Thieves steal Divyang's goat Photograph: (sambad.in)
ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଛେଳି ମେଣ୍ଢା ଚୋର ସକ୍ରିୟ ଅଛନ୍ତି। ବିଳମ୍ବିତ ରାତିରେ ଚାରି ଚକିଆ ଯାନ ଲଗାଇ ଗୁହାଳ ସଫା କରି ଦେଉଛନ୍ତି। ଖୁବ ସତର୍କତା ସହ ଘର ଅଗଣାରୁ ଲୁଟ୍ କରୁଛନ୍ତି। ପୁଲିସ ସେମାନଙ୍କ ଟେର୍ ପାଉ ନାହିଁ।
ଗତକାଲି ରାତିରେ ଦୋରବାଙ୍ଗ ଗ୍ରାମର ଦିବ୍ୟାଙ୍ଗ ଯୁବକ ଶରତ ନାୟକଙ୍କ ଗୁହାଳୁ ୨୫ଟି ବଡ଼ ବଡ଼ ଛେଳି ଦୁର୍ବୃତ୍ତ ନେଇଯାଇଛନ୍ତି। ଚୋରି ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।
ସ୍ଥାନୀୟ ଦୋରବାଙ୍ଗ ଗ୍ରାମର ଗୌରୀ ନାୟକଙ୍କ ଅଭିଯୋଗ ଅନୁଯାୟୀ, ସେ ଛେଳି ପାଳନ କରି ପରିବାର ଗୁଜୁରାଣ ମେଣ୍ଟାଉ ଥିଲେ। ତାଙ୍କ ସ୍ୱାମୀ ଶରତ ନାୟକ ଜଣେ ଦିବ୍ୟାଙ୍ଗ। ଛେଳି ଚାଷରୁ ଯାହା ଦୁଇ ପଇସା ରୋଜଗାର ହୁଏ ସେଥିରେ ପରିବାର ବହୁ କଷ୍ଟରେ ଚଳନ୍ତି। ଗତକାଲି ରାତି ପ୍ରାୟ ୨ ଟାରେ ପରିବାର ଲୋକେ ଉଠି ବାହାରକୁ ଆସି ଦେଖିଥିଲେ ଗୁହାଳ କଡ଼ି ଓ ତାଲା ଖୋଲା ପଡ଼ିଛି।
ଅଧିକ ପଢ଼ନ୍ତୁ: ସକାଳୁ ସକାଳୁ ଏନକାଉଣ୍ଟର: କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍ର ସଦସ୍ୟ ଆହତ
ଗୁହାଳ ଭିତରୁ ୨୫ ବଡ଼ ଛେଳି କେହି ଦୁର୍ବୃତ୍ତ ନେଇ ଯାଇଥିବା ବେଳେ ୩ ଟି ଛୁଆଙ୍କୁ ଛାଡି ଦେଇ ଯାଇଛି। ଚୋରି ହୋଇଥିବା ଛେଳିଙ୍କର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।ଏବେ ଶରତଙ୍କ ପରିବାର ଲୋକେ ଅସହାୟ ହୋଇ ପଡିଛନ୍ତି।
ସେହିପରି କିଛି ଦିନ ପୂର୍ବରୁ ସରାଟ ଶାସନ ଖମାର ସାହିର ରଘୁନାଥ ଭୋଇଙ୍କ ମେଣ୍ଢା ଗୁହାଳ ଚୋର ପୋଛି ଦେଇଥିଲେ। ପୁଲିସ ତଦନ୍ତ କରୁଛି ହେଲେ ଆଜି ପର୍ଯ୍ୟନ୍ତ ଚୋରଙ୍କ ଟେର୍ ପାଇ ପାରି ନାହିଁ। ଦିବ୍ୟାଙ୍ଗ ଶରତଙ୍କୁ ନ୍ୟାୟ ଦେବାକୁ ସାଧାରଣରେ ଦାବି ହେଉଛି।
ଅଧିକ ପଢ଼ନ୍ତୁ: ତାଜ୍ ମହଲ ସମ୍ମୁଖରେ ପାରିବାରିକ ଫଟୋ ସେୟାର୍ କଲେ ଜେଡି ଭ୍ୟାନ୍ସ
balipatna | Bhubaneswar
Follow Us