ଭୁବନେଶ୍ବର: ସରକାର ବିଭିନ୍ନ ଯୋଜନା ଓ ନିୟମ ଘୋଷଣା କରି ପଛଘୁଞ୍ଚା ଦେଉଛନ୍ତି। ଏହାଦ୍ୱାରା ଜନତାଙ୍କୁ ଭ୍ରମିତ କରି ବିଶ୍ୱାସଘାତକତା କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ସୋନାଲି ସାହୁ କହିଲେ, ମୋହନ ସରକାର ଏକ ଭୟଗ୍ରସ୍ତ ୟୁ ଟର୍ଣ୍ଣର ସରକାର। ରତ୍ନଭଣ୍ଡାର ସାର୍ବଜନୀନ କରିବା, ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ଗୁଟ୍‌ଖା ନିଷିଦ୍ଧ ମଧ୍ୟରୁ ସରକାର ଗୋଟିଏ ମଧ୍ୟ ପାଳନ କରିପାରି ନାହାନ୍ତି।

Advertisment

୧୯ମାସରେ ୧୯ ପ୍ରତିଶ୍ରୁତି ପାଳନ କରିବାରେ ସରକାର ଅକ୍ଷମ

ଠିକା ବ୍ୟବସ୍ଥାର ସମାପ୍ତି କରାଯିବ ସରକାର ଘୋଷଣା କରିଥିଲେ, ଓଲଟା ୯ଶହ ଟଙ୍କା ପିଲାଙ୍କଠାରୁ ଚାନ୍ଦା ଆଦାୟ କରିଛନ୍ତି। ୧୯ ମାସରେ ୧୯ ପରୀକ୍ଷା ବାତିଲ କରି ସରକାର ରେକର୍ଡ ସୃଷ୍ଟି କରିଛନ୍ତି। ୩ଶହ ୟୁନିଟ ବିଜୁଳି ମାଗଣା ଦେବାକୁ କହି ଓଲଟା ସ୍ମାର୍ଟ ମିଟର ନାମରେ ଟାଟା କମ୍ପାନି ପାଇଁ ୭୫୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଜାନୁଆରି ପହିଲାରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ମୁଖ୍ୟମନ୍ତ୍ରୀଙ୍କ ମାଗଣା ଅବଢ଼ା ବଣ୍ଟନ ଯୋଜନାକୁ ଲାଗୁ କରିନାହାନ୍ତି। ସ୍କୁଲ ୟୁନିଫର୍ମ ଶିକ୍ଷା ବର୍ଷ ଆରମ୍ଭରୁ ବଣ୍ଟାଯିବ ବୋଲି କହିଥିଲେ କିନ୍ତୁ ଏ ପର୍ଯ୍ୟନ୍ତ ଦେଇପାରି ନାହାନ୍ତି। ଛତୁଆ ବଣ୍ଟନ ମିସନ ଶକ୍ତି ମହିଳା ନ କରି ନିଲାମ ଜରିଆରେ କରାଯିବ କହିଥିଲେ। ଏବେ ପୁଣି ମିସନ ଶକ୍ତି ମହିଳା ବଣ୍ଟନ କରିବେ କହିଛନ୍ତି। ସରକାର ମାଳମାଳ ଘୋଷଣା କରି ପୁଣି ୟୁ-ଟର୍ଣ୍ଣ ମାରୁଛନ୍ତି କାହିଁକି? 

Powerlifting Championship: ଖୋର୍ଦ୍ଧା ଦଳଗତ ବିଜେତା; ପ୍ରତିଷ୍ଠା, ସୋମେନ ଶ୍ରେଷ୍ଠ

ମୁଖପାତ୍ର ମନିଷା ଦାସପଟ୍ଟନାୟକ କହିଲେ, ସରକାରଙ୍କ କୌଣସି କାମ, ନୀତି କିମ୍ବା ଘୋଷଣାରେ ଗମ୍ଭୀରତା ଓ ବାସ୍ତବତା ନାହିଁ। ଚାଷୀ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ରେଳ ବ୍ୟବସ୍ଥା କିମ୍ବା ମହିଳାଙ୍କ ସୁରକ୍ଷା ଦିଗରେ ସରକାର ସମ୍ପୂର୍ଣ୍ଣ ବିଫଳ। ନେତାମନ୍ତ୍ରୀଙ୍କ ଅପାରଗତା, ଖାମଖିଆଲ ନୀତି ଓ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଛି। ଗୋଟିଏ ବିଭାଗର ମନ୍ତ୍ରୀ ଅନ୍ୟ ବିଭାଗର କାମ ଉପରେ କଥା କହୁଛନ୍ତି, ଯାହା ସରକାରୀ ଅବ୍ୟବସ୍ଥାକୁ ସ୍ପଷ୍ଟ କରୁଛି। ଲୋକଙ୍କ ସମ୍ମୁଖରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ କିଛି ଦିନ ପରେ ସରକାର ସେଗୁଡ଼ିକୁ ଭୁଲିଯାଉଛନ୍ତି। ୧୯ ମାସରେ ଏହି ସରକାର ୧୯ଟି ପ୍ରତିଶ୍ରୁତି ମଧ୍ୟ ପୂରଣ କରିପାରିନାହିଁ। ସରକାର ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ ଓ ସିଧା ରାସ୍ତାରେ ଚାଲନ୍ତୁ।

Governor Of Odisha: ଚକ୍ଷୁ ଦାନ ଉପରେ ଜନସଚେତନତା ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଆହ୍ୱାନ