ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଜିଲ୍ଲାର ସବୁଠାରୁ ଅଧିକ ହଳଦୀ ଚାଷ ହୁଏ। ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଏକରରେ ହଳଦୀ ଚାଷ ହୋଇଥାଏ। ଉଦ୍ୟାନ ବିଭାଗର ରିପୋର୍ଟ ଅନୁଯାୟୀ ଗତ ୨୦୨୩ ମସିହାରେ ୫୧ ହେକ୍ଟର ଜମିରେ ହଳଦୀ ଚାଷ କରାଯାଇଥିବା ବେଳେ ୨୦୨୪-୨୫ରେ ୪୦ ହେକ୍ଟରରେ ହଳଦୀ ଚାଷ କରାଯାଇଛି।

Advertisment

ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତ ମଧ୍ୟରୁ ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତରେ ବିଶେଷ ଭାବେ ଏହି ଚାଷ ବ୍ୟାପକ ପରିମାଣରେ କରାଯାଇଥାଏ। ସ୍ବାଭିମାନ ଅଞ୍ଚଳର ରାଲଗେଡା ପଞ୍ଚାୟତରେ ୧୧୦ ଚାଷୀ ଏହି ଚାଷକୁ ଆପଣେଇଥିବା ବେଳେ ପେପରମେଟଲା ପଞ୍ଚାୟତରେ ୪୪ ଜଣ,ବଡପଡା ପଞ୍ଚାୟତରେ ୬୫ ଜଣ ଚାଷୀ ଏହି ଚାଷ କରୁଥିବା ସରକାରୀ ରିପୋର୍ଟର ଦରଜ ହୋଇଛି। କିନ୍ତୁ ଏହା ଛଡା ମଧ୍ୟ ବହୁ ଚାଷୀ ଏହି ଚାଷ କରୁଥିବା ସୂଚନା ମିଳିଛି।

ତେବେ ପ୍ରତିବର୍ଷ ବଜାର ନଥିବାରୁ ଚାଷୀ ହତାଶ ହେଉଥିବା ଦେଖିବାକୁ ମିଳିଛି। ହେକ୍ଟର ପିଛା ୨୦୦ କ୍ବିଣ୍ଟାଲ ଅମଳ ହୋଇଥାଏ। ସ୍ବାଭିମାନ ଅଞ୍ଚଳର ଲୋକେ ପ୍ରାୟତଃ ଆନ୍ଧ୍ର ଉପରେ ନିର୍ଭର କରୁଥିବାରୁ ଆନ୍ଧ୍ର ଦଲାଲ ସ୍ବାଭିମାନ ଅଞ୍ଚଳର ଗାଁ ଗାଁ ବୁଲି ହଳଦୀ କମ୍ ଟଙ୍କାରେ ଖରିଦ କରି ଆନ୍ଧ୍ର ସହ ବାହାର ରାଜ୍ୟକୁ ଚଢା ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ପ୍ରତି ବର୍ଷ ଜୁନ ଜୁଲାଇ ମାସରୁ ହଳଦୀ ଚାଷ ଆରମ୍ଭ ହୋଇଥାଏ। 

ଡିସେମ୍ବର ଓ ଜାନୁଆରି ବେଳକୁ ଅମଳ କରାଯାଇଥାଏ। ତେବେ ଅମଳ କରି ଚାଷ ଘରେ ଏହାକୁ ବେଶୀ ଦିନ ରଖିପାରି ନଥାଏ। ପୁଣି କିଛି ଚାଷୀ ବଜାର ନଥିବାରୁ ଦୁଇ ତିନି ବର୍ଷ ଅମଳ କରି ନାହାନ୍ତି। ଯାହାଫଳରେ ମାଟି ତଳେ ହିଁ ହଳଦୀ ପଚି ଯିବାର ସମ୍ଭାବନା ରହିଛି।

ତେବେ ଏନେଇ ଉଦ୍ୟାନ ବିଭାଗର ପ୍ରକଳ୍ପ ଅଧିକାରୀ ପ୍ରଶାନ୍ତ ପାତ୍ରଙ୍କୁ ପଚାରିବାରୁ ଚିତ୍ରକୋଣ୍ଡାରେ ସବୁଠାରୁ ଅଧିକ ହଳଦୀ ଚାଷ ହେଉଥିବା ସ୍ବୀକାର କରିବା ସହ ଆଗାମୀ ଦନରେ ଏହାର ପ୍ରୋସେସିଂ ପ୍ଲାଣ୍ଟ ବସାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହେଉଥିବା କୁହାଯାଇଛି। 

ଓରମାସ ତରଫରୁ ହଳଦୀର ଖରିଦ ହେଉ ନଥିବାରୁ ଚାଷୀ ବହୁ କ୍ଷତି ସହୁଥିବା କହିଛନ୍ତି। ପୁଣି ଏଠାରେ ହଳଦୀ ପ୍ରୋସେସିଂ ୟୁନିଟ ନଥିବାରୁ ଆହୁରି ସମସ୍ୟା ସୃଷ୍ଟି ହେଉଛି। 

ତେବେ ଏନେଇ ଓରମାସର ଜିଲ୍ଲା ଅଧିକାରୀଙ୍କୁ ପଚାରିବାରୁ ଚିତ୍ରକୋଣ୍ଡାରେ ତୁରନ୍ତ ଏକ ମିନି ପ୍ରୋସେସିଂ ପ୍ଲାଣ୍ଟ ବସିବ ବୋଲି କହିଥିଲେ। ବର୍ଷ ବର୍ଷ ଧରି ଲୋକେ ହଳଦୀ ଚାଷ କରୁଥିଲେ ମଧ୍ୟ ପ୍ରଶାସନ କିମ୍ବା ସରକାର ଏମାନଙ୍କ ପାଇଁ କୌଣସି ସୁବିଧା ନକରିବା ଅସନ୍ତୋଷକୁ ଆହୁରି ବଢାଇଛି।

ଅଧିକ ପଢ଼ନ୍ତୁ: ମୁକୁନ୍ଦୁପୁର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍

ଚାଷୀ ବାରମ୍ବାର ଏନେଇ ମଧ୍ୟ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିବା କହିଛନ୍ତି। ବଜାରରେ ଏହାର ମୂଲ୍ୟ କିଲୋ ପ୍ରତି ୧୦୦ ଟଙ୍କାରୁ ଉର୍ଦ୍ଧ୍ବ ରହିଥିଲେ ମଧ୍ୟ ଚାଷୀ ଏହାକୁ ୫୦ରୁ ୫୫ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ପ୍ରୋସେସିଂ ପ୍ଲାଣ୍ଟ ବସିଲେ ହଳଦୀର ଚାହିଦା ଆହୁରି ଦୁଇଗୁଣା ହୋଇଯିବ ବୋଲି ଚାଷୀ କହିଛନ୍ତି। ତେବେ ଆଇଟିଡିଏ ଏବଂ ଓରମାସ ତରଫରୁ ତୁରନ୍ତ ସ୍ବାଭିମାନ ଅଞ୍ଚଳରେ ହଳଦୀ ପ୍ରୋସେସିଂ ପ୍ଲାଣ୍ଟ ବସାଇବାକୁ ଚାଷୀ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ଖବର ପ୍ରକାଶ ପରେ ହସ୍ପିଟାଲ ପରିସର ପରିଷ୍କାର ହେଲା

Malkangiri