ଭୁବନେଶ୍ବର: ‘ବନ୍ଦେ ମାତରମ୍’ ଗୀତ ଆମକୁ ମନେ ପକାଇ ଦିଏ ସଂଘର୍ଷଭରା ସ୍ୱାଧୀନତା ସଂଗ୍ରାମ ବିଷୟରେ। ଏହି ରାଷ୍ଟ୍ରଗୀତ ଆମ ଶିରାପ୍ରଶିରାରେ ପ୍ରବାହିତ ହେଉଥିବା ରକ୍ତର ବେଗ, ଆଉ ଆମ ପ୍ରଶ୍ୱାସର ଗତି ସହିତ ଜଡ଼ିତ। ଜଣେ ସାଧାରଣ ସାହିତ୍ୟିକ ଯେପରି କୌଣସି ସଂକଳନ ରଚନା କରନ୍ତି, ବଙ୍କିମଚନ୍ଦ୍ର ସେପରି ଜଣେ ନଥିଲେ। ସେ ଶବ୍ଦରେ ଜୀବନ ଭରିଥିଲେ, ପ୍ରତ୍ୟେକ ପଦରେ ଅଗ୍ନି ଭରି ଦେଉଥିଲେ। ପ୍ରଥମ ଥର ପାଇଁ ଭାରତ ଭୂଖଣ୍ଡକୁ ଭାରତ ମାତା ରୂପେ ବର୍ଣ୍ଣନା କରି ଏହି ସଂଗୀତ ଲେଖାଯାଇଥିଲା। ଲୋକଙ୍କ ଭିତରେ ଏହା ଏକ ବୈପ୍ଳବିକ ମନୋଭାବ ସୃଷ୍ଟି କରିଥିଲା। ‘ବନ୍ଦେ ମାତରମ୍’-ଗୀତ ନୁହେଁ, ଭାରତର ଆତ୍ମା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
Mayurbhanj Chhau: ମୟୂରଭଂଜ ଛଉକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ରାଜ୍ୟପାଳ
‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ବିଧାନସଭା ଗୃହରେ ସ୍ବତନ୍ତ୍ର ସଂକଳ୍ପ ଆଗତ କରିଥିଲେ। ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱାଧୀନତା ପରଠାରୁ ଯଦିଓ ରାଷ୍ଟ୍ରଗୀତ ଭାବେ ‘ବନ୍ଦେ ମାତରମ୍’କୁ ମର୍ଯ୍ୟାଦା ଦିଆଯାଇଛି, କିନ୍ତୁ ଏହାର ଗୁରୁତ୍ବକୁ ଅବକ୍ଷୟ କରିବା ପାଇଁ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ପ୍ରଚେଷ୍ଟା ଚାଲିଛି। ସେଥି ପାଇଁ ପ୍ରଧାନମନ୍ତ୍ରୀ ଏହି ସବୁ ଭାବନାଗୁଡ଼ିକୁ ପୁଣିଥରେ ଜାଗ୍ରତ କରିବା ପାଇଁ ‘ବନ୍ଦେ ମାତରମ୍’ ପରି ରାଷ୍ଟ୍ରଗୀତକୁ ଉତ୍ସବ ଆକାରରେ ପାଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଭାରତୀୟ ଭାଷାରେ ବି ଦେଶାତ୍ମବୋଧକ ସଙ୍ଗୀତ ଗାଇ ଇଂରେଜ ସରକାରଙ୍କ ବିରୋଧରେ ସଂଘର୍ଷ ଚାଲିଥିଲା। କିନ୍ତୁ ବଙ୍କିମଚନ୍ଦ୍ରଙ୍କର ରଚିତ ‘ବନ୍ଦେ ମାତରମ୍’ର ଆକର୍ଷଣ ଥିଲା ଅନନ୍ୟ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଆନ୍ଦୋଳନକାରୀଙ୍କ ଥିଲା ଏହା ସ୍ବର। ସଂଗ୍ରାମୀମାନେ ହସି ହସି ‘ବନ୍ଦେ ମାତରମ୍’ ଗାଇ ପୁଲିସ ଗୁଳିରେ ସହିଦ ହେଉଥିଲେ, ନ ହେଲେ ହସି ହସି ଫାଶୀ ଖୁଣ୍ଟରେ ଝୁଲି ପଡୁଥିଲେ। କାରଣ ‘ବନ୍ଦେ ମାତରମ୍’ କେବଳ ଏକ ଜାତୀୟତାବାଦ ସଙ୍ଗୀତ ନୁହେଁ, ଏହା ଦେଶ ମାତୃକାର ବନ୍ଦନା। ଭାରତ ଏବଂ ଭାରତୀୟତା ହେଉଛି ଆମ ଅସ୍ତିତ୍ୱର ମୂଳପିଣ୍ଡ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ହେଉଛୁ ଭାରତୀୟ। ମହାଭାରତୀୟତାର ମନ୍ତ୍ର ୧୪୦ କୋଟି ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଆମେ ସମସ୍ତ ବିଧାୟକ, ବିଧାୟିକା, ସାଂସଦଙ୍କ ପାଇଁ ‘ବନ୍ଦେ ମାତରମ୍’ର ଋଣକୁ ସ୍ୱୀକାର କରିବାର