ଭୁବନେଶ୍ଵର: ଆସନ୍ତାକାଲି ବୁଧବାର ମାଚ୍ଚ; ୧୯ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ଉନ୍ନବିଂଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୫ । ଏହି ଉପଲକ୍ଷେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ରାଜ୍ୟ ଅତିଥି ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି ।  

Advertisment

ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି, ତୋଷାଳି ମେଳା  ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂସ୍କୃତିର ନିଦର୍ଶନ ହେବ । ଆସନ୍ତାକଲି ଓଡ଼ିଶାର  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭ ଉଦ୍‌ଘାଟନ କରିବେ । ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ସହ ବୁଣାକାର ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି  ନିମନ୍ତେ ଏହା ଏକ ବଜାର ଯୋଗାଇଦେବ ।

ସୂଚନାଯୋଗ୍ୟ, ଚଳିତବର୍ଷ ଏହି ମେଳାରେ ୬୫୦ରୁ ଅଧିକ ଷ୍ଟଲ ରହିବ। ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୧୫୦ଟି ଷ୍ଟଲ, ହସ୍ତତନ୍ତ ବିକାଶ ଆୟୁକ୍ତଙ୍କ  ପକ୍ଷରୁ ୫୦ ଟି ଷ୍ଟଲ, ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୨୫୦ ଷ୍ଟଲ, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୧୧୦ ଟି ଷ୍ଟଲର ବ୍ୟବସ୍ଥା କରାଯାଇଛି ।

ଓଡିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ ଟି ଷ୍ଟଲ ରହିବ । ଏତଦ ବ୍ୟତୀତ ବିଭିନ୍ନ ଶିକ୍ଷାନୁଷ୍ଠାନ, ଭାରତ ତଥା ଓଡିଶା ସରକାରଙ୍କ ଅଧିନସ୍ଥ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଭିତ୍ତିକ ସଂସ୍ଥାମାନେ ବିଭିନ୍ନ ଷ୍ଟଲରେ ଦର୍ଶକମାନଙ୍କୁ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଷୟରେ ଅବଗତ କରିବେ । ୨୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ଥିମ ପାଭିଲିଅନ୍ “ଶିଳ୍ପ ସୃଜନୀ”।

ଅପରାହ୍ନ ୩ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଷ୍ଟଲ ଖୋଲା ରହିବ । ପ୍ରତ୍ୟେକ ଦିନ  ସନ୍ଧ୍ୟା ୬ ରୁ ରାତି ସାଢ଼େ ୯ ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ “ଫ୍ୟାସନ ସୋ”ର ମଧ୍ୟ କରାଯିବ  । ଚଳିତ ବର୍ଷ ମେଳାରେ ୩୦ ଲକ୍ଷ ଜନ ସମାବେଶ ସହିତ ୨୮ କୋଟି ଟଙ୍କାର ସାମଗ୍ରୀ ବିକ୍ରି ହେବ ବୋଲି ଆଶା କରାଯାଉଛି ।

ହାଇଲାଇଟ୍ସ:

୧୯ ରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ଵର ଜନତା ମଇଦାନରେ ଅନୁଷ୍ଠିତ ହେବ  

୬୫୦ ରୁ ଅଧିକ ଷ୍ଟଲ, ଖୋଲା ରହିବ ଦିବା ୩ ରୁ ରାତି ୧୦ 

୩୦ ଲକ୍ଷ ଜନ ସମାଗମ ସହ ୨୮ କୋଟିର ବାଣିଜ୍ୟ ଲକ୍ଷ୍ୟ 

୨୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ଥିମ ପାଭିଲିଅନ୍ “ଶିଳ୍ପ ସୃଜନୀ”

ଦିବ୍ୟ।ଙ୍ଗ ଓ ବୟସ୍କଙ୍କ ପାଇଁ ସ୍ଵତନ୍ତ୍ର ହେଲ୍ପ ଡେସ୍କ, ହ୍ଵିଲ ଚେୟାର 

ଦିବ୍ୟାଙ୍ଗ ଓ ମହିଳାଙ୍କ ପାଇଁ ସ୍ଵତନ୍ତ୍ର ଶୌଚାଳୟ

ମା’ ଓ ନବଜାତ ଶିଶୁଙ୍କ ପାଇଁ ମା’ ଓ ଶିଶୁ ଯତ୍ନ କକ୍ଷ

ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମନମୋହିବ ସାଂସ୍କୃତିକ କାର୍ଯ୍ୟକ୍ରମ 

ଆୟୋଜିତ ହେବ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ “ଫ୍ୟାସନ ସୋ”

ତୋଷାଳି ଜାତୀୟ ମେଳା ପରିସରରେ ସମସ୍ତ ବ୍ୟବସ୍ଥା ଯଥା ଦମକଳ ବାହିନୀ, ନିରାପତ୍ତା ସହାୟତା, ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ, ପ୍ରାଥମିକ ଚିକିତ୍ସା ସେବା, ଆମ୍ବୁଲାନ୍ସ  ସେବା, ପାନୀୟ ଜଳ, ଶୌଚାଳୟ, ଏଟିଏମ୍ କାଉଣ୍ଟରର ସୁବିଧା କରାଯାଇଛି। ମହିଳା କାରିଗର ଓ ବୁଣାକାରମାନଙ୍କ ନିମନ୍ତେ ମାଗଣା ରହଣି ତଥା ପରିବହନ ସୁବିଧା ଆଦିର ବ୍ୟବସ୍ଥା କରାଯାଇଛି ।

ଏହି ବର୍ଷ ମେଳାକୁ ବୟସ୍କ ତଥା ଦିବ୍ୟାଙ୍ଗ ଅନୁକୁଳ ବାତାବରଣରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଅଛି । ହୁଇଲ ଚେୟାର ସହ ଦିବ୍ୟାଙ୍ଗ ଓ ବୟସ୍କ ପରିଦର୍ଶକଙ୍କ ପାଇଁ ଏକ ସ୍ଵତନ୍ତ୍ର ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ  ଓ ମହିଳା ପରିଦର୍ଶକମାନଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବନ୍ଦୋବସ୍ତ ହୋଇଛି । ସର୍ବୋପରି ମା’ ଓ ଶିଶୁଙ୍କ ପାଇଁ ଏକ ସ୍ଵତନ୍ତ୍ର ଶିଶୁ ଯତ୍ନ ଗୃହର ପରିକଳ୍ପନା କରାଯାଇଅଛି ।

ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରାଳୟର ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ), ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ)ର ମିଳିତ ସହଭାଗିତାରେ ଏହି ମେଳା ଆୟୋଜନ ହେଉଛି । 

ଅଧିକ ପଢ଼ନ୍ତୁ: ସମସ୍ୟା ଘେରରେ ୭୫ବର୍ଷର ମାଲାନସୁଗା ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ

ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ କମିସନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ସ୍ଵତନ୍ତ୍ର ଶାସନ ସଚିବ ମଧୁମିତା ରଥ, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ବିକ୍ରମାଦିତ୍ୟ ବାରିକ, ହସ୍ତଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତୀ ଛୋଟରାୟ, ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ଯୁଗ୍ମ ନିର୍ଦ୍ଦେଶକ ଶିଶିର କୁମାର ରଥ, ଉପ ନିର୍ଦ୍ଦେଶକ ମାନଗୋବିନ୍ଦ ଜେନା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ: ଖୁସି ଭିତରେ ଚିନ୍ତାଜନକ ତଥ୍ୟ: ସୁନିତାଙ୍କୁ ଭୋଗିବାକୁ ପଡିପାରେ କର୍କଟ ପରି ଅନେକ ସ୍ବାସ୍ଥ୍ୟ ସମସ୍ୟା !