କଣ୍ଟାବାଞ୍ଜି (ପୁଷ୍ପକେତୁ ବେହେରା): ଅଧବାଟରେ ଜଗିଥିଲା ଯମ। ନେଇଗଲା ୪ଜଣଙ୍କ ଅମୂଲ୍ୟ ଜୀବନ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୪ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ୬ ବର୍ଷୀୟ ଶିଶୁ, ଜଣେ ମହିଳାଙ୍କ ସମେତ ଗୋଟିଏ ପରିବାରର ୩ ଜଣ ଥିବାବେଳେ ସେମାନଙ୍କ ସଂପର୍କୀୟ ଜ୍ବାଇଁ ମଧ୍ୟ ପ୍ରାଣ ହରାଇଛନ୍ତି।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ତୁରେକେଲା ଗାଁର ଗୋଟିଏ ପରିବାରର ୩ ଜଣ କ୍ଷୀର ପୁଟେଲ (୫୫), ତାଙ୍କ ସ୍ତ୍ରୀ କୁନି ପୁଟେଲ ଏବଂ ନାତି ଦେବାଶିଷ ପୁଟେଲ (୬) ରବିବାର ସକାଳେ ତାଙ୍କ ସମ୍ପର୍କୀୟ ଘର ତୁରେକେଲା ଥାନା ଅର୍ନ୍ତଗତ ଧଉରାଖମନ ଗାଁକୁ ଯାଇଥିଲେ। ସଂଧ୍ୟା ୫.୩୦ ମିନିଟ୍ରେ ସମ୍ପର୍କୀୟ ଜ୍ବାଇଁ ଧଉରାଖମନ ଗାଁର ମୋହନ ପୁଟେଲ୍ ବାଇକ୍ରେ ସେମାନଙ୍କୁ ତାଙ୍କ ଗାଁକୁ ଛାଡ଼ିବାକୁ ଆସୁଥିଲେ। ପଣ୍ଡରେନ ଗାଁଠାରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କାଦେଇ ଫେରାର୍ ମାରିଥିଲା। ଘଟଣାସ୍ଥଳରେ କ୍ଷୀର ଏବଂ ଦେବାଶିଷଙ୍କ ମୃତ୍ୟୁ ଘଟିଥିଲା। କୁନି ଏବଂ ମୋହନଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ସେମାନଙ୍କ ମୃତ୍ୟୁ ହୋଇଛି।
ଆହୁରି ପଢ଼ନ୍ତୁ: Cricket: ଜାତୀୟ ମହିଳା ଦିନିକିଆ: ସରିତାଙ୍କ ଶତକ; ଓଡ଼ିଶାର ବିଜୟ ଜାରି
ମୃତକଙ୍କ ପରିବାର କଣ୍ଟାବାଞ୍ଜି ଡାକ୍ତରଖାନାରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଘଟଣା କେମିତି ହେଲା, କେଉଁ ଗାଡ଼ି ଧକ୍କାଦେଲା ସେନେଇ ପୁଲିସ ତନାଘନା ଆରମ୍ଭ କରିଛି। ତୁରେକେଲା ପୁଲିସ ସମସ୍ତ ରାସ୍ତାରେ ଯାଞ୍ଚ କରୁଥିବା ବେଳେ କଣ୍ଟାବାଞ୍ଜି ପୁଲିସ ମଧ୍ୟ ଏହାର ତଦନ୍ତ କରୁଛି। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ମଧ୍ୟ ପୁଲିସ ଯାଞ୍ଚ କରୁଛି। ଆସନ୍ତାକାଲି ଶବ ଗୁଡ଼ିକର ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ ନ୍ୟାୟ ଓ କ୍ଷତିପୂରଣ ଦାବିରେ ଆସନ୍ତାକାଲି ରାସ୍ତାରୋକ କରାଯିବ ବୋଲି ସୂଚନା ମିଳିଛି। ଏ ବାବଦରେ ଥାନା ଅଧିକାରୀ ରାକେଶ ବେହେରା କହିଛନ୍ତି, ଆମେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜୁଛୁ।
ଆହୁରି ପଢ଼ନ୍ତୁ: Epstein Files: ଦଲାଇଲାମାଙ୍କ ନାଁକୁ ନେଇ ଚର୍ଚ୍ଚା: ଖଣ୍ଡନ କଲା ଦଲାଇଲାମାଙ୍କ କାର୍ଯ୍ୟାଳୟ
Follow Us