ଏକ ପବିତ୍ର ପର୍ବ। ‘ବନ୍ଦେ ମାତରମ୍’ର ଧ୍ୱନି ଶୁଣିଲେ ଦେଶପ୍ରେମର ବହ୍ନି ଶିରାପ୍ରଶିରାରେ ଖେଳିଯାଏ। କିନ୍ତୁ ଦୁର୍ଭାଗ୍ୟବଶତଃ ‘ବନ୍ଦେ ମାତରମ୍’ ପରି ପ୍ରେରଣାଦାୟୀ ଜାତୀୟ ଗୀତକୁ ଯେଉଁପରି ଭାବେ ଖଣ୍ଡ ଖଣ୍ଡ କରାଗଲା ଏବଂ କାହାକୁ ଖୁସି କରିବା ପାଇଁ କେବଳ ଦୁଇଟି ପଦକୁ ଜାତୀୟ ଗୀତ ଭାବେ ଆଦୃତ କରାଗଲା, ତାହା ଦେଶବାସୀଙ୍କ ପାଖରେ ଅଛପା ନାହିଁ। ମୁଁ ଆଜି ପର୍ଯ୍ୟନ୍ତ ବୁଝି ପାରୁନାହିଁ ଯେ ମା’ଙ୍କ ଚରଣ ବନ୍ଦନା କରିବା, ମା’ଙ୍କ ଯଶଗାନ କରିବାରେ ଏତେ କୁଣ୍ଠା କାହିଁକି? ‘ବନ୍ଦେ ମାତରମ୍’ ଏବଂ ‘ଭାରତ ମାତା’ ଜାତି, ଧର୍ମ, ବର୍ଣ୍ଣଠାରୁ ବହୁ ଉର୍ଦ୍ଧ୍ୱରେ। ‘ବନ୍ଦେ ମାତରମ୍’ ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବାର ମନ୍ତ୍ର ହେଉ, ବିଭାଜନର ନୁହେଁ। ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ‘ବନ୍ଦେ ମାତରମ୍’ କେବଳ ଏକ ସଙ୍ଗୀତ ନୁହେଁ। ଏହା ଭାରତର ଆତ୍ମା, ପ୍ରାଣ ଓ ପରିଚୟ। ସାରା ଦେଶକୁ ଯୋଡ଼ିବାର ଗୀତ। ଏହା ସବୁ ଦିନ ପାଇଁ ଭାରତୀୟଙ୍କ ଆତ୍ମାକୁ ଜାଗ୍ରତ କରୁଥିବ। ଏହାକୁ ନେଇ ବିଭାଜନ ସୃଷ୍ଟି ନ ହେଉ। ସମ୍ବିଧାନରେ ଏହି ଗୀତର ପ୍ରଥମ ଦୁଇଟି ପଂକ୍ତିକୁ ଅନୁମୋଦନ ମିଳିଛି। ସମ୍ବିଧାନ ଯାହା ନିର୍ଦ୍ଦେଶ ଦେଇଛି, ତାହାକୁ ଆମକୁ ମାନିବାକୁ ପଡ଼ିବ।
India vs South Africa T20I: ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍ରେ ଦକ୍ଷିଣ ଆଫ୍ରିକା ଅଲ୍ଆଉଟ୍
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଲେ, ଯେବେ ଦେଶରେ ଗମ୍ଭୀର ସ୍ଥିତି ଉପୁଜିଥାଏ ସେଥିରୁ ଧ୍ୟାନ ହଟାଇବାକୁ ବିଜେପି ସରକାର ଉଗ୍ର ଜାତୀୟତାବାଦକୁ ଅସ୍ତ୍ର ଭାବେ ବ୍ୟବହାର କରନ୍ତି। ଦେଶର ଗୌରବମୟ ଇତିହାସକୁ କଦର୍ଥ କରିବାକୁ ଚେଷ୍ଟା କରା ନଯାଉ। ‘ବନ୍ଦେ ମାତରମ୍’ର ୧୫୦ତମ ପାଳନ କରିବା ସ୍ବାଗତଯୋଗ୍ୟ। ହେଲେ ଏହାକୁ ନେଇ ରାଜନୀତି ନହେଉ। ମୁଖ୍ୟମନ୍ତ୍ରୀ ନିଜର ବକ୍ତବ୍ୟ ରଖିବା ପରେ ସର୍ବସମ୍ମତ କ୍ରମେ ସଂକଳ୍ପ ଗୃହୀତ ହୋଇଥିଲା। କିନ୍ତୁ ଗୃହରେ ‘ବନ୍ଦେ ମାତରମ’ର ସମସ୍ତ ପଦ ବାଜିବାକୁ ନେଇ ବିବାଦ ଦେଖାଯାଇଥିଲା। ଗୀତର ଦୁଇଟି ପଦ ବାଜିବା ପରେ ଉଭୟ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଥିଲେ। ବିରୋଧୀ ଦଳ ଉପନେତା ଶ୍ରୀ ଆଚାର୍ଯ୍ୟ କହିଥିଲେ, ଆମେ ‘ବନ୍ଦେ ମାତରମ୍’କୁ ବହୁତ ସମ୍ମାନ ଦେଉ। ହେଲେ ସମ୍ବିଧାନ ତଳେ ସମସ୍ତେ। ଜାତୀୟ ଗୀତ ଯେତେବେଳେ ସରକାରୀ କାର୍ଯ୍ୟକ୍ରମ, ବିଧାନସଭାରେ ଗାନ ହେବ ସେତେବେଳେ ଆମେ ସମ୍ବିଧାନ ସ୍ବୀକୃତ ଗୀତକୁ ପାଳନ କରିବା ଦରକାର। ଆମେ ଏହି ସଂଗୀତକୁ ସମ୍ମାନ କରୁ, କିନ୍ତୁ ସମ୍ବିଧାନର ନିୟମ ଅନୁଯାୟୀ।
Follow Us