ସୋର: ମଙ୍ଗଳବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଏକ ଟ୍ରେଲର୍‌ ଓ ଆଇଚର୍‌ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା ଘଟିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ, ବିହାର ବିଦ୍ୟାନଗର ଅଞ୍ଚଳର ପଙ୍କଜ କୁମାର ରୟ (୨୭) ଓ ବୈଶାଳି ଜିଲ୍ଲା ରାଘବପୁର-ହଜପରୁଆ ଅଞ୍ଚଳର ରାକେଶ ଯାଦବ (୩୨)। ଗୁରୁତରମାନେ ହେଲେ, ପାଟନାର ସଞ୍ଜୟ ଯାଦବ ଓ ଅନିଲ ଯାଦବ। ଗତକାଲି ବିଳମ୍ବିତ ରାତିରେ ଜେଏଚ୍‌-୦୧ଏଫଆର୍‌-୦୧୨୧ ନମ୍ବର ବିଶିଷ୍ଟ ଏକ ଟ୍ରକ୍‌ ଭୁବନେଶ୍ୱରରୁ ରାଞ୍ଚି ଅଭିମୁଖେ ଯାଉଥିବା ବେଳେ ତଳନଗର ନିକଟରେ ଏକ ଟ୍ରେଲର୍‌ ପଛକୁ ଧକ୍କା ଦେଇଥିଲା। 

Advertisment

dgjgjgdjdgj

ଟ୍ରକ୍‌ଚାଳକ ଗାଡ଼ିରୁ ଡେଇଁ ଚମ୍ପଟ ମାରିଥିଲେ। ତେବେ ଟ୍ରକ୍‌ ଭିତରେ ସଞ୍ଜୟ ଯାଦବ, ଅନିଲ ଯାଦବ, ପଙ୍କଜ କୁମାର ରୟ ଓ ରାକେଶ ଯାଦବ ଚାପି ହୋଇ ରହିଥିଲେ। ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ସହ ସୋର ଥାନା ଏସ୍‌ଆଇ ପ୍ରୀତିଜିତ ମହାନ୍ତି ଓ ଟିମ୍‌ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ରାକେଶ ଓ ପଙ୍କଜଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ଲୋକେ ସୋର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି।