Advertisment

Vigilance: ଭିଜିଲାନ୍ସ ପଶିଲା, ଖଣି ଉପନିର୍ଦ୍ଦେଶକଙ୍କ ଗୁମର ଫିଟିଲା: ଘରେ ଥିଲା ୪.୨୮ କୋଟି

Advertisment

କାଲି ରାତିରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ କଟକ ସର୍କଲ୍‌ର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ଜଣେ କୋଇଲା ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ମାଡ଼ି ବସିଲା।

କାଲି ରାତିରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ କଟକ ସର୍କଲ୍‌ର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ଜଣେ କୋଇଲା ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ମାଡ଼ି ବସିଲା।

dhdagadczvvczvzcv

ଭୁବନେଶ୍ବର: କାଲି ରାତିରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ କଟକ ସର୍କଲ୍‌ର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ଜଣେ କୋଇଲା ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ମାଡ଼ି ବସିଲା। କିନ୍ତୁ ଏତେ ସାଦାସିଧା ଚେହେରା ଭିତରେ ଲୁଚିରହିଥିଲେ ଜଣେ କୁବେର ଅଧିକାରୀ, ସେ କଥା ଗୋଟିଏ ରାତି ଚଢ଼ଉରେ ଜାଣିପାରି ତାଜୁବ ହୋଇଗଲା ଭିଜିଲାନ୍‌ସ ଟିମ୍‌। ବାବୁଙ୍କ ଚଳଣି, ଠାଣିମାଣି ସବୁ ଗରିବ ଭଦ୍ରବ୍ୟକ୍ତି ଭଳି। ବଡ଼ବଡ଼ିଆଙ୍କ ଭଳି ଦେଖାଣିଆ ନଥିଲେ କି ଦାମୀ ଗାଡ଼ି ଚଢ଼ୁନଥିଲେ। ଭଡ଼ା ଫ୍ଲାଟ୍‌ରେ ରହୁଥିଲେ, ମାମୁଲି ୱାଗନ୍‌ଆର୍‌ କାର୍‌ରେ ଅଫିସ ଯିବାଆସିବା କରୁଥିଲେ। ଅତି ସାଧାରଣ ଜୀବନଯାପନ କରୁଥିବା ଦେବବ୍ରତ ମହାନ୍ତିଙ୍କ ନିରୀହ ଚେହେରା ତଳେ ଯେ ସୈତାନ ଲୁଚିଛି, ଟଙ୍କାର ପାହାଡ଼ ଉପରେ ସେ ଶୋଉଛନ୍ତି, ତାହା ଜାଣିବା ଥିଲା ମୁସ୍କିଲ୍‌। ବର୍ଷ ବର୍ଷ ଧରି ପାଖ ପଡ଼ୋଶୀ ବି ବାବୁଙ୍କୁ ଚିହ୍ନି ପାରି ନଥିଲେ। ଶୋଇବା ଘରୁ ନେଇ ରୋଷେଇ ଘର ପର୍ଯ୍ୟନ୍ତ ସବୁଠି ଥିଲା ସିକ୍ରେଟ୍‌ ଚାମ୍ବର୍‌। 

