ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଧାନସଭାରେ ସଂଖ୍ୟା ଗଣିତ ଏକପ୍ରକାର ସ୍ପଷ୍ଟ ଅଛି। ଏମିତି ଯେ ବିଜେପିର ଦୁଇ ଓ ବିଜେଡିର ଜଣେ ଦଳୀୟ ପ୍ରାର୍ଥୀ ଜିତିବା ସହଜ। ଯଦି ସମସ୍ତ ବିଧାୟକ ଭୋଟ୍ ଦିଅନ୍ତି, ତେବେ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀଙ୍କ ପାଇଁ ବି ୩୩ଟି ପ୍ରଥମ ପସନ୍ଦର ଭୋଟ୍ ବଳୁଛି; ଅର୍ଥାତ୍ ଜିତିବା କଷ୍ଟସାଧ୍ୟ ନୁହେଁ। କିନ୍ତୁ ଦୁଇ ଦଳରେ କିଛିଟା ଗଡ଼ବଡ଼ର ଆଶଙ୍କା କରି ବିଜେପି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଓହ୍ଲାଇଛନ୍ତି ଦିଲ୍ଲୀପ ରାୟ। ସଂଖ୍ୟା ଗଣିତରେ ସେ ପଛରେ ଥିଲେ ବି ତାଙ୍କ ଜିତିବା ସମ୍ଭାବନା ଅଧିକ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ୨୦୦୨ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଯେପରି ଚକ୍ମା ଦେଖାଇଥିଲେ ଏଥର ବି ସେମିତି ହେବ ବୋଲି ସମସ୍ତେ ଅନୁମାନ କରୁଛନ୍ତି। ଏକଥା ମଧ୍ୟ ଆଲୋଚନା ହେଉଛି ଯେ ବିଜେଡି ଓ କଂଗ୍ରେସର କିଛି ବିଧାୟକଙ୍କ ଭରସାରେ ହିଁ ଦିଲ୍ଲୀପ ମଇଦାନକୁ ଓହ୍ଲାଇଛନ୍ତି।
Rajya Sabha Election: ଦିଲୀପ ରାୟ ନିର୍ବାଚନରେ ବିଜୟ ହେବେ ବୋଲି ଆଶା କରୁଛି: ମୁଖ୍ୟମନ୍ତ୍ରୀ
ଗତ ସାଧାରଣ ନିର୍ବାଚନରେ ଦିଲ୍ଲୀପ ରାୟ ବିଜେପିର ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ସେ ପରାଜୟ ବରଣ କରିଥିଲେ। ତାହା ପରେ ବିଜେପିରେ ତାଙ୍କର ସେତେଟା ସକ୍ରିୟ ଭୂମିକା ଦେଖିବାକୁ ମିଳୁ ନଥିଲା। ତେବେ ସେ ବିଜେପି ଛାଡ଼ି ନଥିଲେ। ତାଙ୍କୁ ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ କରିବାରେ କୌଣସି ସମସ୍ୟା ନଥିଲା। ହେଲେ ବିଜେପି ତାଙ୍କୁ ଦଳୀୟ ପ୍ରାର୍ଥୀ ନ କରି ସ୍ବାଧୀନ ଭାବେ ଲଢ଼ିବା ପାଇଁ ରାସ୍ତା ଖୋଲିଛି। କେବଳ ସେତିକି ନୁହେଁ, ବିଜେପି ତାଙ୍କୁ ସବୁ ପ୍ରକାର ସମର୍ଥନ କରିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି। ବିଜେଡି ଓ କଂଗ୍ରେସର ଅନେକ ବିଧାୟକଙ୍କ ସହ ଦିଲ୍ଲୀପଙ୍କର ବ୍ୟକ୍ତିଗତ ସମ୍ପର୍କ ଭଲ ଥିବା ପରିପ୍ରେକ୍ଷୀରେ ଉଭୟ ଦଳକୁ ବିଭାଜନ କରି ବିଜେପି ଦିଲ୍ଲୀପଙ୍କ ଜରିଆରେ ତୃତୀୟ ଆସନ ହାତେଇବାକୁ ଆଖି ରଖିଛି। ଏବେ ପ୍ରଶ୍ନ ଉଠୁଛି, ଦିଲ୍ଲୀପଙ୍କ ବ୍ୟକ୍ତିଗତ ସଂପର୍କ ଭୋଟ୍ରେ ରୂପାନ୍ତରିତ ହେବ ତ।
