ମୁଁ ଗାଁରୁ ସାଧାରଣ ଝିଅଟିଏ ହୋଇ ଆସିଥିଲି। ଏହି ଗୃହ ମୋତେ ବିଶେଷ କିଛି ଶିଖାଇଛି। କଥା କହିବା, ରାଜନୖତିକ ହିସାବରେ ସମସ୍ତଙ୍କ ସହ କିପରି ବ୍ୟବହାର କରିବା, କେଉଁ ବିଷୟରେ କିପରି ଭାବରେ ଉପସ୍ଥାପନ କରିବା, ଆଜି ମୁଁ ଯେଉଁଠି ଅଛି ତା’ର ସମସ୍ତ ଶ୍ରେୟ ଏ ଗୃହର। ଏ ଗୃହ ମୋତେ ନିଅଁ ଦେଇଛି। ଏ ନିଅଁ ଯଦି ସୁଦୃଢ଼ ହୋଇନଥା’ନ୍ତା; ଓଡ଼ିଶାବାସୀ, ଭଗବାନ ଜଗନ୍ନାଥଙ୍କର ଆଶୀର୍ବାଦ ନଥା’ନ୍ତା ବୋଧହୁଏ ଆଜି ମୁଁ ଯେଉଁ ଜାଗାରେ ଅଛି ସେଠି ପହଞ୍ଚିପାରିନଥା’ନ୍ତି। ତେଣୁ ଏ ଗୃହକୁ କୋଟିକୋଟି ନମସ୍କାର କରୁଛି।
ବିଧାନସଭାର ବହୁତ ସ୍ମୃତି ଆଜି ବି ମୋର ମନେପଡ଼ୁଛି। ବିଧାୟିକା ଭାବେ ପ୍ରଶ୍ନ କରିଛି, ମନ୍ତ୍ରୀ ହୋଇ ଉତ୍ତର ବି ରଖିଛି। ଅନେକ ସଦସ୍ୟଙ୍କୁ ଜାଣିଛି। ୨୦୦୦ ମସିହାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କାମ କରିଛି। ଏ ଗୃହରେ ଏବେ ଉପସ୍ଥିତ ଥିବା ଅନେକ ନେତାଙ୍କ ସହ ମୁଁ କାମ କରିଛି। ଆତ୍ମୀୟ ପରିବେଶରେ ଭାବବିହ୍ୱଳ ହେଉଛି।
ଭାରତ ନିର୍ମାଣରେ ଓଡ଼ିଶାର ଭୂମିକା...
ଦେଶର ସ୍ୱାଧୀନତା ସଂଗ୍ରାମ ଓ ରାଷ୍ଟ୍ରଗଠନରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଇଠି ଇଂରେଜଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ ହୋଇଥିଲା। ଏହାର ମହାନାୟକ ଥିଲେ ବକ୍ସି ଜଗବନ୍ଧୁ। ଲବଣ ସତ୍ୟାଗ୍ରହରେ ଓଡ଼ିଶାର ନେତା ଓ ଜନତା ଅଂଶଗ୍ରହଣ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ଅନେକ ଓଡ଼ିଆ ଗୁଳି ଖାଇଛନ୍ତି। ବାଜି ରାଉତଙ୍କ ବଳିଦାନ ଏହି ମାଟିର ବୀରତ୍ୱର କଥା କହେ। ବିଜୁ ବାବୁଙ୍କ ସାହସ ଦେଶବାସୀଙ୍କର ସବୁଦିନ ପାଇଁ ମନେ ରହିବ। ନେତାଜୀଙ୍କୁ ଜନ୍ମ ଦେଇ ଓଡ଼ିଶା ଧନ୍ୟ। ଭାରତ ନିର୍ମାଣରେ ଓଡ଼ିଶାର ଭୂମିକା କାଳେ କାଳେ ରହିଛି ଓ ରହିବ ମଧ୍ୟ। ଏହି ଅବସରରେ ରାଷ୍ଟ୍ରପତି ବୀର ସୁରେନ୍ଦ୍ର ସାଏ, ବାଜି ରାଉତ, ଲକ୍ଷ୍ମଣ ନାୟକଙ୍କ ବଳିଦାନକୁ ସ୍ମରଣ କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଉଲ୍ଲେଖ କରି କହିଥିଲେ ଯେ, ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମକୁ ଆଗକୁ ବଢ଼ିବାକୁ ହେବ।
Silk: ସୁକିନ୍ଦା ରେଶମ ପୋକ ପ୍ରକଳ୍ପକୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ସ୍ବୀକୃତି
ଅଭୁଲା ଦିନକୁ ମନେ ପକାଇଲେ
ରାଷ୍ଟ୍ରପତି ବିଧାନସଭାର ଗୃହରେ ଉଦ୍ବୋଧନ ଦେବା ପରେ ୧୧ ନଂ ପ୍ରକୋଷ୍ଠକୁ ଯାଇଥିଲେ। ଏହା ସେହି ପ୍ରକୋଷ୍ଠ ଯେଉଁଠି ଶ୍ରୀମତୀ ମୁର୍ମୁ ଓଡ଼ିଶା ସରକାରରେ ବାଣିଜ୍ୟ ଓ ପରିବହନ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଥିବାବେଳେ କାର୍ଯ୍ୟ କରୁଥିଲେ। ପୁରୁଣା ଦିନର ସ୍ମୃତିକୁ ଉଜ୍ଜୀବିତ କରିବାକୁ ବିଧାନସଭା ସଚିବାଳୟ ପକ୍ଷରୁ ଏହି ଗୃହକୁ ଭିନ୍ନ ରୂପ ଦିଆଯାଇଥିଲା। ରାଷ୍ଟ୍ରପତି ଏହି ଗୃହକୁ ପ୍ରବେଶ କରିବା ପରେ କିଛି ସମୟ ପାଇଁ ଭାବବିହ୍ବଳ ହୋଇଯାଇଥିଲେ। ଏହି ପ୍ରକୋଷ୍ଠରେ ରାଷ୍ଟ୍ରପତି ୬ ଜଣ ବରିଷ୍ଠ ନେତା ଅର୍ଥାତ୍ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ସହ କଥା ହୋଇଥିଲେ। ଏମାନଙ୍କ ମଧ୍ୟରୁ ୫ଜଣ (କେବଳ ବାଚସ୍ପତିଙ୍କୁ ଛାଡ଼ି) ୨୦୦୦ରୁ ୨୦୦୪ ବିଧାୟକ ଥିଲେ।
ନାରୀ ସଶକ୍ତୀକରଣରେ ଓଡ଼ିଶା ଉଦାହରଣ
ଓଡ଼ିଶାରେ ନାରୀ ସଶକ୍ତୀକରଣ ସାରା ଦେଶରେ ଉଦାହରଣ ପାଲଟିଛି। ଓଡ଼ିଶାର ଅନେକ ମହିଳା ଦକ୍ଷ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ନନ୍ଦିନୀ ଶତପଥୀ ଦେଶର ଦ୍ବିତୀୟ ମହିଳା ମୁଖ୍ୟମନ୍ତ୍ରୀ ଥିଲେ। ଏବେ ଜଣେ ମହିଳା ବାଚସ୍ପତି ଅଛନ୍ତି। ପୂର୍ବରୁ ବି ମହିଳା ବାଚସ୍ପତିଙ୍କୁ ଗୃହ ପାଇଛି। ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଦେଶରେ ଆଗରେ।
ଫଟୋ ସେସନ୍
ଆଜି ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ବହୁ ପୂର୍ବତନ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ରାଷ୍ଟ୍ରପତି ପହଞ୍ଚିଲା ପରେ ପ୍ରଥମେ ବିଧାୟକ ଓ ପରେ ପୂର୍ବତନ ବିଧାୟକମାନଙ୍କ ସହ ଗ୍ରୁପ୍ ଫଟୋ ଉଠାଇଥିଲେ।
୨୧ ବର୍ଷ ପରେ ବିଧାନସଭାରେ ଧର୍ମେନ୍ଦ୍ର
୨୦୦୦ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ପାଳଲହଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଭଲ ପ୍ରଦର୍ଶନ ପାଇଁ ୨୦୦୨ ମସିହାରେ ଗୋପବନ୍ଧୁ ପ୍ରତିଭା ସମ୍ମାନ ପାଇଥିଲେ। ୨୦୦୪ରେ ସେ ସାଂସଦ ଭାବେ ନିର୍ବାଚିତ ହେଲା ପରେ ଆଉ ବିଧାନସଭା ଆସି ନଥିଲେ। ପ୍ରାୟ ୨୧ ବର୍ଷ ପରେ ଆଜି ବିଧାନସଭାରେ ତାଙ୍କର ପାଦ ପଡ଼ିଥିଲା। ରାଷ୍ଟ୍ରପତିଙ୍କ ଫଟୋ ସେସନ୍ ସମୟରେ ସେ ବାଚସ୍ପତିଙ୍କ ପାଖରେ ବସିଥିବା ଦେଖିବାକୁ ମିଳିଥିଲା। ଗୃହରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମୟରେ ଗ୍ୟାଲେରିର ଆଗ ଧାଡ଼ିରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସହ ଶ୍ରୀ ପ୍ରଧାନ ବସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/28/sfhhffhsfhs-2025-11-28-01-50-36.jpg)