Cuttack: କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

ସବୁଠି ପୁଳାପୁଳା ଟଙ୍କା। ରୋଷେଇ ଘର କପ୍‌ବୋର୍ଡ, ଟ୍ରଲିବ୍ୟାଗ୍‌, ଶେଯତଳୁ ବଣ୍ଡଲ ବଣ୍ଡଲ ଟଙ୍କା ମିଳିଲା। ଭିଜିଲାନ୍ସ ଟିମ୍‌ ରାତିକରେ ଦେବବ୍ରତଙ୍କ ଘରୁ ନଗଦ ୪.୨୮କୋଟି ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି। ମାତ୍ର ୮ ହଜାର ଟଙ୍କା ଦରମାରେ ବଲାଙ୍ଗୀରରୁ କନିଷ୍ଠ ଖଣି ଅଧିକାରୀ ଭାବେ ଚାକିରି ଆରମ୍ଭ କରିଥିବା ଦେବବ୍ରତ କେଉଁଠୁ ଏତେ ଟଙ୍କା ଜମା କରିଥିଲେ, ତାହାର ଉତ୍ସ ଖୋଜାଚାଲିଛି। ଖାଲି ଟଙ୍କା ନୁହେଁ; ସୁନାଗହଣା, କୋଠା ଓ ପ୍ଲଟ୍‌ ବି ଠାବ କରାଯାଇଛି। ବ୍ୟାଙ୍କ ଆକାଉଣ୍ଟରେ ବିପୁଳ ଟଙ୍କା ଓ ସେୟାର ମାର୍କେଟ୍‌ରେ କୋଟି କୋଟି ଟଙ୍କା ପୁଞ୍ଜି ଖଟାଇଛନ୍ତି। ଆଜି ଭିଜିଲାନ୍ସ ଟିମ୍‌ ଶ୍ରୀ ମହାନ୍ତିଙ୍କ ପଟିଆସ୍ଥିତ ଫ୍ଲାଟ୍‌ରେ ଚଢ଼ଉ ବେଳେ ସମ୍ପତ୍ତି ପରିମାଣ ଦେଖି ଆଶ୍ଚର୍ଯ୍ୟ ହୋଇଥିଲା। ଶ୍ରୀ ମହାନ୍ତିଙ୍କର କଟକସ୍ଥିତ କାର୍ଯ୍ୟାଳୟ, ଭଦ୍ରକ ଜିଲ୍ଲା ମଠସାହିସ୍ଥିତ ପୈତୃକ ଘର ଓ ପଟିଆ ଶ୍ରୀବିହାରସ୍ଥିତ ନେଚର୍ସ କ୍ରେଷ୍ଟ ଅପାର୍ଟମେଣ୍ଟ ଫ୍ଲାଟ୍‌ରେ ଧରପଗଡ଼ ବେଳେ ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଜେରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ୩୦ ହଜାର ଲାଞ୍ଚ ପାଇଁ ହଟହଟା, ପଦାରେ ପଡ଼ିଲା କଳାଗୁମର ବାବୁ କୋଟି କୋଟି ଟଙ୍କା ରୋଜଗାର କରିଥିଲେ ବି ଟଙ୍କା ମୋହ ଛାଡ଼ି ନଥିଲା।

ଭିଜିଲାନ୍ସ ଇତିହାସରେ ସର୍ବାଧିକ ନଗଦ ଜବତ
ସମ୍ପତ୍ତି ଆକଳନ ୬ କୋଟି ଟପିଲାଣି, ଆହୁରି ବଢ଼ିବ

କିଛିଦିନ ତଳେ ଜଣେ ସରକାରୀ ଲାଇସେନ୍ସପ୍ରାପ୍ତ କୋଇଲା ବେପାରୀଙ୍କୁ ସୁରୁଖୁରୁରେ କୋଇଲା ପରିବହନ ପାଇଁ ଶ୍ରୀ ମହାନ୍ତି ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ବ୍ୟବସାୟୀ ଅମଙ୍ଗ ହେବାରୁ ତାଙ୍କୁ ଧମକଚମକ ଦେଇଥିଲେ। ବ୍ୟବସାୟୀ ଜଣଙ୍କ ଭିଜିଲାନ୍ସରେ ଜଣାଇଥିଲେ। ଯୋଜନା ମୁତାବକ ଗତକାଲି ରାତିରେ ସଂପୃକ୍ତ ବ୍ୟବସାୟୀ ଶ୍ରୀ ମହାନ୍ତିଙ୍କୁ ଲାଞ୍ଚ ବାବଦରେ ୩୦ ହଜାର ଟଙ୍କା ଦେବାକୁ ଡିଲ୍‌ କରିଥିଲେ। କଟକ ଅଫିସ୍‌ରେ ଟଙ୍କା ଦେଉଥିବା ବେଳେ ପୂର୍ବରୁ ଛକିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା। ଲାଞ୍ଚ ଟଙ୍କା ଜବତ କରି ରାତିସାରା ମାରାଥନ୍‌ ଜେରା କରିଥିଲା। ଆଜି ସକାଳୁ ସମାନ୍ତରାଳ ଭାବେ ଭୁବନେଶ୍ବର, ଭଦ୍ରକ ଓ କଟକରେ ଚଢ଼ଉ ସମୟରେ କେବଳ ଗୋଟିଏ ସ୍ଥାନ ପଟିଆ ଫ୍ଲାଟରୁ ନଗଦ ୪.୨୮ କୋଟି ଟଙ୍କା, କଟକ ଅଫିସ୍‌ ଡ୍ରୟରରୁ ୧.୨ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ସେହିପରି ଘରୁ ୩୦୫ ଗ୍ରାମ ଓଜନର ସୁନାଗହଣା, ୬୦୦ ଗ୍ରାମର ରୁପା ଜବତ ହୋଇଥିଲା। ଏହାଛଡ଼ା ପାହାଳ ଅଞ୍ଚଳରେ ଶ୍ରୀ ମହାନ୍ତି ଦେଢ଼ କୋଟି ଟଙ୍କା ମୂଲ୍ୟର ୨୪୦୦ ବର୍ଗଫୁଟ ଜମିରେ ନିର୍ମାଣ କରୁଥିବା ୨ମହଲା କୋଠା ଠାବ କରାଯାଇଛି। ଏପର୍ଯ୍ୟନ୍ତ ଠାବ ହୋଇଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୬ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଭୁବନେଶ୍ବର ଭିଜିଲାନ୍ସ ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୂର୍ବରୁ ୨୦୦୯ ମସିହାରେ ଶ୍ରୀ ମହାନ୍ତିଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଥିଲା, ଯାହାକି ବାରିପଦା କୋର୍ଟରେ ବିଚାରାଧୀନ ରହିଛି। ଶ୍ରୀ ମହାନ୍ତିଙ୍କ ବ୍ୟାଙ୍କ ଜମା, ବୀମା, ସେୟାରମାର୍କେଟ୍‌ରେ ପୁଞ୍ଜି ନିବେଶ ଆଦିର ହିସାବ ଚାଲିଛି। ଚଢ଼ଉରେ ୪ ଜଣ ଡିଏସ୍‌ପି, ୩ ଜଣ ଇନ୍‌ସପେକ୍ଟର, ୬ ଜଣ ଏଏସ୍‌ଆଇଙ୍କ ସମେତ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିଲେ।

