ଫୁଲବାଣୀ: ଫିରିଙ୍ଗିଆ ବ୍ଲକ୍ ଲୁଇିସଂ ପଞ୍ଚାୟତ ଲାଠିକୁମ୍ପା ଗ୍ରାମ ଉପକଣ୍ଠରେ ୧୯୮୮ ମସିହାରେ ଲୋକଙ୍କ ଶ୍ରମଦାନରେ ତିଆରି ହୋଇଥିଲା ଜିଲ୍ଲାର ପ୍ରଥମ ଜଳଭଣ୍ଡାର ‘ସୁନାମୁଦି’। ସେବେ ଏହି ବ୍ଲକର ବାଲନ୍ଦାପଡ଼ା, ଲୁଇସିଂ, ପକାରି ଓ ପାଇରାଜୁ ମରୁଡ଼ିପ୍ରବଣ ହୋଇଥିବାରୁ ଫସଲ ହୋଇପାରୁ ନଥିଲା। ସ୍ବେଚ୍ଛାସେବୀ ସଂଗଠନ ‘ଅଗ୍ରଗାମୀ’ର ନିର୍ଦ୍ଦେଶକ ଅଚ୍ୟୁତ ଦାସଙ୍କ ଉଦ୍ୟମରେ ଲୁଇସିଂ ଏବଂ ବାଲନ୍ଦାପଡ଼ା ପଞ୍ଚାୟତର ପ୍ରାୟ ୧୦ଟି ଗ୍ରାମର ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ଶ୍ରମଦାନ କରି ଜଳଭଣ୍ଡାର ଖନନ କରିଥିଲେ। ଫିରିଙ୍ଗିଆ ଆଞ୍ଚଳିକ ମହିଳା ମହାସଂଘ ନାମକ ଏକ ସଂଗଠନ ଏହାର ନେତୃତ୍ବ ନେଇଥିଲା। ୭ ବର୍ଷ ସମୟ ଲାଗିଯାଇଥିଲା। ଲାଠିକୁମ୍ପା ଗ୍ରାମ ଉପକଣ୍ଠରେ ଥିବା ମାରାବେଣ୍ଡୁଣି ଓ ଗାଉଡ଼ିଦେଇ ପାହାଡ଼ ଦୁଇଟିକୁ ମାଟିବନ୍ଧ ଦ୍ବାରା ଯୋଡ଼ି ଜଳଭଣ୍ଡାର ନିର୍ମାଣ ହୋଇଥିବା ବେଳେ ସ୍ଲୁଇସ୍ ଗେଟ୍ ଖୋଲାଯାଇ କେନାଲ ମାଧ୍ୟମରେ ନିକଟସ୍ଥ ଗ୍ରାମଗୁଡ଼ିକୁ ପାଣି ଛଡ଼ାଯାଇପାରିଥିଲା। ଫଳରେ କିଲିକୁମ୍ପା, ଲାଠିକୁମ୍ପା, କଡ଼ମପାଙ୍ଗା, ବାଲନ୍ଦାପଡ଼ା, ଲୁଇସିଂ, ବୁପୁଙ୍ଗା ଓ ପାର୍କାଡ଼ି ଆଦି ଗାଁର ଚାଷୀ ଉପକୃତ ହୋଇପାରୁଥିଲେ। ଏହାସହ ଲୁଇସିଂ ଏବଂ ବାଲନ୍ଦାପଡ଼ା ପଞ୍ଚାୟତର ଏକାଧିକ ଗ୍ରାମର କ୍ଷେତକୁ ପାଣି ମାଡ଼ିଲା। ଫଳରେ ଧାନ ସମେତ ପନିପରିବା ଓ ରବି ଫସଲ ଭଲ ଉତ୍ପାଦନ ହେଲା।
Hockey: ଏଫ୍ଆଇଏଚ୍ ପ୍ରୋଲିଗ୍ର ଭାରତ ପର୍ଯ୍ୟାୟ ଆଜିଠୁ; ଯାଦୁ ଦେଖାଇବେ ୫ ଓଡ଼ିଆ
ପରିତାପର ବିଷୟ ହେଉଛି, ଗତ କିଛିବର୍ଷ ହେଲା ଜିଲ୍ଲାର ଏହି ପ୍ରଥମ ଜଳଭଣ୍ଡାରର ଅବସ୍ଥା ଶୋଚନୀୟ ପାଲଟିଛି। କେନାଲ ଓ ଜଳଭଣ୍ଡାରର ପୁନରୁଦ୍ଧାର ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଘୋଷଣା କରୁଥିବା ବେଳେ ୪ ପଞ୍ଚାୟତର ଜୀବନରେଖା ସୁନାମୁଦି କେନାଲ୍ ଉପରେ ଯେମିତି କୃପାଦୃଷ୍ଟି