କୋଟପାଡ଼: କୋରାପୁଟଜିଲ୍ଲା କୋଟପାଡ଼ ବ୍ଲକ୍‌ ଢମଣାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଗାନ୍ଧୀନଗର ଆବାସିକ ବିଦ୍ୟାଳୟରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ଫଳକ ଭୁଶୁଡ଼ିବାରୁ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଉପରୋକ୍ତ ଆବାସିକ ବିଦ୍ୟାଳୟ ହଷ୍ଟେଲରେ ରହି ସିଉନିଗୁଡ଼ା ଗାଁର ପ୍ରେମାନନ୍ଦ ଭତ୍ରା ଓ ସିରିସି ଗାଁର ଶିବ ଭତ୍ରା ପାଠ ପଢ଼ୁଥିଲେ। ଆଜି ସକାଳେ ପୂର୍ବରୁ ନିର୍ମାଣ ହୋଇଥିବା ଗୋଟିଏ ଫଳକ ତଳେ ବସି ଉଭୟ ଛାତ୍ର ଦାନ୍ତ ଘଷୁଥିଲେ। ଏହି ସମୟରେ ହଠାତ୍‌ ଫଳକଟି ଭୁଶୁଡ଼ି ପଡ଼ିବାରୁ ଉଭୟ ଛାତ୍ର ଚାପି ହୋଇଯାଇଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ସେମାନଙ୍କୁ ଉଦ୍ଧାର କରି କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ତୃତୀୟ ଶ୍ରେଣୀ ଛାତ୍ର ପ୍ରେମାନନ୍ଦ ଭତ୍ରାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ପ୍ରାଥମିକ ଚିକିତ୍ସା ସତ୍ତ୍ବେ ଶିବ ଭତ୍ରାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

Advertisment

Viksit Bharat: ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଖବର ପାଇ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ମୃତ ଛାତ୍ରଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସରକାରୀ ଅବହେଳା ଯୋଗୁ ଏଭଳି ଅଘଟଣ ଘଟିଥିବାରୁ ତୁରନ୍ତ କ୍ଷତିପୂରଣ ଦାବି କରି ୬୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ମଧ୍ୟାହ୍ନ ୧୨ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଜୟପୁର ଉପଜିଲ୍ଲାପାଳ ଏ. ଶସ୍ୟା ରେଡ୍ଡି ଘଟଣାସ୍ଥଳରେ ପହଞ୍ଚି ରେଡ୍‌କ୍ରସ୍‌ ପାଣ୍ଠିରୁ ୫୦ ହଜାର ଟଙ୍କା ଦେବା ସହ ସରକାରଙ୍କ ପକ୍ଷରୁ ଉଚିତ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ବିଜେଡି ନେତା ଓ ପରିବାର ଲୋକ ରାସ୍ତାରୁ ଉଠିଥିଲେ। ଆଲୋଚନା ସମୟରେ ତହସିଲଦାର ଟ୍ୱିଙ୍କିଲ୍‌ ସେଠୀ, ପିଏ ଆଇଟିଡିଏ ତୃପ୍ତି ବରାଇ, ବିଡିଓ ମନୋଜ ନାୟକ, ଡବ୍ଲୁଇଓ ଆକାଶ ଜେନା, ଥାନା ଆଇଆଇସି ପରମାନନ୍ଦ ସୁନାନୀ ଉପସ୍ଥିତ ଥିଲେ।

Indigo crisis : ସଂସଦୀୟ କମିଟି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିଲାନି ଇଣ୍ଡିଗୋ