ଯଦି ୧୪୭ ବିଧାୟକ ଭୋଟ୍ ଦିଅନ୍ତି, ତେବେ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୩୦ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ୍ ଦରକାର। ବିଜେଡି ପାଖରେ ଏବେ ୪୮ ବିଧାୟକ ଅଛନ୍ତି। କଂଗ୍ରେସ ପାଖରେ ଅଛନ୍ତି ୧୪। ବିଜେଡିର ଦଳୀୟ ପ୍ରାର୍ଥୀ ସଂତୃପ୍ତ ମିଶ୍ର ୩୦ ଭୋଟ୍ ପାଇଲା ପରେ ବଳକା ରହିବ ୧୮ଟି ଭୋଟ୍। କଂଗ୍ରେସ ପାଖରେ ୧୪ ଓ ସିପିଆଇ(ଏମ୍)ର ଜଣେ ବିଧାୟକ ଅଛନ୍ତି। ତେଣୁ ପ୍ରଥମ ପସନ୍ଦରେ ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ୩୩ଟି ପ୍ରଥମ ପସନ୍ଦ ଭୋଟ୍ ମିଳିବା କଥା।
ବିଜେପିର ଏବେ ୭୯ ସଦସ୍ୟ। ଆଉ ୩ ଜଣ ଅଛନ୍ତି ସ୍ବାଧୀନ ବିଧାୟକ। ମୋଟ୍ ୮୨ ବିଧାୟକଙ୍କ ମଧ୍ୟରୁ ଦୁଇ ଦଳୀୟ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ୬୦ଟି ଭୋଟ୍ ପାଇଲା ପରେ ବଳିବ ୨୨ ଭୋଟ୍। ଏହି ଭୋଟ୍ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ଯିବ। ଏହା ବାଦ୍ ବିଜେଡିର ଦୁଇ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ମଧ୍ୟ ଦିଲ୍ଲୀପଙ୍କୁ ସମର୍ଥନ କରିବା ଏକପ୍ରକାର ନିଶ୍ଚିତ। ଏହି ଦୁଇ ଭୋଟ୍ ମିଶାଇଲା ପରେ ଦିଲ୍ଲୀପଙ୍କ ଭୋଟ୍ ହେବ ୨୪। ପ୍ରଥମ ପସନ୍ଦ ଭୋଟ୍ରେ ଜିତିବା ପାଇଁ ଆହୁରି ୬ ବିଧାୟକଙ୍କର ଆବଶ୍ୟକତା ରହିଛି। ସଂଖ୍ୟା କମ୍ ଥିଲେ ବି ନିଶ୍ଚିତ ବିଜୟ ହେବ ବୋଲି ନିଜେ ଦିଲ୍ଲୀପ ଓ ବିଜେପି ପକ୍ଷରୁ ଜୋର୍ ଦିଆଯାଉଛି।
Tamil Nadu Assembly Election : ତାମିଲନାଡ଼ୁ ବିଧାନସଭା ନିର୍ବାଚନ, କଂଗ୍ରେସକୁ ୨୮ ଆସନ ଦେଇପାରେ ଡିଏମ୍କେ
ବିଜେଡି ଓ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଫାଟ କରି କିଛି ଭୋଟ୍ ଟାଣିଲେ ହିଁ ଦିଲ୍ଲୀପ ଜିତିପାରିବେ। ଏଥି ପାଇଁ ଏବେ ଠାରୁ ଉଦ୍ୟମ ଆରମ୍ଭ ହୋଇଗଲାଣି। ଦିଲ୍ଲୀପଙ୍କ ପକ୍ଷରୁ ବିରୋଧୀ ଦଳର କିଛି ବିଧାୟକଙ୍କ ସହ ବ୍ୟକ୍ତିଗତ ଆଲୋଚନା ଚାଲିଲାଣି। ଉଭୟ ଦଳରେ ନେତୃତ୍ବଙ୍କୁ ନେଇ ଅସନ୍ତୋଷ ଥିବାରୁ ଭୋଟ୍ ଭାଙ୍ଗିବାରେ ଅସୁବିଧା ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ତେବେ ଆଜି ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଦିଲ୍ଲୀପଙ୍କ ଏକ ଟ୍ବିଟ୍ ଚର୍ଚ୍ଚାର ବିଷୟ ହୋଇଛି। ସେ ବିଜୁ ବାବୁଙ୍କୁ ତାଙ୍କ ଜୟନ୍ତୀରେ ମନେ ପକାଇବା ସହ ବିଜୁ ବାବୁଙ୍କ ଦୃଷ୍ଟିକୋଣ ଦ୍ବାରା ଅନୁପ୍ରାଣିତ ସମସ୍ତଙ୍କ ସମର୍ଥନ ଲୋଡ଼ିଛନ୍ତି। ଏପରି ଟ୍ବିଟ୍ କରି ସେ ବିଜୁପ୍ରେମୀ ବିଧାୟକଙ୍କ ଭୋଟ୍ ପାଇବାକୁ ଆଶା ରଖିଥିବା କୁହାଯାଉଛି।
ରାଜ୍ୟସଭା ନିର୍ବାଚନରେ ଦଳଗୁଡ଼ିକ ନିଜ ବିଧାୟକଙ୍କ ଉପରେ ହ୍ବିପ୍ ଜାରି କରିପାରିବେ। କିନ୍ତୁ କେହି ହ୍ବିପ୍ ଅମାନ୍ୟ କଲେ, ସେମାନଙ୍କ ସଭ୍ୟ ପଦ ରଦ୍ଦ ହେବ ନାହିଁ। କେବଳ ଦଳ ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ରାଜ୍ୟସଭା ନିର୍ବାଚନରେ ଓପନ୍ ବାଲଟ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ବିଧାୟକମାନେ ନିଜ ଦଳର ଏଜେଣ୍ଟଙ୍କୁ ବାଲଟ୍ ଦେଖାଇ ଭୋଟ୍ ଦେବ। ତେଣୁ କିଏ କାହାକୁ ଭୋଟ୍ ଦେଲେ, ତାହା ଏଜେଣ୍ଟମାନେ ଜାଣିପାରିବେ। ଏଥିରେ ନାକଚ ବ୍ୟବସ୍ଥା ବି ରହିଛି। ଯଦି ଏଜେଣ୍ଟ୍ଙ୍କୁ ନ ଦେଖାଇ କିଏ ଭୋଟ୍ ଦେବେ, ତେବେ ତାହା ନାକଚ ହେବ। ଯଦି ଏଜେଣ୍ଟଙ୍କ ବାଦ୍ ଅନ୍ୟମାନଙ୍କୁ ଦେଖାଇବେ, ତେବେ ବି ସେହି ଭୋଟ୍ ନାକଚ ହେବ। ଯଦି ବିଜେଡି ଓ କଂଗ୍ରେସରେ ନାକଚ ଭୋଟ୍ ସଂଖ୍ୟା ବଢ଼ିଯାଏ, ତେବେ ଦିଲ୍ଲୀପଙ୍କ ପଲା ଭାରି ରହିବ। ଯଦି ଉଭୟ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଥମ ପସନ୍ଦ ଭୋଟ୍ ସମାନ ହୋଇଯାଏ, ତେବେ ଦ୍ବିତୀୟ ପସନ୍ଦରେ ଦିଲ୍ଲୀପ ଜିତିଯିବେ ବୋଲି ଅନୁମାନ କରାଯାଉଛି। ଆହୁରି ମଧ୍ୟ ୧୪୭ ବିଧାୟକଙ୍କ ମଧ୍ୟରୁ କିଛି ବିଧାୟକ ଅନୁପସ୍ଥିତ ରହିଲେ, ପ୍ରଥମ ପସନ୍ଦ ଭୋଟ୍ ଗଣିତ ବଦଳିଯିବ। ଏହି ସଂଖ୍ୟା ୩୦ ରୁ କମିଯାଇପାରେ। ତେଣୁ ସେତେବେଳେ କିଏ କେତେ ଭୋଟ୍ ପାଇବ, ତାହା ଆଗୁଆ ଆକଳନ କରିବା ମୁସ୍କିଲ୍। ଯଦିଓ ସମସ୍ତେ ଅସ୍ବୀକାର କରୁଛନ୍ତି, ତଥାପି ଏସବୁକୁ ଆଧାର କରି ରାଜ୍ୟସଭା ନିର୍ବାଚନରେ ଘୋଡ଼ାବେପାର ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।
Follow Us