Education: ଆଦର୍ଶ ଡିଗ୍ରି କଲେଜ୍‌ରେ ନୂଆ କୋଠାଗୃହ ଦାବି: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ

ସ୍ବଳ୍ପ ଦରମାରୁ ଚାକିରି ଆରମ୍ଭ, ୨୨ ବର୍ଷରେ ତିମି 
ଗତ ୨୦୦୪ ମସିହାରେ ଶ୍ରୀ ମହାନ୍ତି ମାସିକ ୮ ହଜାର ଟଙ୍କା ବେତନରେ ବଲାଙ୍ଗୀର ଜିଲ୍ଲାରେ କନିଷ୍ଠ ଖଣି ଅଧିକାରୀ ଭାବେ ଯୋଗ ଦେଇଥିଲେ। ଆଜି କୁବେର ତାଲିକାରେ ତିମି ପାଲଟି ଯାଇଛନ୍ତି। ଯାହାକି ସମସ୍ତଙ୍କୁ ଚକିତ କରିଛି। ପରବର୍ତ୍ତୀ ସମୟରେ ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ବାରିପଦାରେ ସମାନ ପଦବିରେ କାର୍ଯ୍ୟ କରିଥିଲେ। ସେହିପରି ବ୍ରହ୍ମପୁରରେ ୨୦୦୯ରୁ ୨୦୧୧, କଟକରେ ୨୦୧୧ରୁ ୨୦୧୪ ଏବଂ  ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଭୁବନେଶ୍ବର ମୁଖ୍ୟାଳୟରେ କାର୍ଯ୍ୟ କରିଥିଲେ। ୨୦୧୮ ମାର୍ଚ୍ଚ ମାସରେ ସହ ଖଣି ଅଧିକାରୀ ଭାବେ ପଦୋନ୍ନତି ପାଇବା ପରେ ସମ୍ବଲପୁରରେ ଯୋଗ ଦେଇଥିଲେ। ସେଠାରେ ୨୦୨୨ ମସିହା ଏପ୍ରିଲ୍‌ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୨୨ ଏପ୍ରିଲ୍‌ରୁ ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ଫୁଲବାଣୀ ଖଣି ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ତାଙ୍କ ଅଧୀନରେ ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ରହିଥିଲା। ପରେ ୨୦୨୬ ଜାନୁଆରି ୭ ତାରିଖରୁ କଟକ ସର୍କଲର ଉପଖଣି ନିର୍ଦେଶକ ଭାବେ ଯୋଗ ଦେଇଥିଲେ। ତେବେ ଖଣି ଉପନିର୍ଦ୍ଦେଶକ ଶ୍ରୀ ମହାନ୍ତି ଏତେ ପରିମାଣର ଟଙ୍କା କେଉଁଠୁ ଆଣୁଥିଲେ? କେଉଁମାନେ ତାଙ୍କୁ ଟଙ୍କା ଦେଉଥିଲେ? ତାଙ୍କ ଚାକିରି ସମୟରେ କେଉଁଥିରେ ଦୁର୍ନୀତି ହୋଇଛି, ସେ ସମସ୍ତ ଦିଗକୁ ନେଇ‌ ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ।

