ଖୋର୍ଦ୍ଧା: କରୋନା ସଂକ୍ରମଣ ଓ କଟକଣା ନିମନ୍ତେ ୨୦୨୦ ମାର୍ଚ୍ଚ ମାସରୁ ଜିଲ୍ଳାପାଳଙ୍କ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ବନ୍ଦ ହୋଇଯାଇଥିଲା। ଆଜି ଠାରୁ ଏହା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୦ଟି ଅଭିଯୋଗର ଶୁଣାଣି ହୋଇଥିବା ବେଳେ ୨ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଆଜି ସକାଳ ସାଢ଼େ ୮ ଟାବେଳେ ଅଭିଯୋଗ ପ୍ରକୋଷ୍ଠ ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟରେ ଆରମ୍ଭ ହେବା ସ୍ଥିର ହୋଇଥିଲା। ନିର୍ଦ୍ଧାରିତ ସମୟରେ ଅଭିଯୋଗ ପ୍ରକୋଷ୍ଠ ଆରମ୍ଭ ହୋଇଥିଲେ ମଧ୍ୟ ପୂର୍ବ ଭଳି ଅଭିଯୋଗକାରୀଙ୍କ ଭିଡ଼ ଦେଖିବାକୁ ମିଳିନଥିଲା। ୧୧ଟା ପରେ ଗ୍ରୀଷ୍ମତାପ ବଢ଼ିବା ସଙ୍ଗେ ସଙ୍ଗେ ଲୋକଙ୍କ ଗହଳି ମଧ୍ୟ ଆପାତତଃ ହ୍ରାସ ପାଇଥିଲା ଓ ପ୍ରାୟ ୩ ଘଂଟା ଚାଲିବା ପରେ ଅଭିଯୋଗ ଶୁଣାଣି ବନ୍ଦ ହୋଇଥିଲା। ଅଭିଯୋଗ ଶୁଣାଣିରେ ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଳାପାଳ ମନୋଜ ପାଢ଼ୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଖୋର୍ଦ୍ଧା ବ୍ଲକ ବିଡିଓ, ଖୋର୍ଦ୍ଧା ତହସିଲଦାର ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment

publive-image Sambad

ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରୁ ମିଳିଥିବା ସୂଚନାନୁସାରେ, ଆଜି ଗୋଟିଏ ଦିନରେ ୩୦ଟି ଅଭିଯୋଗର ଶୁଣାଣି ହୋଇଥିଲା। ଏହା ମଧ୍ୟରୁ ୨ଟି ସାମୂହିକ ଥିବା ବେଳେ ୨୮ଟି ବ୍ୟକ୍ତିଗତ ସହାୟତା ଓ ସମସ୍ୟାର ଆବେଦନ ଥିଲା। ସମସ୍ତ ଆବେଦନର ବିଚାର କରାଯିବା ସହ ରେଡ୍‌କ୍ରସ ପାଣ୍ଠୀରୁ ୭୫ ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠୀରୁ ୧ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, କରୋନା କଟକଣା ହଟିବା ପରେ ଅପ୍ରିଲ୍ ୧୮ ତାରିଖ ଠାରୁ ଜୁନ୍ ୨୭ ତାରିଖ ଯାଏଁ ସପ୍ତାହର ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଆୟୋଜନ କରିବା ନେଇ ୧୬ ତାରିଖରେ ଜିଲ୍ଲାପାଳ ଚିଠି କରିଥିଲେ। ଏହି ସୂଚନାଅନୁସାରେ, ଆଜି ଖୋର୍ଦ୍ଧା ବ୍ଲକରେ ପ୍ରଥମ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ହୋଇଥିଲା। ପରବର୍ତ୍ତୀ ଅଭିଯୋଗ ଶୁଣାଣି ୨୫ ତାରିଖରେ ବାଲିପାଟଣା ବ୍ଲକରେ ସକାଳ ୯ଟାରେ ହେବ ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।