ନବରଙ୍ଗପୁର: ପ୍ରତିଟି ଓଡ଼ିଆ ମହାପ୍ରଭୁଙ୍କୁ ଦର୍ଶନ କରିବାର ଲକ୍ଷ୍ୟ ନେଇ ନବରଙ୍ଗପୁରରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମ ଦିନରେ ନବରଙ୍ଗପୁର, ଭଦ୍ରକ, ବାରିପଦା, ସମ୍ବଲପୁର ଓ ବ୍ରହ୍ମପୁରରୁ ୫୦୦ ଶ୍ରଦ୍ଧାଳୁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଚଳିତ ବର୍ଷ ରାଜ୍ୟର ୫ ହଜାର ହିତାଧିକାରୀ ଏବଂ ଆସନ୍ତା ୪ ବର୍ଷରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବାର ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ନବରଙ୍ଗପୁର ଗସ୍ତ ଅବସରରେ ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ମେଡିକାଲ୍ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ପାତାଲଗୁଡ଼ାରେ ପ୍ରତିଷ୍ଠା ହେବାକୁ ଥିବା ମେଡିକାଲ୍ କଲେଜ ଓ ହସ୍ପିଟାଲରେ ୧୦୦ ଏମ୍ବିବିଏସ୍ ସିଟ୍ ଓ ୪୨୦ଟି ଶଯ୍ୟା ରହିବ। ସରକାର ଆସିବାର ୨୦ ମାସ ମଧ୍ୟରେ ଯାଜପୁର, କନ୍ଧମାଳ ଓ ତାଳଚେରରେ ୩ଟି ନୂଆ ମେଡିକାଲ୍ କଲେଜ କାର୍ଯ୍ୟକ୍ଷମ ହୋଇଛି। ଆଜି ନବରଙ୍ଗପୁରରେ ଶୁଭ ଦିଆଗଲା। ଖୁବ୍ଶୀଘ୍ର ଢେଙ୍କାନାଳ, ଜଗତସିଂହପୁର ଓ ଭଦ୍ରକରେ ମଧ୍ୟ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ୪୪୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୧୭୭ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ୬୮ କୋଟିର ୧୧୨ଟି ପ୍ରକଳ୍ପର ଉଦ୍ଘାଟନ କରିବା ସହ ୩୭୮ କୋଟିର ୬୫ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟସେବା, ସଡ଼କ, ସେତୁ, ହଷ୍ଟେଲ, ବନ ସୁରକ୍ଷା ସମିତି, ଅଙ୍ଗନବାଡ଼ି କେନ୍ଦ୍ର ଭଳି ପ୍ରକଳ୍ପଗୁଡ଼ିକ ନବରଙ୍ଗପୁରର ବିକାଶ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ। ନବରଙ୍ଗପୁର ରାଜ୍ୟ ରାଜଧାନୀରୁ ବହୁ ଦୂରରେ ଥିଲେ ମଧ୍ୟ ବିକାଶ କେବେ ଜିଲ୍ଲା ପାଇଁ ଦୂର ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ହିତାଧିକାରୀଙ୍କୁ କିଟ୍ ବ୍ୟାଗ ପ୍ରଦାନ କରିବା ସହିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଓ ସାମାଜିକ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ।
ନବରଙ୍ଗପୁରକୁ ୪୪୬ କୋଟି
ନୂଆ ମେଡିକାଲ୍ କଲେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମେଡିକାଲ୍ କଲେଜ ଜିଲ୍ଲାବାସୀଙ୍କ ପାଇଁ ଲାଇଫ୍ ଲାଇନ୍ ହେବ ବୋଲି କହିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇବା ସହ ଡାକ୍ତର ଅଭାବ ଦୂର କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କହିଥିଲେ। ନବରଙ୍ଗପୁରରେ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଥିବାରୁ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ଇଂ. ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ମୁନା ଖାଁ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍ ରାଜପୁତ, ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ବର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ ସମ୍ବଲପୁରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର, ଛତ୍ରପୁରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଡ଼ି ହୋଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିସନର ଅଶ୍ୱଥି ଏସ୍ ସ୍ୱାଗତ ଭାଷଣ ଦେଇଥିବାବେଳେ ପର୍ଯ୍ୟଟନ ବିଭାଗ କମିସନର ବଲବନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
Follow Us