ନୈରାଶ୍ୟଜନକ: ନବୀନ
କେନ୍ଦ୍ର ବଜେଟକୁ ନେଇ ନୈରାଶ୍ୟ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ବଜେଟରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କୁ କୌଣସି ଉଲ୍ଲେଖନୀୟ ଲାଭ ମିଳି ନାହିଁ। ଡବଲ୍ ଇଞ୍ଜିନ ସରକାର ଭିତ୍ତିଭୂମି, ନିଯୁକ୍ତି ସୃଷ୍ଟି ଓ ଅତିରିକ୍ତ ପାଣ୍ଠି ଆବଣ୍ଟନ କରିବେ ବୋଲି ରାଜ୍ୟବାସୀ ଆଶା ରଖିଥିଲେ। କିନ୍ତୁ ରାଜ୍ୟକୁ କମ୍ ଅନୁଦାନ ମିଳିଛି। ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ନେବା ପାଇଁ ଯାହା କିଛି ବ୍ୟୟବରାଦ କରାଯାଉଛି। ତେବେ ଲୋକଙ୍କ ସୁବିଧା ପାଇଁ ପାଣ୍ଠି ଆବଣ୍ଟନ କ୍ଷେତ୍ରରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି ବୋଲି କ୍ଷୋଭର ସହ ଶ୍ରୀ ପଟ୍ଟନାୟକ କହିଛନ୍ତି। ଓଡ଼ିଶାରେ ବିରଳ ମୃତ୍ତିକା କରିଡର୍ ପ୍ରତିଷ୍ଠା ପ୍ରସ୍ତାବକୁ ବିରୋଧୀ ଦଳ ନେତା ସ୍ବାଗତ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ଖଣିଜ ପଦାର୍ଥର ଗୋଟିଏ ଅଗ୍ରଣୀ ଉତ୍ପାଦକ ରାଜ୍ୟ ଏବଂ ଏହା ନିଜର ସମୃଦ୍ଧ ଖଣିଜ ସମ୍ପଦ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ସର୍ବଦା ସହଯୋଗ ଜାରି ରଖିବ। ଖଣିଜ ଅଞ୍ଚଳ ଓ ଶିଳ୍ପ କେନ୍ଦ୍ରଗୁଡ଼ିକୁ ବନ୍ଦର ସହିତ ସଂଯୋଗ କରିବା ପାଇଁ ପୁଣି ଥରେ ଜାତୀୟ ଜଳପଥ ଘୋଷଣା କରାଯାଇଛି। କିନ୍ତୁ ଏହା ଦଶ ବର୍ଷ ତଳର ପୁରୁଣା ପ୍ରସ୍ତାବ, ଯାହାର କୌଣସି ଅଗ୍ରଗତି ହୋଇ ନାହିଁ। ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି କହିଛନ୍ତି, ସାତଟି ହାଇସ୍ପିଡ୍ ରେଳ କରିଡର୍ ଘୋଷଣାରେ ଓଡ଼ିଶା ସ୍ଥାନ ପାଇ ନାହିଁ। ଓଡ଼ିଶା ବିଜେପି ସରକାର ପୂର୍ବରୁ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପକୁ ବନ୍ଦ କରିଦେଇଥିଲା। ଲୋକଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପୂର୍ବ ପରି ଜାରି ରହିଛି। ଆହୁରି ମଧ୍ୟ ବୌଦ୍ଧ ସର୍କିଟ୍ ବିକାଶ ଯୋଜନା ପାଇଁ ଯେଉଁ ଘୋଷଣା କରାଯାଇଛି, ସେଥିରେ ଓଡ଼ିଶାକୁ ବାଦ୍ ଦିଆଯାଇଛି।
Horoscope 2026 February 2: ଜାଣନ୍ତୁ ଆଜିର ରାଶିଫଳ
ଓଡ଼ିଶାକୁ ପୁଣି ଠକିଲେ: ଭକ୍ତ
ଅର୍ଥମନ୍ତ୍ରୀଙ୍କ ଦ୍ବାରା ଆଗତ ବଜେଟ୍ ସମ୍ପୂର୍ଣ୍ଣ ଦିଗହୀନ ଓ ଭ୍ରମାତ୍ମକ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। କଂଗ୍ରେସ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ ଏହି ବଜେଟ କୃଷକ, ଯୁବକ, ଗରିବ, ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ କାହାକୁ ଖୁସି କରିପାରି ନାହିଁ। ଯୁବକଙ୍କ ପାଇଁ କର୍ମ ନିଯୁକ୍ତିର କୌଣସି ଯୋଜନା ନାହିଁ। ପୂର୍ବ ବଜେଟ୍ ଅନୁସାରେ ସରକାର ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିପାରି ନାହାନ୍ତି। ୨୦୨୫-୨୬ ପର୍ଯ୍ୟନ୍ତ ଦେଶ ଉପରେ ୧୯୦ ଲକ୍ଷ କୋଟି ଟଙ୍କା ଋଣ ହେlଇଯାଇଛି, ଯାହାକି ୟୁପିଏ ସମୟରେ ୫୫ ଲକ୍ଷ କୋଟି ରହିଥିଲା। ଏହି ୧୨ ବର୍ଷରେ କେନ୍ଦ୍ର ସରକାର ୧୩୫ ଲକ୍ଷ କୋଟି ଅଧିକ ଋଣ କରିସାରିଲେଣି। ୨୦୨୬-୨୭ ଆର୍ଥିକ ବର୍ଷ ବେଳକୁ ପୁଣି ୧୭.୨ ଲକ୍ଷ କୋଟି ଋଣ କରିବେ। ୟୁପିଏ ସମୟରେ ଥିବା ଘରୋଇ ସଞ୍ଚୟ ୭.୪% ଖସି ୫.୩% ହୋଇଯାଇଛି। ଓଡ଼ିଶା କେନ୍ଦ୍ର ରାଜସ୍ବ ଆଦାୟର କୌଣସି ଭାଗ ପାଇବାର ବ୍ୟବସ୍ଥା ନାହିଁ। କେନ୍ଦୁଝର, ପାରାଦୀପ ଆନ୍ତଃଜଳ ଗମନାଗମନ ଧୂଆଁବାଣ ବ୍ୟତୀତ ଆଉ କିଛି ନୁହେଁ। କାରଣ ବାଜପେୟୀଙ୍କ ସରକାର ମଧ୍ୟ ଏହି ମହତ୍ତ୍ବାକାଂକ୍ଷୀ ଯୋଜନା ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ବପ୍ନରେ ରହିଯାଇଛି। ଇଷ୍ଟକୋଷ୍ଟ ଫ୍ରେଟ୍ କରିଡର ତିଆରି କରିବାକୁ ଘୋଷଣା ହୋଇଛି। ତେବେ ସରକାର ସ୍ପଷ୍ଟ କରନ୍ତୁ ଏହା ତାଙ୍କ ବନ୍ଧୁ ଅମ୍ବାନୀ, ଅାଦାନୀ ପରି ଶିଳ୍ପପତିଙ୍କ ସ୍ୱାର୍ଥ ପାଇଁ ନୁହେଁ ତ? ୭ଟି ସ୍ପିଡ୍ ରେଳ କରିଡର ଘୋଷଣା ହେଇଥିଲେ ମଧ୍ୟ ଏଥିରେ ଓଡ଼ିଶାର ନାମ ନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରଦେଶ କଂଗ୍ରେସ କମିଟି ଏହି ବଜେଟ୍କୁ ନିନ୍ଦା କରୁଛି। ଓଡ଼ିଶା ପାଇଁ ଅଧିକରୁ ଅଧିକ ପାଣ୍ଠି ଯୋଗେଇବାକୁ ଶ୍ରୀ ଦାସ ଦାବି କରିଛନ୍ତି।
ବିକଶିତ ଭାରତର ରୋଡ୍ମ୍ୟାପ୍: ମନମୋହନ
କେନ୍ଦ୍ର ବଜେଟ୍ ୨୦୨୬-୨୭ ବିକଶିତ ଭାରତର ରୋଡ୍ମ୍ୟାପ୍ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ବଜେଟ୍ରେ ଚାଷୀ, ମହିଳା, ଯୁବବର୍ଗ, ବେତନଭୋଗୀ, ମଧ୍ୟବିତ୍ତ, ବ୍ୟବସାୟ, ଏମ୍ଏସ୍ଏମ୍ଇ, ସ୍ୱାସ୍ଥ୍ୟ ସେବା, ନିଯୁକ୍ତି, ଶିକ୍ଷା, ପ୍ରତିରକ୍ଷା ପରି ସବୁ କ୍ଷେତ୍ରକୁ ଗୁରୁ୍ତ୍ୱ ଦିଆଯାଇଛି । ଦେଶର ପ୍ରତ୍ୟେକ କୋଣରେ ବିକାଶର ନୂତନ ଆଶାର କିରଣ ଉଜ୍ଜୀବିତ କରିଛି। ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିଥିବା ବେଳେ ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ପାଇଁ ଏହି ବଜେଟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ। ୨୦୪୭ରେ ବିକଶିତ ଭାରତ ଗଠନ କରିବା ପାଇଁ ଏହା ଏକ ଶ୍ରେଷ୍ଠ ରୋଡ୍ମ୍ୟାପ୍ ହେବା ସହିତ ସବୁବର୍ଗର ଆଶା ପୂରଣ କରିପାରିବାରେ ସକ୍ଷମ ହେବ।
Cricket: ତୁଫୈଲଙ୍କ ପଦାର୍ପଣ ୮ ୱିକେଟ୍ ବେକାର; ପରାଜୟରେ ଋତୁ ଶେଷ କଲା ଓଡ଼ିଶା
ଶ୍ରୀ ସାମଲ କହିଛନ୍ତି ଯେ, ଚଳିତ ବଜେଟ୍ରେ ଭିତ୍ତିଭୂମି ନିର୍ମାଣ ପାଇଁ ବ୍ୟୟ ବରାଦ ୧୨ଲକ୍ଷ କୋଟି ଟପିଥିଲା ବେଳେ ସାମାଜିକ କ୍ଷେତ୍ରରେ ବ୍ୟୟବରାଦ ବଢ଼ିଛି। ପୂର୍ବରୁ ଚାଲୁଥିବା ଗୋଟିଏ ବି ଯୋଜନା ବନ୍ଦ ହୋଇନାହିଁ। ବିକଶିତ ଓଡ଼ିଶା ଗଠନ ପାଇଁ ବଜେଟ୍ରେ ପ୍ରାଥମିକତା ଦିଆଯାଇଛି। ଜାତୀୟ ଜଳମାର୍ଗ ଯୋଜନାରେ ଆଗାମୀ ୫ ବର୍ଷରେ ୨୦ଟି ନୂତନ ଜଳପଥ ନିର୍ମାଣ କରାଯିବ ଯାହା ଓଡ଼ିଶାରୁ ଆରମ୍ଭ ହେବ। ଓଡ଼ିଶାରେ ବିରଳ ଖଣିଜ କରିଡର କରିବାକୁ ଘୋଷଣା କରାଯାଇଛି। ଏହା ଦ୍ୱାରା ଉତ୍ପାଦନ ବୃଦ୍ଧି ପାଇବା ସହ ରାଜ୍ୟରେ ଅଧିକ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ଉପକୂଳବର୍ତୀ ଅଞ୍ଚଳରେ ନଡ଼ିଆ, କାଜୁ ଚାଷ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ଓଡିଶାର ଚାଷୀଙ୍କ ପାଇଁ ଖୁସି ଖବର। ଟାୟାର-୨, ଟାୟାର-୩ ସହର ପାଇଁ ବଜେଟରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି, ଯେଉଁଥିରେ କି ଓଡ଼ିଶାର ପ୍ରମୁଖ ୭ଟି ସହର ପାଇଁ ଅର୍ଥ ମିଳିବାର ସୁଯୋଗ ସୃଷ୍ଟି ହୋଇଛି।
Follow Us