ମୁମ୍ବାଇ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିବା ପରେ ଷ୍ଟକ୍‌ ବଜାର ସଙ୍ଗେ ସଙ୍ଗେ ଅସ୍ଥିର ହୋଇପଡ଼ିଥିଲା। ପ୍ରତିଭୂତି କାରବାର ଟିକସ (ଏସ୍‌ଟିଟି)ରେ ବୃଦ୍ଧି ଘୋଷଣା କରାଯାଇଥିବାରୁ ନିବେଶକମାନେ ନିରାଶ ହୋଇପଡ଼ିଥିଲେ। ସେମାନେ ବିଭିନ୍ନ ସଂସ୍ଥାର ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୫୪୭ ପଏଣ୍ଟ ହ୍ରାସ ପାଇ ୮୦,୭୨୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ନ୍ୟାସନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ୪୯୫ ପଏଣ୍ଟ ହ୍ରାସ ପାଇ ୨୪,୮୨୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନିଫ୍ଟିରେ ଆଜି ଓଏନ୍‌ଜିସି, ଏସ୍‌ବିଆଇ, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌, ଆଦାନୀ ପୋର୍ଟସ୍‌, ଭାରତ ଇଲେକ୍ଟ୍ରୋନିକ୍ସର ସେୟାର ମୂଲ୍ୟ କମିଛି। ସେହି ସମୟରେ ୱିପ୍ରୋ, ଟିସିଏସ୍, ସନ୍‌ ଫାର୍ମା, ମ୍ୟାକ୍ସ ହେଲ୍‌ଥକେୟାର ଓ ଇନ୍‌ଫୋସିସ୍‌ର ସେୟାର ମୂଲ୍ୟ ବଢ଼ିଛି।

Advertisment

AI for farmers: ଚାଷୀଙ୍କ ପାଇଁ ଏଆଇ: ଆୟ ବଢ଼ାଇବ ମତ୍ସ୍ୟଚାଷ, ନଡ଼ିଆ, କାଜୁ, କୋକୋ, କୃଷି କ୍ଷେତ୍ରକୁ ୧,୬୨,୭୬୧ କୋଟି ଟଙ୍କା


ପ୍ରତିବର୍ଷ ବଜେଟ୍‌ ଦିନ ସେନ୍‌ସେକ୍ସର ପ୍ରଦର୍ଶନ ସମାନ ରହି ନଥାଏ। ୨୦୧୭ରେ ପୁର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଟିକସରେ କୌଣସି ବୃଦ୍ଧି କରି ନଥିଲେ। ତାହାର ପ୍ରଭାବରେ ସେହିଦିନ ସେନ୍‌ସେକ୍ସ ୧.୭ ପ୍ରତିଶତ ଓ ନିଫ୍ଟି ୧.୮ ପ୍ରତିଶତ ବୃଦ୍ଧି ପାଇଥିଲା। କୋଭିଡ୍‌ ମହାମାରୀ ବ୍ୟାପିବା ପରବର୍ତ୍ତୀ ବର୍ଷ ୨୦୨୧ରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଅର୍ଥନୈତିକ ପୁନରୁଦ୍ଧାର ସମ୍ପର୍କିତ ଅନେକ ଘୋଷଣା କରିଥିଲେ। ସେହିବର୍ଷ ବଜେଟ୍‌ ଦିନ ସେନ୍‌ସେକ୍ସ ୨ ପ୍ରତିଶତ ଓ ନିଫ୍ଟି ୨.୮ ପ୍ରତିଶତ ବୃଦ୍ଧି ପାଇଥିଲା।

Industry welcomes Budget 2026: ୨୦୨୬ ବଜେଟ୍‌କୁ ଶିଳ୍ପଜଗତର ସ୍ବାଗତ


୨୦୧୬ରେ ବଜେଟ୍‌ରେ ଲାଭାଂଶ ଟିକସ ବୃଦ୍ଧି କରାଯିବାରୁ ଉଭୟ ସେନ୍‌ସେକ୍ସ ଓ ନିଫ୍ଟି ହ୍ରାସ ସହ ବନ୍ଦ ହୋଇଥିଲା। ସେହିପରି ୨୦୧୮ରେ ଦୀର୍ଘକାଳୀନ ପୁଞ୍ଜିଲାଭ ଟିକସ ଲାଗୁ କରାଯିବା ପରେ ସେନ୍‌ସେକ୍ସରେ ୬.୮ ପ୍ରତିଶତର ବଡ଼ ଧରଣର ହ୍ରାସ ଘଟିଥିଲା। ୨୦୨୩‌ ବଜେଟ୍‌ରେ କୌଣସି ବଡ଼ ଧରଣର ସଂସ୍କାର ପଦକ୍ଷେପ ଘୋଷଣା କରାଯାଇ ନଥିଲା। ସେଥିପାଇଁ ସେହି ବର୍ଷ ବଜେଟ୍‌ ଦିନ ଷ୍ଟକ୍‌ ବଜାରରେ କାରବାରରେ କୌଣସି ଉତ୍ସାହ ଦେଖିବାକୁ ମିଳି ନଥିଲା। ସେହିଦିନ ସେନ୍‌ସେକ୍ସ ଓ ନିଫ୍ଟିରେ କୌଣସି ଆଖିଦୃଶିଆ ବୃଦ୍ଧି ହୋଇ ନଥିଲା।