯେତେବେଳେ ରାଜ୍ୟର କୋଟି କୋଟି ଲୋକ ଆର୍ଥିକ ଭାବେ ସଶକ୍ତ ହେବେ, ସେତେବେଳେ ଓଡ଼ିଶା ସମୃଦ୍ଧ ହେବ ଓ ଭାରତ ବିକଶିତ ହେବ। ଏହି ଅବସରରେ ଶ୍ବେତ କ୍ରାନ୍ତି ୨.o ଅଧୀନ ଅନେକ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସମବାୟ ନୀତି-୨୦୨୬ କାର୍ଯ୍ୟକାରିତାର ଶୁଭାରମ୍ଭ ହୋଇଥିଲା। ଏହି ନୂଆ ନୀତି କେନ୍ଦ୍ର ସରକାରଙ୍କ ଜାତୀୟ ନୀତିର ଦୃଷ୍ଟିକୋଣକୁ ଆଧାର କରି ପ୍ରସ୍ତୁତ କରାଯାଇଛି। ‘ସହକାରିତା ସେ ସମୃଦ୍ଧି’ ର ଦୂରଦୃଷ୍ଟିକୁ ନେଇ ସମୃଦ୍ଧ ଓଡ଼ିଶା-୨୦୩୬ର ପରିକଳ୍ପନା ମଧ୍ୟ ଏଥିରେ ରହିଛି। ଏହାସହ ୧୫୬୬ ପାକ୍ସର କମନ୍‌ ସର୍ଭିସ୍ ସେଣ୍ଟର ଲୋକାର୍ପଣ ସହିତ ଅନେକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସ୍କୁଲ ଅଫ୍ ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ସ୍ଥାପନ ପାଇଁ ମଧ୍ୟ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ବଡ଼ମ୍ବା ସମବାୟ ଚିନି କଳର ପୁନରୁଦ୍ଧାର ପାଇଁ ଇଣ୍ଡିଆନ୍ ପଟାସ୍ ଲିମିଟେଡ୍ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ବଡ଼ମ୍ବା ଚିନିକଳର ପୁନରୁଦ୍ଧାର ସାଙ୍ଗକୁ ନୟାଗଡ଼ ଚିନିକଳର ମଧ୍ୟ ପୁନରୁଦ୍ଧାର କରାଯିବ ବୋଲି ଶ୍ରୀ ଶାହ କହିଥିଲେ।
ଖୋର୍ଦ୍ଧା ଟାଙ୍ଗୀରେ ଏକ ନୂଆ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟର ଉଦ୍‌ଘାଟିତ ହୋଇଛି। ଏଥିରେ ଦିନକୁ ୩୦ ହଜାର ଲିଟର ଦୁଗ୍ଧ ପ୍ରକ୍ରିୟାକରଣ ହୋଇପାରିବ। ଦୁଇଟି ଦୁଗ୍ଧ ଉତ୍ପାଦକ ସମବାୟ ସମିତିକୁ ପଞ୍ଜୀକରଣ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ହିତାଧିକାରୀ ଚାଷୀଙ୍କୁ ଅନୁଦାନ ମଧ୍ୟ ପ୍ରଦାନ କରାଯାଇଛି। ଏକ ତାଲିମ୍‌ ଓ ପ୍ରଦର୍ଶନ କେନ୍ଦ୍ରର ଉନ୍ନତୀକରଣ ପାଇଁ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନ୍‌ଡିଡିବି) ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସ୍ୱତନ୍ତ୍ର ସମାବେଶରେ ଶ୍ରୀ ଶାହ ନାଗରିକ କୈନ୍ଦ୍ରିକ ନୂତନ ନ୍ୟାୟ ସଂହିତାର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ପୁଲିସ ସହ ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଓ ଆଇଆଇଟି ଭୁବନେଶ୍ବର ମଧ୍ୟରେ ଆଉ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟର ୨୦ ଜିଲ୍ଲାରେ ୨୦ଟି ନୂତନ ସାଇବର୍‌ ପୁଲିସ ଥାନାର ଲୋକାର୍ପଣ ଆଭାସୀ ଜରିଆରେ କରାଯାଇଛି। ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ଲୋକାଭିମୁଖୀ କରିବା ପାଇଁ ୨୪ଟି ନୂତନ ଥାନା ମଧ୍ୟ ଲୋକାର୍ପିତ ହୋଇଛି। 
ଆଜି ସକାଳେ ଶ୍ରୀ ଶାହ କଟକଜିଲ୍ଲା ମୁଣ୍ଡଳୀରେ ଥିବା ସିଆଇଏସଏଫ୍‌ର ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ। ପରେ ପାରାଦୀପଠାରେ ଇଫ୍‌କୋର ସଲ୍‌ଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ-୩କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ। ଏହା ସହିତ ୧୪୧ଟି ପ୍ୟାକ୍‌ସ ପାଇଁ ଆବଶ୍ୟକତାଭିତ୍ତିକ ଭିତ୍ତିଭୂମିର ଆଭାସୀ ଉଦ୍‌ଘାଟନ, ସମବାୟ ନିବନ୍ଧକ (ଆରସିଏସ) ଅଫିସ୍ ପୋର୍ଟାଲ୍ ଆରମ୍ଭ, ନ୍ୟାସନାଲ୍ କୋଅପରେଟିଭ୍ ଅର୍ଗାନିକ୍ସ ଲିମିଟେଡ୍‌ର ଡାଇରେକ୍ଟ-ଟୁ-କଞ୍ଜ୍ୟୁମର (ଡିଟୁସି) ପୋର୍ଟାଲ୍ ଆରମ୍ଭ, ନ୍ୟାସନାଲ୍ କୋଅପରେଟିଭ୍ ଏକ୍ସପୋର୍ଟ୍ସ ଲିମିଟେଡ୍ ଦ୍ୱାରା ବିକଶିତ କୁପ୍ ମାର୍କ, ଏଆଇ ଆଧାରିତ ବହୁଭାଷୀ ଡିଜିଟାଲ୍ ଶିକ୍ଷଣ ପ୍ଲାଟ୍‌ଫର୍ମ ‘ସାବିଦ୍ୟା’ର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।