ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ପାଇଁ ଆଜି ଥିଲା ଅଶୁଭ ସକାଳ। ସବୁଦିନ ଭଳି ଆଜି ମଧ୍ୟ ଭୋରରେ ଗ୍ରାମର ସୀମାଞ୍ଚଳ ରାଉତଙ୍କ ପତ୍ନୀ ଊର୍ମିଳା ରାଉତ (୫୧) ଓ ଆଉ ଜଣେ ଗ୍ରାମବାସୀ ଗୋପୀନାଥ ପ୍ରଧାନ(୬୦) ପରିବା ତୋଳିବାକୁ ବଗିଚାକୁ ଯାଇଥିଲେ। ପରିବା ଆଣିଥିଲେ, କିଛି ବେପାର ଆଉ କିଛି ରୋଷେଇ ହୋଇଥା’ନ୍ତା। ହେଲେ ପରିବା ତୋଳିବା ବେଳେ ହଠାତ୍ ଆଖି ପିଛୁଳାକେ ନିକଟ ଘୋଡ଼ାହାଡ଼ ନଦୀପଠାରୁ ଏକ ଦନ୍ତାହାତୀ ମାଡ଼ିଆସିବାରୁ ପ୍ରାଣ ବଞ୍ଚାଇବାକୁ ଉଭୟ ଦୌଡ଼ିଥିଲେ। ଦୌଡ଼ିବା ବେଳେ ହିଡ଼ରେ ଝୁଣ୍ଟି ପଡ଼ିଯିବାରୁ ଊର୍ମିଳାଙ୍କୁ ହାତୀ ଦଳିଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପରେ ହାତୀଟି ଗୋପୀନାଥଙ୍କୁ ଶୁଣ୍ଢରେ ୨ ଥର କଚାଡ଼ି ଦେଇ ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ସ୍ଥାନୀୟ ଲୋକେ ଗୋପୀନାଥଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଁ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Elephant Attack 2 Death ହାତୀ ଆକ୍ରମଣରେ ଗୋଟିଏ ଗାଁର ୨ ଜଣଙ୍କ ଜୀବନ ଗଲା
ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର୍ ରୂପକ କୁମାର ପ୍ରଧାନ ଓ ଭୀଷ୍ମଗିରି ବନପାଳ ଦେବାଶିଷ ଶତପଥୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦିଗପହଣ୍ଡି ଥାନାରେ କେସ୍ ନମ୍ବର ୭/୨୬ ଓ ୮/୨୬ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ଶୋକାକୁଳ ପରିବେଶରେ ଗ୍ରାମରେ ଅନ୍ତିମ ସତ୍କାର କରାଯାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର, ତହସିଲଦାର ସନ୍ତୋଷ କୁମାର ସାହୁ, ବିଜେଡି ନେତା ବିପ୍ଳବ ପାତ୍ର ଓ ଫାସିଗୁଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ବନ ବିଭାଗ ପକ୍ଷରୁ ୨ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।
Elephant Attack: ଦନ୍ତାର ଆତଙ୍କ: ୩ଜଣଙ୍କୁ ଦଳିଲା, ୩ ଗୁରୁତର
ଅନ୍ୟପକ୍ଷରେ ଗତ ମାସେ ହେଲା ଏକ ହାତୀ ଗଜପତି ଜିଲ୍ଲା ଲଖାରୀ ଅଭୟାରଣ୍ୟରୁ ଗୋଠଛଡ଼ା ହୋଇ ତପ୍ତପାଣି ନିକଟ ଝାଟିକାବାଡ଼ ଜଙ୍ଗଲ ଦେଇ ଆସି ଦିଗପହଣ୍ଡି ବ୍ଲକ୍ ଭୀଷ୍ମଗିରି, ଚଷାନିମଖଣ୍ଡି, ସହଦେବଟିକରପଡ଼ା ଓ ନିମଖଣ୍ଡିପେଣ୍ଠ ଆଦି ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ଭୀଷ୍ମଗିରି ସେକ୍ସନର କର୍ମଚାରୀ ଟ୍ରାକର୍ଙ୍କ ସହାୟତାରେ ହାତୀକୁ ଠାବ କରି ଜଙ୍ଗଲକୁ ଘଉଡ଼ାଇଥିଲେ। ହେଲେ ହାତୀଟି ପୁଣି ଜଙ୍ଗଲରୁ ଫେରି ଆସି ଏହି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ସେହିପରି ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ପାଟପୁର ସେକ୍ସନ୍ ରତନେଇ ନିକଟ ଜଙ୍ଗଲରେ ୪ ହାତୀ ରହୁଛନ୍ତି। ଏହି ପଲରୁ ଜଲମେରିପଲ୍ଲୀ ଅଞ୍ଚଳକୁ ହାତୀ ଯାଇଛି କି ନାହିଁ ଏନେଇ ଟ୍ରାକିଂ କରାଯାଉଥିବା ଦିଗପହଣ୍ଡି ରେଞ୍ଜର୍ ଦିବ୍ୟରଞ୍ଜନ ସାହୁ ସୂଚନା ଦେଇଛନ୍ତି। ସଂପ୍ରତି ଆବଶ୍ୟକ ପାଣି ଓ ଖାଦ୍ୟ ଅଭାବରୁ ହାତୀ ଜନବସତିକୁ ମାଡ଼ି ଆସୁଛନ୍ତି। ଗତ ୨୦ବର୍ଷ ମଧ୍ୟରେ ବ୍ୟାପକ ଜଙ୍ଗଲ ଓ ହାତୀଙ୍କ ବାସସ୍ଥଳୀ ନଷ୍ଟ କରାଯିବା ସହ ଲଖାରୀ ଅଭୟାରଣ୍ୟ ଭିତରେ ବେଆଇନ ଜନବସତି ଗଢ଼ିଉଠିବା କାରଣରୁ ହାତୀ ଗାଁମୁହାଁ ହେଉଛନ୍ତି।
Follow Us