CCTV footage of bike stolen in Baipariguda of Koraput. Photograph: (sambad.in)
ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକରେ ଦିନକୁ ଦିନ ବାଇକ୍ ଚୋର ଗ୍ୟାଙ୍ଗ ସକ୍ରିୟ ହୋଇଛନ୍ତି। ୧୩ ଦିନ ଭିତରେ ତିନୋଟି ବାଇକ୍ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ଚୋରି ଘଟଣାକୁ ସିସିଟିଭି କଏଦ କରିଛି। ଚାଲାକ ଚୋର ସିସିଟିଭି ଭିତରେ ପ୍ରମାଣ ଛାଡ଼ିଯାଇଛି।
ଯାତ୍ରାସ୍ଥଳରୁ ବାଇକ୍ ଚୋରି
ଅଭିଯୋଗ ଅନୁଯାୟୀ, ମାଠପଡ଼ା ପଞ୍ଚାୟତର ବଡ଼ ଅଣ୍ଡରି ଗ୍ରାମର ରାଜେନ୍ଦ୍ର ଗାଦବା ୧୭ ତାରିଖ ଦିନ ଟିପାଗୁଡା ଗ୍ରାମରେ ଚାଲିଥିବା ଯାତ୍ରା ଦେଖିବାକୁ ଆସିଥିଲେ। ରାତିରେ ଯାତ୍ରା ଚାଲିଥିବା ସମୟରେ ନିଜ ବାଇକ୍ ସ୍ଥାନୀୟ ହାଟପଦାରେ ରଖିଥିଲେ। ଯାତ୍ରା ସରିବା ପରେ ନିଜ ଗାଁକୁ ଯିବାପାଇଁ ବାଇକ୍ ଆଣିବାକୁ ବାହାରିଥିଲେ। କିନ୍ତୁ ଉକ୍ତ ସ୍ଥାନରେ ବାଇକ୍ ନଥିବା ଜାଣିବା ପରେ ଆଖପାଖ ବହୁତ ଖୋଜାଖୋଜି କରିଥିଲେ। ବାଇକ୍ ନମିଳିବାରୁ ଚୋରି ହୋଇଥିବା ନେଇ ରାମଗିରି ଫାଣ୍ଡିରେ ଅଭିଯୋଗ କରିଥିଲେ।
ଆହୁରି ପଢ଼ନ୍ତୁ: Hit And Run: ସମ୍ବଲପୁରରେ ହିଟ୍ ଆଣ୍ଡ ରନ୍: ମହିଳା ଓ ନାବାଳିକାଙ୍କ ମୃତ୍ୟୁ ସୂଚନା, ଜଣେ ଗୁରୁତର
ରାତିରେ ରଖିଥିଲେ ବାଇକ୍, ସକାଳ ପୂର୍ବରୁ ଚୋରି
ସେହିପରି ୨୪ ତାରିଖ ଦିନ ରାମଗିରି ଗ୍ରାମର କୃଷ୍ଣଚନ୍ଦ୍ର ମହାପାତ୍ର ରାତିରେ ଖାଇବା ପରେ ନିଜ ଘର ପଛପଟେ ବାଇକ୍ ରଖି ଶୋଇବାକୁ ଯାଇଥିଲେ। ସକାଳୁ ଉଠିବା ପରେ ସେହି ସ୍ଥାନରେ ତାଙ୍କ ବାଇକ୍ ନଥିବା ଦେଖି ଚୋରି ହୋଇଥିବା ସନ୍ଦେହ କରି ରାମଗିରି ଫାଣ୍ଡିରେ ଏତଲା ଦେଇଥିଲେ। ଗତକାଲି ରାତିରେ ମଧ୍ୟ ଦଶମନ୍ତପୁର ପଞ୍ଚାୟତର ପଟ୍ରୋଗୁଡା ଗ୍ରାମର ସାଗର ବାରିକଙ୍କ ବାଇକ୍ ଚୋରି ହୋଇଥିବା ନେଇ ବୈପାରିଗୁଡା ଥାନାରେ ଏତଲା ଦିଆଯାଇଛି। ଏତଲା ଅନୁଯାୟୀ, ସାଗର ବାରିକ ବୈପାରିଗୁଡାରେ ଭଡ଼ାରେ ରହି ନୂଆ ଘରେ ରଙ୍ଗ ମାରିବା କାମ କରନ୍ତି। ୨୭ ତାରିଖ ଦିନ ନୂଆ ଘରେ ରଙ୍ଗ ମାରିବା ପାଇଁ ବାହାର ଗାଁକୁ ଯାଇଥିଲେ। ୨୯ ତାରିଖ ଦିନ ଫେରିବା ପରେ ଭଡ଼ା ଘର ଆଗରେ ରଖିଥିବା ନିଜ ବାଇକ୍ ନଥିବା ଦେଖି ବହୁ ଖୋଜାଖୋଜି କରିଥିଲେ। ନପାଇବାରୁ ଚୋରି ହୋଇଥିବା ଜାଣିପାରି ବୈପାରିଗୁଡା ଥାନାରେ ଏତଲା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Viral Video: ବଧୂ ବେଶରେ ମହିମା ଚୌଧୁରୀ; କଲେ କି ଦ୍ବିତୀୟ ବିବାହ?
ମାତିଛନ୍ତି ବାଇକ୍ ଚୋର
କିଛି ଦିନର ନୀରବତା ପରେ ପୁଣି ଥରେ ବାଇକ୍ ଚୋର ମାତିଛନ୍ତି ବୈପାରିଗୁଡା ଅଞ୍ଚଳରେ। ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ବୈପାରିଗୁଡା ପୁଲିସ। ପୁଲିସ ପେଟ୍ରୋଲିଂ ଜୋରଦାର କରିବା ସହ ଚୋରକୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି।
Follow Us