ପଡ଼ିପାରିନି। ବର୍ତ୍ତମାନ ପରିସ୍ଥିତିରେ କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ବିଭାଗ ଏବଂ ମୃତ୍ତିକା ସଂରକ୍ଷଣ ବିଭାଗ ଉଚ୍ଚାପାହାଡ଼ିଆ ସ୍ଥାନରେ ଚେକ୍ଡ୍ୟାମ୍ ନିର୍ମାଣ କରି ଜଳସେଚନ ସୁବିଧା ଯୋଗାଇବାରେ ବିଫଳ ହେଉଥିବା ବେଳେ ଏଭଳି ଏକ ପ୍ରାଚୀନ ଜଳଭଣ୍ଡାରକୁ ପୁନରୁଦ୍ଧାର କରିବାରେ ସରକାର କାହିଁକି ତତ୍ପରତା ଦେଖାଉନାହାନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃୃଷ୍ଟି ହୋଇଛି।
Horoscope 2026 February 10 : ଜାଣନ୍ତୁ ଆଜିର ରାଶିଫଳ
ବର୍ତ୍ତମାନ ୪ ପଞ୍ଚାୟତବାସୀ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ସରକାର ପୁନରୁଦ୍ଧାର ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ଜଳଭଣ୍ଡାର ନିର୍ମାଣର ନେତୃତ୍ବ ନେଇଥିବା ଫିରିଙ୍ଗିଆ ଆଞ୍ଚଳିକ ମହିଳା ମହାସଂଘର ସଭାନେତ୍ରୀ ଜଟଣୀ କହଁର ଦାବି କରିଛନ୍ତି। ସେହିପରି ସରକାର ସ୍ବତନ୍ତ୍ର ରୂପରେଖ ପ୍ରସ୍ତୁତ କରି ଆଦିବାସୀ ଚାଷୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ସମ୍ପାଦିକା ନିବତୀ କହଁର ମଧ୍ୟ ଦାବି କରିଛନ୍ତି। ଚାଷୀ ରାଜେନ୍ଦ୍ର କହଁର, ତ୍ରିଲୋଚନ କହଁର, ଭୋଳାନାଥ କହଁର, ସୁମି କହଁର, ଚକ୍ରଧର କହଁର, ଶ୍ରୀରାମ କହଁର ଓ ହାଡ଼ିବନ୍ଧୁ କହଁର ବି ସମାନ କଥା ଦୋହରାଇଛନ୍ତି। ଜଳଭଣ୍ଡାରକୁ ସରକାର ନିଜ ହାତକୁ ନେଇ ଏହାର ପୁନରୁଦ୍ଧାର କରିପାରିଲେ ୪ ପଞ୍ଚାୟତରେ କୃଷି ଏବଂ ଚାଷୀଙ୍କ ଆର୍ଥିକ ବିକାଶ ହୋଇପାରିବ ‘ଅଗ୍ରଗାମୀ’ ସ୍ବେଚ୍ଛାସେବୀ ସଂଗଠନର ନିର୍ଦ୍ଦେଶକ ଅଚ୍ୟୁତ ଦାସ କହିଛନ୍ତି। ଅନ୍ୟପଟେ ଏହି ଜଳଭଣ୍ଡାରର ପୁନରୁଦ୍ଧାର ନେଇ ବିଭାଗ ଅନୁଧ୍ୟାନ କରିବ ବୋଲି କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠଯନ୍ତ୍ରୀ ନିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।
Follow Us