ବୁର୍ଲା/ କୁତ୍ରା: ସମ୍ବଲପୁର ବିଶ୍ବବିଦ୍ୟାଳୟର ବ୍ରହ୍ମପୁତ୍ର ଛାତ୍ରାବାସରେ ଜଣେ ଛାତ୍ର ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସ୍ନାତକୋତ୍ତର ଅର୍ଥଶାସ୍ତ୍ର ବିଭାଗର ଦ୍ବିତୀୟ ବର୍ଷ ଛାତ୍ର ସୂରଜ କୁଜୁର (୨୨)। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ର ତେନ୍ତୁଳିପଡ଼ା ଗ୍ରାମରେ। ଏ ନେଇ ବୁର୍ଲା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ସୂରଜ ଛାତ୍ରାବାସର ୫୨ ନମ୍ବର କୋଠରିରେ ଏକା ରହୁଥିଲେ। କିଛିଦିନ ହେଲା ସେ ଅଧିକାଂଶ ସମୟ ମୌନ ରହୁଥିବା ଅନ୍ୟ ଛାତ୍ରଙ୍କଠାରୁ ଜଣାଯାଇଛି। ତାଙ୍କ ମୋବାଇଲ୍‌ର ଡିସ୍‌ପ୍ଲେ ଖରାପ ହୋଇଥିବାରୁ ମଙ୍ଗଳବାର ଅପରାହ୍ଣ ୪ଟାରେ ଅନ୍ୟ ଜଣେ ଛାତ୍ରଙ୍କ ମୋବାଇଲରୁ ଘରକୁ ଫୋନ୍‌ କରିଥିଲେ। କଥାବାର୍ତ୍ତା ସମୟରେ ତାଙ୍କ ଭଉଣୀ ଏଥର ଘରକୁ ଆସିଲେ ଏକ ମୋବାଇଲ କିଣିଦେବେ ବୋଲି କହିଥିବା ପରିବାର ଲୋକଙ୍କଠାରୁ ଜଣାଯାଇଛି। 

Advertisment

Examination: ଭଦ୍ରକ ଜିଲ୍ଲାରେ ୨୨ ହଜାର ଛାତ୍ର ଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା

ରାତ୍ରିଭୋଜନ ପାଇଁ ସେ ନ ଆସିବାରୁ ଜଣେ ସାଙ୍ଗ ତାଙ୍କୁ ଡାକିବାକୁ ଯାଇଥିଲେ। ଆଗରୁ କବାଟ ସବୁବେଳେ ଖୋଲା ରହୁଥିଲା। ହେଲେ ସେହି ସମୟରେ ଭିତରପଟୁ କବାଟ ବନ୍ଦ ଥିଲା। ଯେତେ ଡାକିଲେ ମଧ୍ୟ କୌଣସି ଉତ୍ତର ନ ମିଳିବାରୁ କବାଟ ଫାଙ୍କରୁ ସେ ଫ୍ୟାନ୍‌ରେ ଝୁଲି ପଡ଼ିଥିବା ଦେଖାଯାଇଥିଲା। ବିଳମ୍ବିତ ରାତିରେ ବିଶ୍ବବିଦ୍ୟାଳୟର କୁଳପତି, କୁଳସଚିବ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଓ ଛାତ୍ରାବାସ ୱାର୍ଡେନ୍‌ ଆସି ପହଞ୍ଚିଥିଲେ। ବୁଧବାର ପୂର୍ବାହ୍ଣରେ ପରିବାର ଲୋକଙ୍କ ଉପସ୍ଥିତିରେ ଏସ୍‌ଡିପିଓ ବାଲେଶ୍ବର ଗିଧି ଓ ଆଇଆଇସି ସୌମ୍ୟକାନ୍ତ ବଳିଆରସିଂହ ପ୍ରାଥମିକ ତଦନ୍ତ କରିଛନ୍ତି। କୋଠରି ତଲାସ ବେଳେ କୌଣସି ସୁଇସାଇଡାଲ୍‌ ନୋଟ୍ ମିଳି ନଥିବା ଏସ୍‌ଡିପିଓ କହିଛନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ, ମୃତ ଛାତ୍ରଙ୍କ ବାପା କୌଣସି ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି। ଚାରି ଭଉଣୀ ଓ ଦୁଇ ଭାଇଙ୍କ ମଧ୍ୟରେ ବଡ଼ ଭଉଣୀଙ୍କ ବିବାହ ହୋଇସାରିଛି। ପରିବାରର ସ୍ଥିତି ଓ ନିଜ କ୍ୟାରିୟରକୁ ନେଇ ସେ ଚିନ୍ତିତ ରହୁଥିଲେ। ଏପରିକି ପରୀକ୍ଷା ଚାପ ଥିବା କହି ବଡ଼ଦିନ ଉତ୍ସବରେ ମଧ୍ୟ ଘରକୁ ଯାଇନଥିଲେ।

Good News: ଅସହାୟ ବୃଦ୍ଧଙ୍କ ଶବଦାହ କରି ମାନବିକତାର ପରିଚୟ ଦେଲେ ସ୍ବେଚ୍ଛାସେବୀ

ଛାତ୍ରଛାତ୍ରୀଙ୍କ କାଉନ୍‌ସେଲିଂ କରିବେ କର୍ତ୍ତୃପକ୍ଷ
ସ୍ନାତକୋତ୍ତର ଶେଷବର୍ଷର ଜଣେ ଛାତ୍ର ଆତ୍ମହତ୍ୟା କରିବା ଘଟଣାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ବର ସହ ନେଇଛନ୍ତି। ସାଧାରଣତଃ ଅଳ୍ପ ବୟସରେ ଆତ୍ମହତ୍ୟାପ୍ରବଣତା ରହିଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଏହା ବ୍ୟାଧି ଭଳି ସବୁ ବର୍ଗର ପୁଅଝିଅଙ୍କୁ ଗ୍ରାସ କରିଚାଲିଛି। ତେଣୁ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର କହିଛନ୍ତି। ଏଥିପାଇଁ ବାହାରୁ ବିଶେଷଜ୍ଞଙ୍କୁ ଡକାଯିବ। ପ୍ରାଥମିକ ଭାବରେ ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ନେଇ କାଉନ୍‌ସେଲିଂ କରାଯିବ ବୋଲି ପ୍ରକାଶ କରିଛନ୍ତି।