ବାରିପଦା: ‘ହୋଲିରେ ଛୁଟି ଥିବାରୁ ପରିବାର ସହ ଶିମିଳିପାଳ ବୁଲିବାକୁ ଆସିଥିଲୁ। ହେଲେ ଆମକୁ ପ୍ରବେଶ ଅନୁମତି ମିଳିଲାନି। ଶୁଣିଥିଲୁ, ଶିମିଳିପାଳ ପାଦଦେଶରେ ସୀତାକୁଣ୍ଡ ଝରଣା ରହିଛି। ତେଣୁ ସେଠାକୁ ବୁଲିବା ପାଇଁ ଗଲୁ। ହେଲେ ଦେଖିଲୁ ଝରଣା ତା’ର ଆକର୍ଷଣ ହରାଇଛି। ଝରଣାଟି କିଛି ବାଟ ପ୍ରବାହିତ ହେବା ପରେ ବିଲୀନ ହୋଇଯାଇଛି।’ ପଶ୍ଚିମବଙ୍ଗର ଅର୍ଜୁନ ସେନଙ୍କ ଏହି ଟିପ୍ପଣୀ ଅନେକଙ୍କୁ ପରିବର୍ତ୍ତିତ ପରିବେଶ ବିଷୟରେ ଭାବିବା ପାଇଁ ବାଧ୍ୟ କରିଛି। ଏହାସହିତ ଶିମିଳିପାଳରେ ବିଗୁଡ଼ୁଥିବା ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି।
୨୦୦ ମିଟର ପରେ ଉଭାନ୍
ଚିନ୍ତା ପ୍ରକଟ କଲେ ପରିବେଶବିତ୍
ସମସ୍ୟା ଭୋଗୁଛନ୍ତି ତଳମୁଣ୍ଡ ବନବାସୀ
ବାରିପଦାରୁ ୨୦ କିଲୋମିଟର ଦୂର ପିଠାବଟା ପ୍ରବେଶ ଦ୍ୱାର ନିକଟରେ ରହିଛି ସୀତାକୁଣ୍ଡ ଝରଣା। ଏହା ଶିମିଳିପାଳର କାଳୀପାହାଡ଼ରୁ ଉତ୍ପନ୍ନ ହୋଇଥିବା ବେଳେ ଉଚ୍ଚତା ପ୍ରାୟ ୫୦ ଫୁଟ। ଝରଣାଟି ପାହାଡ଼ ଛାତିରେ କାହିଁ କେତେ ବାଟ ପ୍ରବାହିତ ହୋଇଛି। ଯାହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆମୋଦିତ କରେ। ହେଲେ ଏ ବର୍ଷ ଖରାଦିନ ଆରମ୍ଭରୁ ହିଁ ସ୍ଥିତି ସଂପୂର୍ଣ୍ଣ ଅଲଗା। ୨୦୦ ମିଟର ପରେ ଝରଣାଟି ପାହାଡ଼ରେ ବିଲୀନ ହୋଇଯାଇଛି। ଫଳରେ ତଳମୁଣ୍ଡରେ ଝରଣା ପାଣି ଉପରେ ନିର୍ଭର କରୁଥିବା ବନବାସୀ ସମସ୍ୟା ଭୋଗୁଛନ୍ତି। ଅହେତୁକ ଗ୍ରୀଷ୍ମପ୍ରବାହ ତଥା ଜଳବାୟୁରେ ପରିବର୍ତ୍ତନ ଏବଂ ଶିମିଳିପାଳରେ ପରିବେଶଗତ ବ୍ୟତିକ୍ରମ ଏପରି ସ୍ଥିତି ପଛର କାରଣ ବୋଲି କୁହାଯାଉଛି। ଯଦି ଶିମିଳିପାଳରେ ଏହି ଧାରା ଜାରି ରହେ, ତେବେ ସୀତାକୁଣ୍ଡ ସହ ଅନେକ ଝରଣା ସଂପୂର୍ଣ୍ଣ ସତ୍ତା ହରାଇବେ। ବନ୍ୟଜନ୍ତୁ ଓ ବନବାସୀ ପାଣି ପାଇଁ ଡହଳବିକଳ ହେବେ ବୋଲି ପରିବେଶବିତ୍ମାନେ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ଡିଏଫ୍ଓ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ କହିଛନ୍ତି, ଶିମିଳିପାଳ ଏବେ ବିଭିନ୍ନ ସଂକଟ ଦେଇ ଗତି କରୁଛି। ବନ ବିଭାଗ ସେହି ସମସ୍ୟାର ସମାଧାନ ଦିଗରେ କାମ ଜାରି ରଖିଛି। ସୀତାକୁଣ୍ଡ ଶୁଖିବା ନେଇ ରିପୋର୍ଟ ପ୍ରସ୍ତୁତ ହେବ ଏବଂ ବିହିତ ପଦକ୍ଷେପ ନିଆଯିବ।
Follow Us