Crocodile Attack: ଛେଳି ବଞ୍ଚାଇବାକୁ ଯାଇଥିଲେ ଯୁବକ, ଟାଣି ନେଉଥିଲା କୁମ୍ଭୀର

ଅନୁଗୁଳୁ ଜିଲ୍ଲା କିଶୋରନଗର ବ୍ଲକ ରଣିଆକଟା ପଞ୍ଚାୟତ ଝାମ୍ପୁଲି ଗ୍ରାମ ନିକଟସ୍ଥ ଏକ ଯୋରରେ ଥିବା କୁମ୍ଭୀର ଆଜି ଜଣେ ଯୁବକଙ୍କ ହାତକୁ କାମୁଡ଼ି ଛି‌ଣ୍ଡେଇ ନେଇଯାଇଥିବା ଜଣାପଡ଼ିଛି। କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।

Gemini_Generated_Image_2m1dah2m1dah2m1d

Young man attacked by crocodile in Kishornagar of Angul. Photograph: (sambad.in)

କିଶୋରନଗର (ସୁଧୀର କୁମାର ସାହୁ): ଅନୁଗୁଳୁ ଜିଲ୍ଲା କିଶୋରନଗର ବ୍ଲକ ରଣିଆକଟା ପଞ୍ଚାୟତ ଝାମ୍ପୁଲି ଗ୍ରାମ ନିକଟସ୍ଥ ଏକ ଯୋରରେ ଥିବା କୁମ୍ଭୀର ଆଜି ଜଣେ ଯୁବକଙ୍କ ହାତକୁ କାମୁଡ଼ି ଛି‌ଣ୍ଡେଇ ନେଇଯାଇଥିବା ଜଣାପଡ଼ିଛି। କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଗୁରୁତର ହୋଇଥିବା ଯୁବକ ହେ‌ଲେ ଝାମ୍ପୁଲି ଗ୍ରାମର ରଞ୍ଜିତ୍ ପ୍ରଧାନ (୪୭)। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ରାଜକିଶୋରନଗରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। 

ଯୋର ନିକଟରେ ଛେଳି ଚରାଉ ଥିଲେ

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ନୂଆପଡ଼ା ଗ୍ରାମର ରଞ୍ଜିତ୍ କିଶୋରନଗର ଥାନା ରଣିଆକଟା ପଞ୍ଚାୟତ ଝାମ୍ପୁଲି ଗ୍ରାମର କୁଳମଣି ସାହୁଙ୍କ ଝିଅଙ୍କୁ ବିବାହ କରିଛନ୍ତି। ପରେ ସେ ସେଠାରେ ଘରଜ୍ୱାଇଁ ଭାବରେ ରହି ଆସୁଛନ୍ତି। ପ୍ରତିଦିନ ଭଳି ଗୁରୁବାର ସକାଳେ ସେ ଗାଁ ନିକଟସ୍ଥ ଯୋର ନିକଟକୁ ଛେଳି ଚରାଇବାକୁ ଯାଇଥିଲେ। ଛେଳି ପାଣି ପିଇବା ପାଇଁ ଯୋର ଭିତରକୁ ପଶିଥିବା ବେଳେ କୁମ୍ଭୀର ହାବୁଡ଼ରେ ପଡ଼ି ଯାଇଥିଲେ। ରଞ୍ଜିତ କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବା ପାଇଁ ପାଣିଭିତରକୁ ଡେଇଁ ପଡ଼ିଥିଲେ। ଫଳରେ କୁମ୍ଭୀର ଛେଳିକୁ ଛାଡ଼ି ରଞ୍ଜିତଙ୍କ ବାମ ହାତକୁ କାମୁଡ଼ି ପାଣି ଭିତରକୁ ଟାଣି ନେଇଥିଲା। 

ଆହୁରି ପଢ଼ନ୍ତୁ: PDS Rice: ପିଡିଏସ୍‌ ଚାଉଳ ଚିନ୍ତା: ଭଙ୍ଗା କୁଡ଼ିଆରେ ମାଙ୍କିଡ଼ିଆ ବୃଦ୍ଧଙ୍କ ମୃତ୍ୟୁ

କୁମ୍ଭୀର ସହ ଲଢ଼ିଲେ ଯୁବକ

ପାଣି ଭିତରେ କୁମ୍ଭୀର କବଳରୁ ନିଜକୁ ବଞ୍ଚାଇବା ପାଇଁ ସେ ବହୁ ଚେଷ୍ଟା କରିଥିଲେ। କୁମ୍ଭୀର ତାଙ୍କର ବାମହାତ କହୁଣୀଠାରୁ କାମୁଡ଼ି ଧରିଥିବାରୁ ତାହା ଶରୀରରୁ ଅଲଗା ହୋଇଯାଇଥିଲା। ସେ ରକ୍ତାକ୍ତ ଅବସ୍ଥାରେ ପାଣି ଭିତରୁ ପଦାକୁ ଦୌଡ଼ି ପଳାଇ ଆସିବା ଫଳରେ ଜୀବନକୁ ବଞ୍ଚାଇ ପାରିଥିଲେ। 

ଆହୁରି ପଢ଼ନ୍ତୁ: ACF Death Case: ଏଏସିଏଫ୍ ମୌମ୍ୟରଂଜନ ମୃତ୍ୟୁ ମାମଲା: ତତ୍କାଳୀନ ଡିଏଫ୍‌ଓଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

ଚିକିତ୍ସା ପାଇଁ ସହାୟତା ଦାବି

ଏ ସମ୍ପର୍କରେ ଖବରପାଇ ପରିବାର ଲୋକ ରଞ୍ଜିତଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ତାଙ୍କୁ କଟକ ପଠାଯାଇଥିବା ଜଣାପଡ଼ିଛି। କୁମ୍ଭୀର ଆକ୍ରମଣରେ ହାତ ହରାଇଥିବା ରଞ୍ଜିତ୍ ପ୍ରଧାନଙ୍କୁ ବନବିଭାଗ ତରଫରୁ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଏହି ଘଟଣାପରେ କୁମ୍ଭୀର ଭୟରେ ସ୍ଥାନୀୟ ଜନସାଧାରଣ ଭୟଭୀତ ଅବସ୍ଥାରେ ରହୁଥିବା ଜଣାଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe