ନୂଆଦିଲ୍ଲୀ: ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ପ୍ରାଣ ହରାଇଛନ୍ତି। ଯଦି ଏହି ଯୁଦ୍ଧ ଲମ୍ବା ସମୟ ଚାଲିବ ଓ ହରମୁଜ୍ ପ୍ରଣାଳୀରେ ତୈଳ ପରିବହନ ବନ୍ଦ ହୋଇଯିବ, ତେବେ ତେଲ ବଜାରକୁ ତାହା ଗୁରୁତର ପ୍ରଭାବିତ କରିବ। ଏହି ଯୁଦ୍ଧ ଭାରତରେ ତୈଳ, ସୁନା ଓ ରୁପା ଦର ଓ ସେୟାର ବଜାର କାରବାରକୁ ପ୍ରଭାବିତ କରିବା ଆଶଙ୍କା କରାଯାଉଛି। ତୈଳ ପରିବହନର ଗୁରୁତ୍ବପୂର୍ଣ୍ଣ ପଥ ହରମୁଜ୍ ପ୍ରଣାଳୀ ବନ୍ଦ ହେଲେ ଅଳ୍ପ ଦିନରେ ଅଶୋଧିତ ତୈଳ ଦର ବହୁତ ବଢ଼ିଯିବ। ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତ ତେଲ ଆମଦାନୀ କରୁଛି। ବିଦେଶରୁ ଆସୁଥିବା ୫୦ ପ୍ରତିଶତ ତେଲ ହରମୁଜ୍ ପ୍ରଣାଳୀ ଦେଇ ଆସିଥାଏ। ସେହି ବାଟରେ ପରିବହନ ପ୍ରଭାବିତ ହେଲେ ଭାରତ ପାଇଁ ତେଲ ଯଥେଷ୍ଟ ମହଙ୍ଗା ହୋଇଯିବ। ଅଶୋଧିତ ତେଲ ଦାମ୍ ବଢ଼ିଲେ ତାହା ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧିର କାରଣ ହେବ। ଏକ ଆକଳନରୁ ଜଣାପଡ଼ିଛି ଯେ ଯୁଦ୍ଧ ଜାରି ରହିଲେ ଦେଶରେ ପେଟ୍ରୋଲ ଓ ଡିଜେଲ୍ର ଲିଟର ପିଛା ମୂଲ୍ୟରେ ୨୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ। ଦିଲ୍ଲୀରେ ପେଟ୍ରୋଲ୍ ଲିଟର ୯୫ ଟଙ୍କାରୁ ବଢ଼ି ୧୧୫ ଟଙ୍କା ହୋଇଯିବ। ସେହିପରି ଡିଜେଲ୍ ଲିଟର ୮୮ ଟଙ୍କାରୁ ବଢ଼ି ୧୦୮ ଟଙ୍କା ହୋଇଯିବ।
Court Forward ଜମି ଚଞ୍ଚକତା କରି ବିକ୍ରୟ ଘଟଣା, ୭ଜଣଙ୍କୁ କୋର୍ଟ ଚାଲାଣ କଲା ଖପ୍ରାଖୋଲ ଥାନା ପୁଲିସ
ଅଶୋଧିତ ତୈଳ ଦର ୧୨୦ ଡଲାର ଟପିବ
ହରମୁଜ୍ ପ୍ରଣାଳୀକୁ ଇରାନ ଅବରୋଧ କଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୦୦-୧୨୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବର୍ତ୍ତମାନ ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ୍ ପିଛା ଦର ୭୦ ଡଲାର ରହିଛି। ଅତୀତରେ ମଧ୍ୟପ୍ରାଚ୍ୟରେ ହୋଇଥିବା ଚାରିଟି ଯୁଦ୍ଧ ସମୟରେ ଭାରତରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ିଥିଲା। ୧୯୭୩ର ଇସ୍ରାଏଲ-ଆରବ ଯୁଦ୍ଧ ସମୟରେ ଭାରତରେ ପେଟ୍ରୋଲ୍ ଦର ୧ ଟଙ୍କାରୁ ବଢ଼ି ୧ ଟଙ୍କା ୬୭ ପଇସା ହୋଇଯାଇଥିଲା। ୧୯୯୦ର ଇରାକ-କୁଏତ୍ ଯୁଦ୍ଧ ସମୟରେ ପେଟ୍ରୋଲ୍ ମୂଲ୍ୟ ୧୪ ଟଙ୍କା ୬୨ ପଇସାକୁ ବଢ଼ିଥିଲା। ୨୦୦୩ର ଇରାକ-ଆମେରିକା ଯୁଦ୍ଧ ସମୟରେ ପେଟ୍ରୋଲ୍ ଦାମ୍ ୨୯ ଟଙ୍କାରୁ ବଢ଼ି ୩୩ ଟଙ୍କା ହୋଇଯାଇଥିଲା। ୨୦୨୨ର ରୁଷ୍-ୟୁକ୍ରେନ ଯୁଦ୍ଧ ବେଳେ ପେଟ୍ରୋଲ୍ ଦର ୯୬ ଟଙ୍କାରୁ ବଢ଼ି ୧୦୫ ଟଙ୍କା ହୋଇଥିଲା। ଭାରତରେ ତୈଳ କମ୍ପାନିଗୁଡ଼ିକ ଦର ସମ୍ପର୍କିତ ନିଷ୍ପତ୍ତି ନେବାକୁ ସ୍ବାଧୀନ। କିନ୍ତୁ ଗତ କିଛି ବର୍ଷ ଧରି ସରକାରଙ୍କ ଅଦୃ୍ଶ୍ୟ ନିର୍ଦ୍ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ କରାଯାଉନାହିଁ। ତେଲ କମ୍ପାନିଗୁଡ଼ିକ ସାଧାରଣତଃ ପୂର୍ବ ୧୫ ଦିନର ଅଶୋଧିତ ତୈଳ ଦର ଏବଂ ଡଲାର-ଟଙ୍କା ବିନିମୟ ମୂଲ୍ୟ ବିଚାରକୁ ନେଇ ପେଟ୍ରୋଲ ଓ ଡିଜେଲ ଦର ନିର୍ଧାରଣ କରିଥାନ୍ତି। ଯୁଦ୍ଧ ଭଳି ପରିସ୍ଥିତିରେ ସରକାର ରାଜନୈତିକ ଓ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ପାଇଁ ମୂଲ୍ୟ ନ ବଢ଼ାଇବାକୁ କମ୍ପାନିଗୁଡ଼ିକୁ କହିପାରିବେ। ଅନ୍ୟଥା ଟିକସ ହ୍ରାସ ଜରିଆରେ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିବାକୁ ଥିବା ଅତିରିକ୍ତ ଚାପକୁ ସରକାର ଲାଘବ କରିପାରିବେ।
୧୫ ଦିନର ତେଲ ଅଛି
ନୂଆଦିଲ୍ଲୀ: ଇରାନ ସହ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ତେଲ ଯୋଗାଣକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ହରମୁଜ୍ ପ୍ରଣାଳୀରେ ପରିବହନ ବନ୍ଦ ହେଲେ ଭାରତ କେତେ ଦିନ ବିନା ତେଲରେ ତିଷ୍ଠି ପାରିବ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏକ ସୂତ୍ରରୁ ମିଳିଥିବା ସଚନା ଅନୁସାରେ ଅତିକମ୍ରେ ୧୦ ଦିନର ଆବଶ୍ୟକତା ପୂରଣ କରିବା ଭଳି ତେଲ ଦେଶର ବିଭିନ୍ନ ସ୍ଥାନରେ ମହଜୁଦ ରହିଛି। ଏହା ବ୍ୟତୀତ ଯେତିକି ତେଲ ଷ୍ଟକ୍ ରଖାଯାଇଛି ଯାହା ୫-୭ ଦିନର ଆବଶ୍ୟକତା ପୂରଣ କରିପାରିବ। ତେଣୁ ଯୁଦ୍ଧ ପାଇଁ ହଠାତ୍ ଦେଶରେ ତେଲ ଅଭାବ ଦେଖାଦେବନି। ମୋଟ୍ ଉପରେ ୧୫-୧୭ ଦିନର ଆବଶ୍ୟକତା ପୂରଣ କରିବା ଭଳି ତେଲ ଭାରତରେ ଅଛି। ଯଦି କେବେ ହରମୁଜ୍ ପ୍ରଣାଳୀ ବନ୍ଦ ହୋଇଯିବ ତେବେବି ଭାରତ ବିଶେଷ ପ୍ରଭାବିତ ହେବନାହିଁ। କାରଣ ଏହା ରୁଷରୁ ଅଧିକ ତେଲ ମଗାଇ ସେହି ଅଭାବ ପୂରଣ କରିପାରିବ। ତୈଳ କ୍ରୟ ପାଇଁ ଭାରତ ଆହୁରି ଅନେକ ଦେଶ ସହ ଯୋଗାଯୋଗରେ ରହିଛି।
Follow Us