ନୂଆଦିଲ୍ଲୀ: ବିଶ୍ବର ସବୁଠୁ ପ୍ରଭାବଶାଳୀ ଦାତବ୍ୟ ଅନୁଷ୍ଠାନ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନକୁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ଉଦ୍ୟମରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୬ରେ ଫାଉଣ୍ଡେସନ ରେକର୍ଡ ୯୦୦ କୋଟି ଡଲାର ଖର୍ଚ୍ଚ କରିବ। ଆସନ୍ତା ୫ ବର୍ଷ ଭିତରେ ୫୦୦ କର୍ମଚାରୀଙ୍କୁ ଛଟେଇ କରାଯିବ।
ଫାଉଣ୍ଡେସନ ପାଇଁ ବିଶ୍ବବ୍ୟାପୀ ୨୩୭୫ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଫାଉଣ୍ଡେସନର ସିଇଓ ମାର୍କ ସୁଜମ୍ୟାନ୍ କହିଛନ୍ତି ଯେ ଛଟେଇ ପର୍ଯ୍ୟାୟକ୍ରମେ କରାଯିବ। କିଛି ଫାଙ୍କା ପଦକୁ ଆଉ ପୂରଣ କରାଯିବ ନାହିଁ। ବାର୍ଷିକ ପରିଚାଳନା ଖର୍ଚ୍ଚକୁ ବଜେଟ୍ର ୧୪ ପ୍ରତିଶତ କିମ୍ବା ୧୨୫ କୋଟି ଡଲାରରେ ସୀମିତ ରଖାଯିବ। ୨୦୪୫ ସୁଦ୍ଧା ଫାଉଣ୍ଡେସନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପୂର୍ବରୁ ଗେଟ୍ସ ଘୋଷଣା କରିଥିଲେ। ଆସନ୍ତା ଦୁଇ ଦଶନ୍ଦି ମଧ୍ୟରେ ଫାଉଣ୍ଡେସନ ୨୦,୦୦୦ କୋଟି ଡଲାର ଖର୍ଚ୍ଚ କରିବ ବୋଲି ସେ କହିଥିଲେ।
ଆହୁରି ପଢ଼ନ୍ତୁ: Kashmiri Students Return from Iran: ଶୁକ୍ରବାର ଇରାନରୁ ଫେରିବେ ଜମ୍ମୁ-କାଶ୍ମୀର ଛାତ୍ରଛାତ୍ରୀଙ୍କ ପ୍ରଥମ ବ୍ୟାଚ୍
ଚିନ୍ତା ପ୍ରକଟ କଲେ ଗେଟ୍ସ
ଗେଟ୍ସ ଫାଉଣ୍ଡେସନ ଏଭଳି ଏକ ସମୟରେ ନିଜକୁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛି ଯେତେବେଳେ ସ୍ବାସ୍ଥ୍ୟ, ଦାରିଦ୍ର୍ୟ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ବିଶ୍ବସ୍ତରରୁ ମିଳୁଥିବା ସହାୟତା ସଙ୍କୁଚିତ ହେବାରେ ଲାଗିଛି। ଗତବର୍ଷ ବିଶ୍ବ ସ୍ବାସ୍ଥ୍ୟ ସୂଚୀରେ ଅବନତି ହୋଇଥିବାରୁ ଗେଟ୍ସ ଚିନ୍ତା ପ୍ରକଟ କରିଛନ୍ତି। ଶିଶୁ ମୃତ୍ୟୁ ହାର ଦୁଇ ଦଶନ୍ଧିର ଉଚ୍ଚସ୍ତରରେ ପହଞ୍ଚିଛି। ପୂର୍ବ ସ୍ଥିତି ଫେରାଇ ଆଣିବା ଲାଗି ଆସନ୍ତା ୫ ବର୍ଷ ବହୁତ ପରିଶ୍ରମ କରିବାକୁ ପଡ଼ିବ। ଆଗାମୀ ଦିନରେ ଫାଉଣ୍ଡେସନ ପକ୍ଷରୁ ମାତୃ ଓ ଶିଶୁ ସ୍ବାସ୍ଥ୍ୟ, ସଂକ୍ରାମକ ରୋଗ ପ୍ରତିରୋଧ ଓ ଦାରିଦ୍ର୍ୟ ଦୂରୀକରଣ ଉପରେ ଗୁରୁତ୍ବ ଦିଆଯିବ। ଆଫ୍ରିକା ଓ ଭାରତରେ ଫାଉଣ୍ଡେସନ ଏହାର କାର୍ଯ୍ୟ ପରିସର ବଢ଼ାଇବ। ଏଚ୍ଆଇଭି ଓ ଯକ୍ଷ୍ମା ଦୂରୀକରଣ ଉପରେ ଅଧିକ କାମ ହେବ। ଏଥି ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ମଧ୍ୟ ଫାଉଣ୍ଡେସନ ଗୁରୁତ୍ବ ଜାରି ରଖିବ।
ଆହୁରି ପଢ଼ନ୍ତୁ: Two Wheelers: ଲୋକଙ୍କ ପ୍ରିୟ ପାଲଟୁଛି ଦୁଇ ଚକିଆ ବାହନ: ଗତବର୍ଷ ଦେଶରେ ବିକ୍ରି ହୋଇଛି ୨ କୋଟିରୁ ଅଧିକ ୨ ଚକିଆ ଯାନ...
Follow Us