BJD MEETS CM Photograph: (SAMBAD.IN)
ଭୁବନେଶ୍ବର: ବିଧାୟକ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ ହେବାର ୪୮ ଘଣ୍ଟା ବିତିଗଲାଣି। ହେଲେ ନିଲମ୍ବନ ରହସ୍ୟ ଫିଟୁନି। ବରଂ ଘଟଣାଟି ଅଧିକ ଜଟିଳ ହେବାରେ ଲାଗିଛି। ଦୁର୍ନୀତି ଓ ଷଡ୍ଯନ୍ତ୍ରର ନିର୍ଦ୍ଦିଷ୍ଟ ପ୍ରମାଣ ଏ ଯାଏଁ ବିଜେଡି ପକ୍ଷରୁ ଦିଆଯାଉ ନାହିଁ। ଦଳର ମୁଖପାତ୍ର ଗଣମାଧ୍ୟମକୁ ସାମନା କରି ଷଡ୍ଯନ୍ତ୍ର କଥା ଦୋହରାଇଛନ୍ତି। ମାତ୍ର ଏହାର ରୂପରେଖ ଜଣାଇ ନାହାନ୍ତି। ଏପଟେ ବିଜେଡିର ଅଭିଯୋଗକୁ ‘ଗପ’ କହି ପ୍ରମାଣ ଦେବାକୁ ଅରବିନ୍ଦ ପୁଣି ଆହ୍ବାନ ଦେଇଛନ୍ତି।
ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତାମାନେ ଏହି ପ୍ରସଙ୍ଗରୁ ନିଜକୁ ଦୂରେଇ ରଖୁଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ରୋକ୍ଠୋକ୍ ମନା କରିଦେଉଛନ୍ତି। ଅରିବନ୍ଦଙ୍କ ନିଲମ୍ବନକୁ ନେଇ ବହୁ କଥା ଶୁଣାଯାଉଥିଲେ ବି ନିର୍ଦ୍ଦିଷ୍ଟ କେଉଁ ପ୍ରସଙ୍ଗରେ ତାଙ୍କୁ ନିଲମ୍ବନ କରାଗଲା, ତାହା ନେତାମାନେ ଜାଣି ପାରୁନାହାନ୍ତି। ଗୋଟିଏ ପଟେ ତୃଣମୂଳସ୍ତରରେ ଦଳର ସଂଗଠନ ଭାଙ୍ଗି ଭାଙ୍ଗି ଚାଲିଛି। ଯେଉଁଠି ବିଜେଡି ବିଧାୟକ ଜିତିଛନ୍ତି, ସେଠାରେ ବି ସଂଗଠନକୁ ଏକଜୁଟ୍ ରଖିବା କଷ୍ଟକର ହୋଇପଡ଼ୁଛି। ସେହି ସମୟରେ ବିଧାୟକଙ୍କ ସହ କୌଣସି ଆଲୋଚନା ନକରି ସିଧାସଳଖ ନିଲମ୍ବନକୁ ବରିଷ୍ଠ ନେତାମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଦଳର ପରିଚାଳନା ନେଇ କୌଣସି ପ୍ରସଙ୍ଗରେ ନେତାମାନଙ୍କ ସହ ନବୀନ ଆଲୋଚନା କରୁନାହାନ୍ତି। ପ୍ରତିଦିନ ୧୦ ଜଣ ବିଧାୟକଙ୍କୁ ଡାକି କେବଳ ଫଟୋ ସେସନ୍ କରାଯାଉଛି। ନା ଜିଲ୍ଲା ନା ରାଜ୍ୟ ସଂଗଠନ, କାହା ଉପରେ ବି ଠୋସ୍ ଆଲୋଚନା ହେଉ ନାହିଁ।
Malkangiri: ମାଲକାନଗିରିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ପରିବହନ ସଚିବ
ନିଲମ୍ବନ ପ୍ରସଙ୍ଗରେ ଗଣମାଧ୍ୟମକୁ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଯିଏ ଯେତେବେଳେ ଦଳୀୟ ଅନୁଶାସନ ଭିତରେ ରହିନାହାନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାଟକୁରା ଓ ଚମ୍ପୁଆରୁ ତୃଣମୂଳସ୍ତରରୁ ମତାମତ ଆସିବା ପରେ ଦଳୀୟ ନେତାମାନଙ୍କ ସହ ଆଲୋଚନା ଆଧାରରେ ସଭାପତି ଭଲ ଭାବେ ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି। ଦଳକୁ ଦୁର୍ବଳ ପାଇଁ ଏକ ବଡ଼ ଷଡ୍ଯନ୍ତ୍ର ହୋଇଥିଲା। ସନାତନ ମହାକୁଡ଼, ବିଜୟ ମହାପାତ୍ର ଓ ଅରବିନ୍ଦ ମହାପାତ୍ର ଏହାର ଅଂଶ ଥିଲେ। ତିନି ଜଣଙ୍କ ଭିତରେ ଦାୟିତ୍ବ ବଣ୍ଟାଯାଇଥିଲା। କିଏ ବ୍ୟାକ୍ଅପ୍ ଦେବ, କିଏ ସଂଗଠିତ କରିବ ଓ କିଏ କାର୍ଯ୍ୟକାରୀ କରିବ, ସ୍ଥିର ହୋଇଥିଲା। ଯେତେବେଳେ ଏହା ସ୍ପଷ୍ଟ ହେଲା, ସେତେବେଳେ କାର୍ଯ୍ୟାନୁଷ୍ଠାନ ନିଆଗଲା। ସେଥିପାଇଁ ସେମାନଙ୍କୁ ଦୁର୍ନୀତିଗ୍ରସ୍ତ ଓ ବିଶ୍ବାସଘାତକ କୁହାଯାଇଛି।