ଭୁବନେଶ୍ବର ହୋଟେଲ୍‌ରେ ହେଉଥିଲା ଡିଲ୍‌, ବିଶ୍ବସ୍ତ ଟିମ୍‌ରେ ଥିଲେ ସଂପର୍କୀୟ, ୪ ବାଲିମାଫିଆ, ଆର୍‌କ୍ୟୁପି

ସୌଭାଗ୍ୟରଂଜନ ମହାପାତ୍ର
କଟକ- ମହାନଦୀ ବିହାର: ଆଖିଖୋସା ସଂପତ୍ତି ଠୁଳ କରିବା ପାଇଁ ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କର ଏକ ନିଜସ୍ବ ଶୈଳୀ ଥିଲା। ଏକ ବିଶ୍ବସ୍ତ ଟିମ୍‌ ଗଠନ କରି ସେଥିରେ ନିଜର କିଛି ସଂପର୍କୀୟ ଓ ବାଲି ମାଫିଆଙ୍କୁ ରଖିଥିଲେ। କଟକ ବାହାରେ ଏସବୁ ଡିଲ୍‌ କରୁଥିଲେ। ମାତ୍ର ମାସକ ତଳେ ସେ କଟକର ଜଗତପୁରଠାରେ ଡିଡିଏମ୍‌ ଭାବେ ଯୋଗଦେବା ପରେ ତୁରନ୍ତ ଜିଲ୍ଲାରେ ଥିବା ବାଲିଘାଟ, କୋଇଲା ଡିପୋ, ମୋରମ୍‌ ଖାଦାନରୁ ମାସିକ ଟଙ୍କା ଆଦାୟ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ତିଆରି କରିଥିଲେ। ଏହି ଟିମ୍‌ରେ ଥିବା ଶ୍ରୀ ମହାନ୍ତିଙ୍କର ଜଣେ ସମ୍ପର୍କୀୟ ଭିଣୋଇ ଓ କିଛି ମାଫିଆ ଆର୍‌କ୍ୟୁପିଙ୍କୁ ସାମିଲ କରିଥିଲେ। କଟକ ସହରରେ ଥିବା ସବୁ ବେଆଇନ ବାଲିଘାଟରୁ ଟଙ୍କା ଆଦାୟ କରିବା ପାଇଁ ତ୍ରିଶୂଳିଆ ଅଞ୍ଚଳର କିଛି ବାଲି ମାଫିଆଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେଥିରେ ଥିବା ଚାରି ଜଣ ଯୁବକ କେଉଁ ଅଞ୍ଚଳରୁ କେତେ ପରିମାଣର ବାଲି ଉଠାଯାଇଛି ଟ୍ରିପ୍‌ ଅନୁଯାୟୀ ବଟି ନିର୍ଦ୍ଧାରଣ କରୁଥିଲେ। ଚୋରା ବାଲିଘାଟର କେଉଁ ସ୍ଥାନରୁ ବାଲି ଉଠିବ, ତାହା ଭୁବନେଶ୍ବର ସହିଦନଗରରେ ଥିବା ଏକ ହୋଟେଲ୍‌ରେ ଚୂଡ଼ାନ୍ତ ହେଉଥିଲା। ସେହି ହୋଟେଲ୍‌କୁ କେଉଁ ସବୁ ମାଫିଆ ଯାଉଥିଲେ, ସେମାନଙ୍କ ଉପରେ ଏବେ ଭିଜିଲାନ୍ସ ନଜର ରଖିଛି। ଅନ୍ୟପଟେ ପୁଲିସ ବି ଜଗତପୁର ମାଇନିଂ ଅଫିସ୍‌ର ସିସି କ୍ୟାମେରା ହାର୍ଡଡିସ୍କ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଥିବା ବେଳେ ଶ୍ରୀ ମହାନ୍ତିଙ୍କ କଲ୍‌ ରେକର୍ଡ ଓ ତାଙ୍କ ନିକଟ ସମ୍ପର୍କୀୟଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିବା ଆରମ୍ଭ କରିଛି। କେବଳ ଚୋରା ବାଲିଘାଟ ନୁହେଁ, କୋଇଲା କାରବାରରୁ ଟଙ୍କା ଆଦାୟ ପାଇଁ ମଙ୍ଗୁଳିରେ ଥିବା କୋଇଲା ଡିପୋମାନଙ୍କରୁ ମାସିକ ଟଙ୍କା ଉଠାଇବାକୁ ଜଣେ ଗାଡ଼ି ଡ୍ରାଇଭରଙ୍କୁ ସେ ନିୟୋଜନ କରିଥିଲେ। ଭିଜିଲାନ୍ସ ଚଢ଼ଉ ପରେ ସଂପୃକ୍ତ ଡ୍ରାଇଭର ଜଣକ ଏବେ ଫେରାର ଥିବା ସୂଚନା ମିଳିଛି।

