ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ କମ୍ପାନି ଟେସ୍ଲାର ଭାରତରେ କାର୍ ତିଆରି କରିବାରେ କୌଣସି ଆଗ୍ରହ ନାହିଁ। ଏହା କେବଳ ସୋ’ରୁମ୍ ଖୋଲିବାକୁ ଚାହୁଛି। ଭାରି ଶିଳ୍ପ ମନ୍ତ୍ରୀ ଏଚ୍ଡି କୁମାର ସ୍ବାମୀ ଏହା କହିଛନ୍ତି। ସେ ଏଭଳି ଏକ ସମୟରେ ଏହି ସୂଚନା ଦେଇଛନ୍ତି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଗାଡ଼ି ତିଆରି ନ କରିବା ଲାଗି ଟେସ୍ଲା ଉପରେ ଚାପ ପକାଉଛନ୍ତି। ଟ୍ରମ୍ପଙ୍କ ରାଷ୍ଟ୍ରପତି ନିର୍ବାଚନ ଅଭିଯାନରେ ମସ୍କ ଜଣେ ପ୍ରମୁଖ ଉପଦେଷ୍ଟା ଓ ପାଣ୍ଠି ପ୍ରଦାନକାରୀ ଥିଲେ। ଭାରତରେ ସୋ’ରୁମ୍ ଖୋଲିବାକୁ କମ୍ପାନି ମୁମ୍ବାଇରେ ଜମି ଲିଜ୍ ସୂତ୍ରରେ ନେଇଛି।
ଭାରତରେ ପ୍ରବେଶ କରିବା ଲାଗି ଟେସ୍ଲା ଦୀର୍ଘଦିନରୁ ଉଦ୍ୟମ କରୁଛି। କିନ୍ତୁ ଏହା ଗାଡ଼ି ତିଆରି କରିବାକୁ ଚାହୁଛନ୍ତି। ସିଧାସଳଖ ବାହାରୁ ଗାଡ଼ି ମଗାଇ ଭାରତରେ କେବଳ ବିକ୍ରିରେ ସୀମିତ ରହିବାକୁ କମ୍ପାନି ଚାହୁଛି। ସେଥିପାଇଁ ଏହା ଶୁଳ୍କରେ ରିହାତି ମାଗୁଛି। କିନ୍ତୁ କୌଣସି ଏକ ନିର୍ଦ୍ଦିଷ୍ଟ କମ୍ପାନି ଲାଗି ନିଜ ନୀତି ବଦଳାଇବାକୁ ସରକାର ଚାହୁନାହାନ୍ତି। ସେଥିପାଇଁ ସରକାର ଓ କମ୍ପାନି ଅଧିକାରୀଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହେବା ସତ୍ତ୍ବେ ଟେସ୍ଲା ଭାରତ ଆସିପାରୁନାହିଁ। କିଛି ମାସ ପୂର୍ବେ ଭାରତରେ କାର୍ ଉତ୍ପାଦନ କରିବାକୁ ଟେସ୍ଲା ଆଗ୍ରହ ଦେଖାଇଥିଲା। ଇଭି ନିର୍ମାଣ ଅଭିଯାନ ଉପରେ ଆୟୋଜିତ ବୈଠକରେ କମ୍ପାନିର ପ୍ରତିନିଧି ଯୋଗଦେଇଥିଲେ। କିନ୍ତୁ ପରବର୍ତ୍ତୀ ବୈଠକଗୁଡ଼ିକରେ ସେମାନଙ୍କୁ ଆଉ ଦେଖିବାକୁ ମିଳି ନଥିଲା।
ଆଜି କେନ୍ଦ୍ର ସରକାର ଇଲେକ୍ଟ୍ରିକ୍ କାର୍ ଉତ୍ପାଦନ ପ୍ରସାର ସ୍କିମ୍ର ଗାଇଡ୍ଲାଇନ୍ ଜାରି କରିଛନ୍ତି। ସ୍କିମ୍ର ଲାଭ ଉଠାଇବାକୁ ମର୍ସିଡିସ୍-ବେଞ୍ଜ, ସ୍କୋଡା-ଫକ୍ସୱାଗନ୍, ହୁଣ୍ଡାଇ ଓ କିଆ ଆଗ୍ରହ ଦେଖାଇଛନ୍ତି। ଏହି ସ୍କିମ୍ରେ ଦୁଇଟି ସାଲିସବିହୀନ ସର୍ତ୍ତ ରହିଛି। ତାହା ହେଉଛି ପ୍ରଥମ ତିନି ବର୍ଷରେ ନିଶ୍ଚିତ ରୂପେ ଭାରତରେ ଇଭି ଉତ୍ପାଦନ କରିବାକୁ ପଡ଼ିବ ଏବଂ ୫ ବର୍ଷ ଭିତରେ ଅତିକମ୍ରେ ୫୦ ପ୍ରତିଶତ ‘ମେକ୍ ଇନ୍ ଇଣ୍ଡିଆ’ ଉତ୍ପାଦନ ହୋଇଥିବ।