Global Hub: ଗ୍ଲୋବାଲ୍‌ ହବ୍‌ ହେବାପାଇଁ ଓଡ଼ିଶା ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭିତ୍ତିଭୂମିର ବିକାଶ ତଥା ବେଦାନ୍ତ ଭଳି କମ୍ପାନିର ପୁଞ୍ଜି ବିନିଯୋଗ ଜରିଆରେ ଓଡ଼ିଶା ସରକାର ଏହି ଲକ୍ଷ୍ୟ ହାସଲ କରିବେ। ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ଗ୍ଲୋବାଲ୍‌ ହବ୍‌ ହେବାପାଇଁ ଓଡିଶା ବର୍ତ୍ତମାନ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

vedanta

industrialist Anil Agarwal meets CM Mohan Charan Majhi at Lok Seba Bhaban on Thursday. Photograph: (sambad.in)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ପରିକଳ୍ପନାର ସଫଳ ରୂପାୟନ ପାଇଁ ପ୍ରତିଶ୍ରୁତିବଦ୍ଧ। ଭିତ୍ତିଭୂମିର ବିକାଶ ତଥା ବେଦାନ୍ତ ଭଳି କମ୍ପାନିର ପୁଞ୍ଜି ବିନିଯୋଗ ଜରିଆରେ ଓଡ଼ିଶା ସରକାର ଏହି ଲକ୍ଷ୍ୟ ହାସଲ କରିବେ। ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ଗ୍ଲୋବାଲ୍‌ ହବ୍‌ ହେବାପାଇଁ ଓଡିଶା ବର୍ତ୍ତମାନ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ। ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ କେତେକ ନୂଆ ଶିଳ୍ପ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଭବିଷ୍ୟତ ବିକଶିତ ଯୋଜନା ନେଇ କହିଛନ୍ତି।

କେନ୍ଦୁଝରରେ ଅତ୍ୟାଧୁନିକ ଫେରୋ-ଆଲଏଜ୍ ପ୍ଲାଣ୍ଟ

ଏହି ଆଲୋଚନାରୁ ଜଣାଯାଇଛି ଯେ, ଆଗାମୀ ଦିନରେ ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଏହାଦ୍ୱାରା ରାଜ୍ୟରେ ୧ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ରାଜ୍ୟ ସରକାର ମଧ୍ୟ ଏହି ନିବେଶକୁ ପ୍ରୋତ୍ସାହନ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ଏବଂ ଏଥିପାଇଁ ଆବଶ୍ୟକ ଜମି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜଣାଯାଇଛି। ଏହା ସହିତ ବିଶ୍ୱର ମେଟାଲ ଭାଲ୍ୟୁ-ଚେନ୍‌ରେ ଓଡ଼ିଶାର ପ୍ରତିଷ୍ଠା ବୃଦ୍ଧି ପାଇଁ କେନ୍ଦୁଝର ଠାରେ ଏକ ଅତ୍ୟାଧୁନିକ ଫେରୋ-ଆଲଏଜ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ବୈଠକରୁ ଜଣାଯାଇଛି। ଏଥିରେ ବେଦାନ୍ତ ପକ୍ଷରୁ ୨ ହଜାର କୋଟି ଟଙ୍କା ବିନିଯୋଗ କରାଯିବ।

ଝାରସୁଗୁଡ଼ାରେ ନୂଆ ଆଲୁମିନିଅମ୍‌ ପାର୍କ

ଆଲୋଚନାରୁ ଜଣାଯାଇଛି ଯେ, ବେଦାନ୍ତ ପକ୍ଷରୁ ଓଡିଶାରେ ଦୁଇଟି ନୂଆ ଆଲୁମିନିଅମ୍‌ ପାର୍କ ମଧ୍ୟ ପ୍ରତିଷ୍ଠା କରାଯିବ। ଝାରସୁଗୁଡ଼ାରେ ଥିବା ଏହାର ଆଲୁମିନିଅମ୍‌ ପ୍ଲାଣ୍ଟ ନିକଟରେ ଗୋଟିଏ ନୂଆ ଆଲୁମିନିଅମ୍‌ ପାର୍କ ପ୍ରତିଷ୍ଠା କରାଯିବ। ଏହା ସହିତ ରାଜ୍ୟର ଅନ୍ୟ ସ୍ଥାନରେ ଯେଉଁଠି ରାଜ୍ୟ ସରକାର ଜମି ଯୋଗାଇଦେବେ, ସେଠାରେ ମଧ୍ୟ ଆଉଏକ ଆଲୁମିନିଅମ୍‌ ପାର୍କ ପ୍ରତିଷ୍ଠା କରାଯିବ। ଏହି ଦୁଇଟି ଅତ୍ୟାଧୁନିକ ପାର୍କରେ ଅତ୍ୟନ୍ତ ଉନ୍ନତ ଗ୍ରେଡ୍‌ର ଆଲୁମିନିଅମ୍‌ ଆଲୟ ପ୍ରସ୍ତୁତ ହେବ। ଏହି ଆଲୁମିନିଅମ୍‌ ଆଲୟ ଏରୋସ୍ପେଶ୍, ଇଲେକ୍ଟ୍ରିକ୍‌ ଭେହିକିଲ୍‌ସ ଓ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ହୋଇପାରିବ। ଏହାଦ୍ୱାରା ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ଆସିବ ଏବଂ ଏମ୍‌.ଏସ୍‌.ଏମ୍‌.ଇ ଶିଳ୍ପରେ ବିପୁଳ ଅଭିବୃଦ୍ଧି ହୋଇପାରିବ। 

ଯୁବବର୍ଗଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ: ମୁଖ୍ୟମନ୍ତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ପରିକଳ୍ପନାର ସଫଳ ରୂପାୟନ ପାଇଁ ପ୍ରତିଶ୍ରୁତିବଦ୍ଧ। ଭିତ୍ତିଭୂମିର ବିକାଶ ତଥା ବେଦାନ୍ତ ଭଳି କମ୍ପାନିର ପୁଞ୍ଜି ବିନିଯୋଗ ଜରିଆରେ ଓଡ଼ିଶା ସରକାର ଏହି ଲକ୍ଷ୍ୟ ହାସଲ କରିବେ। ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ଗ୍ଲୋବାଲ୍‌ ହବ୍‌ ହେବାପାଇଁ ଓଡିଶା ବର୍ତ୍ତମାନ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ। ଆମର ଏହି ଉଦ୍ୟମ ଦ୍ୱାରା କେବଳ ଅର୍ଥନୈତିକ ଅଭିବୃଦ୍ଧି ଆସିବ ନାହିଁ ଏହାଦ୍ୱାରା ଯୁବବର୍ଗଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବା ସହିତ ଜନସାଧାରଣଙ୍କୁ ସଶକ୍ତ କରିବ ଏବଂ ୨୦୩୬ ସୁଦ୍ଧା ୫୦୦ ବିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ ହେବାପାଇଁ କ୍ଷେତ୍ର ପ୍ରସ୍ତୁତ କରିବ। ଓଡିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହି ପୁଞ୍ଜି ନିବେଶ ଏକ ଗେମ୍-ଚେଞ୍ଜର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ବୈଠକରେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ବେଦାନ୍ତର ଶିଳ୍ପ ପ୍ରକଳ୍ପ ଗୁଡିକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜା, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe