ବ୍ରହ୍ମପୁର: ‘ଆଧାର କାର୍ଡ କରାଇ ଦେବିନି। କମ୍ପାନିକୁ ଓଡ଼ିଶାରେ ବନ୍ଦ କରିଦେବି। କମ୍ପ୍ୟୁଟର୍ ଡାଟା ମୋ ନିୟନ୍ତ୍ରଣରେ, ସବୁ ଉଡ଼େଇ ଦେବି।’ ଏମିତି ଧମକ ଦେଇ ଆଧାର କାର୍ଡ ପ୍ରସ୍ତୁତି ଟେଣ୍ଡର୍ ନେଇଥିବା ଆନ୍ଧ୍ର କମ୍ପାନିର ପୂର୍ବତନ କର୍ମଚାରୀ ଗିରଫ ହୋଇଛି। ଅଭିଯୁକ୍ତଜଣକ ଆନ୍ଧ୍ରପ୍ରଦେଶ ଗୁଡ଼ିଭାଡ଼ା ମାଲାୟାପାଲେମ୍ର ସତ୍ୟନାରାୟଣ ସିଲା ଓରଫ୍ ଶିବା (୪୦)। ସେ ବ୍ରହ୍ମପୁର ଟାଉନ୍ ଥାନା ସୁରଜ ବିହାର ପ୍ରଥମ ଗଳିରେ ରହୁଥିଲା। ଆଧାର କାର୍ଡ ପ୍ରସ୍ତୁତି ଟେଣ୍ଡର ପାଇଥିବା ଆନ୍ଧ୍ରପ୍ରଦେଶର କମ୍ପାନି ‘ବ୍ଲୁମ୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍’ର ସେ ଗଞ୍ଜାମ ଜିଲ୍ଲା ସଂଯୋଜକ ଥିଲା। ଆଜି ତାକୁ କମ୍ପାନିର ୪୬ ଲକ୍ଷ ଟଙ୍କା ଠକେଇ ଓ ଧମକ ଦେବା ଅଭିଯୋଗରେ ବ୍ରହ୍ମପୁର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।
Ration cards: ନୂଆବର୍ଷରୁ ବଣ୍ଟାଯିବ ୧୫ ଲକ୍ଷ ରାସନ କାର୍ଡ
ସୂଚନା ଅନୁସାରେ, ସତ୍ୟ ବ୍ଲୁମ୍ ସଲ୍ୟୁସନ୍ କମ୍ପାନିକୁ ୪୬ ଲକ୍ଷ ଟଙ୍କା ପୈଠ କରିବାକୁ ଥିଲା। ଏ ସଂପର୍କରେ କମ୍ପାନି ପକ୍ଷରୁ ବାରମ୍ବାର ଇମେଲ୍, ହ୍ବାଟସ୍ଆପ୍ ଓ ବ୍ୟକ୍ତିଗତ ଭାବେ ତାକୁ ଜଣାଇ ଦିଆଯାଇଥିଲା। ହେଲେ ସେ ଧରାଛୁଆଁ ଦେଉ ନଥିଲା। ତାକୁ ଏଥିଲାଗି କିଛିଦିନ ତଳେ କମ୍ପାନିରୁ ବାହାର କରି ଦିଆଯାଇଥିଲା। ପରେ ସତ୍ୟ କମ୍ପାନି ଉଚ୍ଚଅଧିକାରୀଙ୍କୁ ବିଭିନ୍ନ ଜରିଆରେ ଧମକାଉଥିଲା।
୪୬ ଲକ୍ଷ ଠକେଇ, ଧମକ ମାମଲାରେ ଗିରଫ
ଆଧାରକାର୍ଡ ପ୍ରସ୍ତୁତି କମ୍ପାନିର ଗଞ୍ଜାମ ସଂଯୋଜକ ଥିଲା
ନିୟନ୍ତ୍ରଣରେ ୫ରୁ ୧୦ କମ୍ପ୍ୟୁଟର ଲିଙ୍କ୍ ଓ ଡାଟା
ଗତ ଡିସେମ୍ବର ୨୬ ତାରିଖରେ ସେ କିଛି ସମର୍ଥକଙ୍କୁ ଧରି ଆସି ବ୍ରହ୍ମପୁର ଓକାକ୍ ଅଫିସ୍ ଭିତରେ ଧାରଣା ଦେଇଥିଲା। ଏହାର ୪ ଦିନ ପରେ ୩୦ ତାରିଖରେ କମ୍ପାନି ଅପରେଟର୍ଙ୍କ ଘରକୁ ଯାଇ ଜବରଦସ୍ତି ‘ଏନି ଡେସ୍କ’ ଆପ୍ଲିକେସନ୍ ଜରିଆରେ କିଛି କମ୍ପ୍ୟୁଟରକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲା। ଆଧାର ପ୍ରସ୍ତୁତ ହେଉଥିବା ୟୁଆଇଡିଏଆଇ ସଫ୍ଟୱେୟର୍କୁ ବାଇପାସ୍ କରିବାକୁ ଚେଷ୍ଟା କରିବା ସହିତ ଇମେଲ୍ ପାସ୍ୱାର୍ଡ ବ୍ୟବହାର କରି କମ୍ପାନିର ତଥ୍ୟ ଚୋରି କରିବାକୁ ଉଦ୍ୟମ କରିଥିଲା। ଏହା ଜାଣିବା ପରେ କମ୍ପାନି ପ୍ରକଳ୍ପ ପରିଚାଳକ ଉଣ୍ଡାପଲ୍ଲି ଶ୍ରୀନିବାସ ବ୍ରହ୍ମପୁର ଟାଉନ୍ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ତଦନ୍ତ କରି ଆଜି ସତ୍ୟନାରାୟଣକୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି।
Check Your CIBIL Score Without a PAN Card: ବିନା ପାନ୍ କାର୍ଡରେ ସିବିଲ୍ ସ୍କୋର୍ ଜାଣନ୍ତୁ...
ସୂଚନାଯୋଗ୍ୟ, ଏବେ ବି ୫ରୁ ୧୦ଟି କମ୍ପ୍ୟୁଟର ସତ୍ୟ ନିୟନ୍ତ୍ରଣରେ ରହିଛି। ରିମୋଟ୍ କିମ୍ବା ବେଆଇନ୍ ସଫ୍ଟୱେୟାର୍ ଦ୍ବାରା ସେ ଏହାକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଛି, ଯେଉଁଥିରେ କମ୍ପାନିର ବହୁ ଗୁରୁତ୍ବପୂର୍ଣ୍ଣ ଡାଟା ରହିଛି। ତେବେ ଅଭିଯୁକ୍ତ ନିୟନ୍ତ୍ରଣରେ ଥିବା କମ୍ପ୍ୟୁଟର୍ରୁ ତଥ୍ୟ ଚୋରି ହୋଇଯାଇନି ତ? ଏହା ହୋଇଥିଲେ ଲକ୍ଷାଧିକ ଲୋକଙ୍କ ଆଧାର ଡାଟା ଚୋରି ହେବାର ଆଶଙ୍କା ରହିଛି। ପୁଲିସ ସତ୍ୟ ବିରୋଧରେ ବିଏନ୍ଏସ୍ ଧାରା ୩୧୮ (୪), ୩୧୬ (୨), ୩୧୬ (୫), ୨୯୬, ୩୫୧ (୨) ସହ ଆଇଟି ଆକ୍ଟର ଧାରା ୬୬-ସି, ୬୬-ଡିରେ ମାମଲା ରୁଜୁ କରିଛି।
Follow Us