Theft by day, footpath encroachment by night: Ring Road is the permanent address of nomads Photograph: (sambad.in)
ରାଉରକେଲା: ଉଭୟ ଇସ୍ପାତ ସହରାଞ୍ଚଳ ଓ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ଅଞ୍ଚଳର ପାଦଚଳା ପଥ ଏବେ କବ୍ଜାରେ। ଆର୍ଏମ୍ସି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଥିବା ପାଦଚଳା ପଥକୁ ଦୋକାନୀ ଏବଂ ଉଠାଦୋକାନୀ ବର୍ଷବର୍ଷ ହେଲା ମାଡ଼ିବସିଛନ୍ତି। ୨୦୨୩ ହକି ବିଶ୍ବକପ୍ ସମୟରେ ଏହି ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିବାବେଳେ ଏବେ ପୁଣି ପୂର୍ବ ସ୍ଥିତିକୁ ଫେରିଆସିଲାଣି।
ଠିକ୍ ସେହିଭଳି ଇସ୍ପାତ ସହରାଞ୍ଚଳର ପାଦଚଳା ପଥ ଏବେ ଜବର ଦଖଲରେ। ତେବେ କୌଣସି ଉଠାଦୋକାନୀ ଜବରଦଖଲ କରିନାହାନ୍ତି, ବରଂ ବଞ୍ଜାରାମାନଙ୍କ ସ୍ଥାୟୀ ଠିକଣା ପାଲଟିଛି। ଏକାଧିକ ସ୍ଥାନରେ ରିଂ ରୋଡ୍ କଡ଼ରେ ଏମାନେ ରାତିଯାପନ କରୁଛନ୍ତି।
କିଛି ଦିନର ବ୍ୟବଧାନପରେ ଏବେ ଭଞ୍ଜଭବନ ପାଖ ପାଦଚଳା ପଥକୁ କବ୍ଜା କରିସାରିଲେଣି। ଗୋଟିଏ ସ୍ଥାନରେ ୨୦/୩୦ ଜଣିଆ ଗୋଷ୍ଠୀ ଆସ୍ଥାନ ଜମାଉଛନ୍ତି। ଏହି ଗୋଷ୍ଠୀରେ ୨/୩ ବର୍ଷିଆ ଶିଶୁଠାରୁ ଆରମ୍ଭକରି ୫୦/୬୦ ବର୍ଷିଆ ପୁରୁଷ, ମହିଳା, ଯୁବତୀ ଅଛନ୍ତି। ଦିନବେଳେ ଏମାନଙ୍କର ଦେଖାଦର୍ଶନ ମିଳୁନି।
କିନ୍ତୁ ସନ୍ଧ୍ୟା ହେବାମାତ୍ରେ ଏମାନେ ପୁଣି ଅସ୍ଥାୟୀ ରହଣୀକୁ ଫେରିଆସୁଛନ୍ତି। ଏମାନେ ଦିନବେଳେ ବିଭିନ୍ନ ଅଞ୍ଚଳ ବୁଲି ଚୋରି, ଠକେଇରେ ମାତିଥିବା ଅଭିଯୋଗ ହେଉଛି। କାଖରେ ଶିଶୁଙ୍କୁ ଧରି ଘରଘର ବୁଲି ଭିକ୍ଷା ମାଗିବାର ବାହାନା କରୁଛନ୍ତି। ଘର ଲୋକଙ୍କ ସାମାନ୍ୟ ଅସାବଧାନତା ଯୋଗୁ ଏମାନେ ବିଭିନ୍ନ ସାମଗ୍ରୀ ଚୋରି କରୁଥିବାର ନଜିର ରହିଛି। ଯଦି ଘର ଖୋଲା ଥାଏ, ତା’ହେଲେ ଏହାର ସୁଯୋଗ ନେଇ ଚୋରି କରୁଥିବା ଅଭିଯୋଗ ହୁଏ।
ଏମିତିକି ଏହି ଗୋଷ୍ଠୀର ପୁରୁଷ ସଦସ୍ୟ ସୁନା ଅଳଙ୍କାର ସଫାକରିବା ବାହାନାରେ ଠକେଇ କରୁଛନ୍ତି। ବିଗତ ଦିନରେ ଏଭଳି ଏକାଧିକ ଘଟଣାର ନଜିର ରହିଛି। ଏଭଳି ଢଙ୍ଗରେ ଚୋରି କରିଥିବା ଦୁଇ ଜଣ ବଞ୍ଜାରା ମହିଳାଙ୍କୁ ସେକ୍ଟର-୭ ପୁଲିସ ଗିରଫକରି କୋର୍ଟଚାଲାଣ କରିଥିଲା।
ଅଧିକ ପଢ଼ନ୍ତୁ: ମାନବ ଦୃଷ୍ଟି ବାହାରେ ନୂତନ ରଙ୍ଗ ‘ଓଲୋ’
ସେକ୍ଟର-୧୯ ଥାନା ଅଞ୍ଚଳରେ ମଧ୍ୟ ସମାନ ଧରଣରେ ଚୋରି ହୋଇଥିଲା। ଏଭଳି ଅନୈତିକ କାର୍ଯ୍ୟରେ ଲିପ୍ତ ରହିବାର ବାରମ୍ବାର ପ୍ରମାଣିତ ହେବାପରେ ଏମାନେ ସ୍ଥାନ ପରିବର୍ତ୍ତନ କରିଥିଲେ।
ଏବେ ପୁଣିଥରେ ରାଉରକେଲାକୁ ଲେଉଟି ଆସିଛନ୍ତି। ଏ ଦିଗରେ ଆର୍ଏସ୍ପି ସହରସେବା ବିଭାଗ, ରାଉରକେଲା ପୁଲିସ ପ୍ରତିଷେଧାତ୍ମକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।
ଅଧିକ ପଢ଼ନ୍ତୁ: ପୁଣି ତେଜିଲା ଓ୍ୱାକଫ ଚର୍ଚ୍ଚା: ସୁଲତାଙ୍କ ମନ୍ତବ୍ୟ ନେଇ ରାଜନୈତିକ ଉଷ୍ଣତା ବୃଦ୍ଧି
sundargarh
Follow Us