ବିଜୟ-ସନାତନ-ଅରବିନ୍ଦ ଷଡ୍ଯନ୍ତ୍ର କରୁଥିଲେ: ବିଜେଡି/ଗପ ନକହି ପ୍ରମାଣ ଦିଅ: ଅରବିନ୍ଦ
ଶ୍ରୀ ମହାନ୍ତି କହିଛନ୍ତି, ବିଜେଡିରେ ଆତ୍ମବିଶ୍ବାସ ବଢ଼ିଛି। ରାଜ୍ୟବାସୀ ଅନୁତପ୍ତ। ଏହା ଏକ ବିଫଳ ସରକାର ବୋଲି ସ୍ପଷ୍ଟ ହେଲାଣି। ନବୀନ ବାବୁ ଭଲ ଥିଲେ ବୋଲି ଲୋକ କହିଲେଣି। ଯେହେତୁ ଲୋକମାନେ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବାକୁ ଚାହୁଛନ୍ତି, ସେଥିପାଇଁ କିଛି ବର୍ଗ ଦଳକୁ ଦୁର୍ବଳ କରିବାକୁ ଲାଗିଛନ୍ତି। ସେଥିରେ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ସଂପୃକ୍ତ ଅଛନ୍ତି। ଦଳ ଭିତରେ ଥାଇ ଯଦି କେହି ଦଳକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରୁଥିବାର ଦୃଢ଼ ପ୍ରମାଣ ମିଳିବ, ତାହା ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଜେଡି ମୁଖପାତ୍ରଙ୍କ ଆରୋପ ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଅରବିନ୍ଦ। ସେ କହିଛନ୍ତି, ବିଧାନସଭାରେ କିଛି ସମୟ ପାଇଁ ସନାତନ ମହାକୁଡ଼ଙ୍କ ସହ ମୋର ଦେଖାସାକ୍ଷାତ ହୋଇଛି। କେବେ ବି ବସି କଥା ହୋଇନି। ତେଣୁ ଅଯଥାରେ ଟଣାଟଣି କରି ଯୋଡ଼ିବାକୁ ଚେଷ୍ଟା କରାଯାଉଛି। ମୁଁ କେଉଁ ବିଧାୟକଙ୍କ ସହ ବସାଉଠା କରୁଥିଲି, ତାହାର ତଥ୍ୟ ଦିଅନ୍ତୁ। କେଉଁଠି କେତେବେଳେ ସେମାନଙ୍କ ସହ ମିଶିଥିଲି କୁହନ୍ତୁ। ଗପ ନ କହି ସିଧାସଳଖ ଉତ୍ତର ଦିଅନ୍ତୁ।
Sports: କ୍ରୀଡ଼ାର ବିକାଶ ନେଇ ସିଡନି ୟୁନିଭର୍ସିଟି ସ୍ପୋର୍ଟ-କିଟ୍ ବୁଝାମଣାପତ୍ର
ବିଜୟ ମହାପାତ୍ରଙ୍କ ପ୍ରସଙ୍ଗରେ ସେ କହିଛନ୍ତି, ମୁଁ ବାରମ୍ବାର କହିଛି ତାଙ୍କୁ ଏ ଭିତରକୁ ଟାଣନ୍ତୁ ନାହିଁ। ତାଙ୍କର କୌଣସି ସଂପୃକ୍ତି ନାହିଁ। ସେ ବିଜେଡିରେ ନାହାନ୍ତି କି ଦଳକୁ ନେଇ ତାଙ୍କର ଆଗ୍ରହ ନାହିଁ। ସେ ବ୍ୟାକ୍ଅପ୍ ଦେବା କଥା ଉଠୁଛି କେଉଁଠୁ? ମୁଁ ସଂଗଠିତ କରିବା ଦାୟିତ୍ବରେ ଥିଲି ବୋଲି କୁହାଯାଇଛି। ମୁଁ ପ୍ରଥମ ଥର ବିଧାୟକ ହୋଇଛି। ମୋ ନିର୍ବାଚନମଣ୍ଡଳୀ ପାଟକୁରାରେ ସଂଗଠନ କରୁଛି। ପାଟକୁରା ବାହାରେ କୌଣସି ସଂଗଠନରେ ମୋର ସଂପୃକ୍ତି ନାହିଁ। ମୋର ଆଗ୍ରହ ବି ନାହିଁ। ଯାହା ଅଭିଯୋଗ କରାଯାଉଛି, ତାହା ଭିତ୍ତିହୀନ। ଏହା ପଛରେ କିଛି ତଥ୍ୟ ନାହିଁ। ଯାହା ଅଭିଯୋଗ କରିଛନ୍ତି, ତାହାକୁ ସାବ୍ୟସ୍ତ କରନ୍ତୁ ଏବଂ ପରେ ନୂଆ ଅଭିଯୋଗ ଆଣନ୍ତୁ। ବିଜେଡି ମୁଖପାତ୍ର ବେକାର କଥା ନ କୁହନ୍ତୁ। ଯଦି ଗଣମାଧ୍ୟମକୁ ଆସୁଛନ୍ତି, ତାହା ହେଲେ ମୋତେ ଜଣାନ୍ତୁ ମୁଁ କଣ ଭୁଲ୍ କରିଛି। ରାଜ୍ୟବାସୀ ମଧ୍ୟ ବାସ୍ତବ କଥା ଜାଣିବାକୁ ଚାହୁଛନ୍ତି।
Follow Us