Droupadi Murmu: ‘ଆୟୁଷ ବ୍ୟବସ୍ଥା ସାମଗ୍ରିକ ସୁସ୍ଥତା ପାଇଁ ବ୍ୟାପକ ଜୀବନଶୈଳୀ ଢାଞ୍ଚା ପ୍ରଦାନ କରେ’

ପୂର୍ବରୁ ଶ୍ରୀ ମହାନ୍ତି ଫୁଲବାଣୀରେ କାର୍ଯ୍ୟରତ ଥିବା ବେଳେ‌ ସେଠି ଯେଉଁ ରେକଗ୍ନାଇଜ୍‌ଡ କ୍ବାଲିଫାଏଡ୍‌ ପର୍ସନ (ଆର୍‌କ୍ୟୁପି) ଓ ଏଜେନ୍‌ସି ଜରିଆରେ ସେ କାରବାର କରୁଥିଲେ, କଟକ ଆସିବା ପରେ ସେହି ଏଜେନ୍ସିକୁ ଏଠାରେ କାମରେ ଲଗାଇ ଦେଇଥିଲେ। କଟକରେ ପୂର୍ବରୁ ସରକାରୀ ସ୍ବୀକୃତିପ୍ରାପ୍ତ ଆର୍‌କ୍ୟୁପି ଅଥବା ଏଜେନ୍ସିଙ୍କୁ ଶ୍ରୀ ମହାନ୍ତି ଆସିବା ପରେ ଆଉ ଗୁରୁତ୍ବ ମିଳି ନଥିଲା। ଶ୍ରୀ ମହାନ୍ତିଙ୍କ ବିଶ୍ବସ୍ତ ଆର୍‌କ୍ୟୁପି ଓ ଏଜେନ୍ସିଙ୍କ କବ୍‌ଜାକୁ ଆସିଥିବା ବାଲିଘାଟ ଲିଜ୍‌ଧାରୀ କେବଳ ଶ୍ରୀ ମହାନ୍ତିଙ୍କୁ ଭେଟିବାର ସୁଯୋଗ ପାଉଥିଲେ। ଏମାନେ ବାଲିଘାଟର ମାଇନିଂ ପ୍ଲାନ୍‌ ସହ ଇସି ଦେବାରେ ଲିଜ୍‌ଧାରୀଙ୍କୁ ସହଯୋଗ କରିଥାନ୍ତି।  ନିର୍ଦ୍ଦିଷ୍ଟ ଏଜେନ୍ସିକୁ ଗୁରୁତ୍ବ ଦେଇ ଶ୍ରୀ ମହାନ୍ତି ପରୋକ୍ଷରେ କଟକ ଜିଲ୍ଲାର ବିଭିନ୍ନ ବାଲିଘାଟରୁ ଖୁବ୍‌ କମ୍‌ ସମୟ ଭିତରେ ଟଙ୍କା ଆଦାୟର ଯୋଜନା ପ୍ରସ୍ତୁତ କରିଥିଲେ।
ଅନ୍ୟପଟେ ପାରିବାରିକ ଉତ୍ସବର କାରଣ ଦର୍ଶାଇ ଶ୍ରୀ ମହାନ୍ତି ଆଜିଠାରୁ ଛୁଟିରେ ଯାଇଥାନ୍ତେ। ସେ ଫେବ୍ରୁଆରି ୨୫ରୁ ୨୭ ତାରିଖ ଓ ମାର୍ଚ୍ଚ ୨ ତାରିଖ ଛୁଟି ମାଗିଥିଲେ। ଶନିବାର, ରବିବାର ଓ ଦୋଳ ଛୁଟିକୁ ମିଶାଇ ସେ ମାର୍ଚ୍ଚ ୫ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥାନ୍ତେ। କିନ୍ତୁ ସେ ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଯିବା ଦ୍ବାରା ତାଙ୍କର ସବୁ ଯୋଜନା ଫସର ଫାଟିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe