ଭୁବନେଶ୍ବର: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ପକ୍ଷରୁ ବ୍ରହ୍ମପୁର ଓ ବାଲେଶ୍ବରରେ ହସ୍ପିଟାଲ୍ ସ୍ଥାପନ କରିବା ଲାଗି ଜମି ଅଧିଗ୍ରହଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଉଭୟ ସ୍ଥାନରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ନିର୍ମାଣ କରିବା ଲାଗି ୫ ଏକର ଲେଖାଏଁ ଜମି ଅଧିଗ୍ରହଣ କରାଯାଉଛି। ସେହି ଦୁଇ ହସ୍ପିଟାଲ୍କୁ ପରବର୍ତ୍ତୀ ସମୟରେ ୧୫୦ ଶଯ୍ୟାକୁ ସମ୍ପ୍ରସାରିତ କରାଯିବ। ନୂଆଦିଲ୍ଲୀରେ ଅନୁଷ୍ଠିତ ଇଏସ୍ଆଇସିର ୧୯୭ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ବାଲେଶ୍ବରର ରେମୁଣା ଓ ବ୍ରହ୍ମପୁରର କମାପଲ୍ଲୀରେ ଇଏସ୍ଆଇସି ଡିସ୍ପେନ୍ସେରି ରହିଛି। ଶ୍ରମ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୦ଟି ରାଜ୍ୟରେ ସ୍ଥାପନ ହେବାକୁ ଥିବା ନୂଆ ଇଏସ୍ଆଇସି ହସ୍ପିଟାଲ୍ ଓ ଡିସ୍ପେନ୍ସେରି ପାଇଁ ଜମି ଅଧିଗ୍ରହଣକୁ ମଞ୍ଜୁର କରାଯାଇଥିଲା। ଓଡ଼ିଶାରେ ଦୁଇଟି ହସ୍ପିଟାଲ୍ ବ୍ୟତୀତ ରାଜସ୍ଥାନ, ତାମିଲନାଡ଼ୁ, ହରିୟାଣା, ଉତ୍ତରପ୍ରଦେଶ, ତେଲେଙ୍ଗାନା ଓ ପଞ୍ଜାବରେ ନିର୍ମାଣ କରାଯିବାକୁ ଥିବା ନୂଆ ହସ୍ପିଟାଲ୍ ପାଇଁ ଜମି ଅଧିଗ୍ରହଣକୁ ମଧ୍ୟ ମଞ୍ଜୁର କରାଯାଇଛି।
Mandei: ମଣ୍ଡେଇ-୨୫ ଉଦ୍ଘାଟନ ଆଜି: ମୁଖ୍ୟ ଆକର୍ଷଣ ନିଷ୍ଠା ଶର୍ମା ଓ ନାଭ୍ୟା
ଇଏସ୍ଆଇସି ସୂତ୍ରରୁ ଜଣାପଡ଼ିଛି ଯେ ଏହି ଦୁଇ ଜିଲ୍ଲାକୁ ମିଶାଇ ରାଜ୍ୟରେ ପାଞ୍ଚଟି ହସ୍ପିଟାଲ୍ ସ୍ଥାପନ କରିବା ପାଇଁ ନୀତିଗତ ମଞ୍ଜୁରି ମିଳିଛି। ସେଥିରୁ ଯାଜପୁରର ଡୁବୁରି ହସ୍ପିଟାଲ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ସେହି ପ୍ରକଳ୍ପ ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ୨୦୨୮ ମାର୍ଚ୍ଚ ବେଳକୁ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି। ଏହା ବ୍ୟତୀତ ଝାରସୁଗୁଡ଼ାରେ ହସ୍ପିଟାଲ୍ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ଖୁବ୍ଶୀଘ୍ର ତାହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ। ପାରାଦୀପରେ ଏକ ନୂଆ ହସ୍ପିଟାଲ ସ୍ଥାପନ କରିବା ଲାଗି ଜମି ସନ୍ଧାନ ପ୍ରକ୍ରିୟା ଜାରି ରହିଛି। ପସନ୍ଦର ଜମି ମିଳିବା ପରେ ଜମି କିଣିବା ପ୍ରସ୍ତାବ ପଠାଯିବ। ତା’ପରେ ଟେଣ୍ଡର ପ୍ରକ୍ରିୟା ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
Bangladesh : ଫେବ୍ରୁଆରି ୧୨ରେ ବାଂଲାଦେଶ ନିର୍ବାଚନ, ଲଢିପାରିବନି ଆୱାମୀ ଲିଗ୍
୨୦୨୪-୨୫ ଆର୍ଥିକ ବର୍ଷରେ ଇଏସ୍ଆଇସି ପକ୍ଷରୁ ଦେଶରେ ୧୦ଟି ନୂଆ ମେଡିକାଲ୍ କଲେଜ ସ୍ଥାପନ କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଥିଲା। ସେଥିରୁ ଗୋଟିଏ ବି ଓଡ଼ିଶା ଭାଗରେ ପଡ଼ିନଥିଲା। କିନ୍ତୁ ମେଡିକାଲ୍ କଲେଜ ପାଇଁ ଅନ୍ୟ ଯେଉଁ ୧୦ଟି ସ୍ଥାନ ବିଷୟରେ ବିଚାର କରାଯାଉଥିଲା, ସେଥିରେ ଭୁବନେଶ୍ବରର ନାମ ଥିଲା। କିନ୍ତୁ ଆଜିର ବୈଠକରେ ସେହି ପ୍ରକଳ୍ପ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଆଜିର ବୈଠକରୁ ଜଣାପଡ଼ିଛି ଯେ ଚଳିତ ମାସ ନଭେମ୍ବର ସୁଦ୍ଧା ଦେଶର ୭୭୯ଟି ଜିଲ୍ଲା ମଧ୍ୟରୁ ୭୧୩ଟି ଜିଲ୍ଲାରେ ଇଏସ୍ଆଇ ସ୍କିମ୍ ପହଞ୍ଚିପାରିଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ବୀମାଭୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା ୩.୮୪ କୋଟି ରହିଛି। ବୀମାଭୁକ୍ତ ମହିଳାଙ୍କ ସଂଖ୍ୟା ୮୩ ଲକ୍ଷ ୧୧ ହଜାର ୩୪୧ ରହିଛି।
Follow Us